ବସ୍ ଧକ୍କାରେ ଶିଶୁପୁତ୍ର ମୃତ, ମା’ ଗୁରୁତର, ଜଣେ ଅଟକ

 ବାଲିଅନ୍ତା: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଗୁଡିଆପୋଖରୀ ନିକଟରେ ଏକ ବସଧକ୍କାରେ ୩ ବର୍ଷର ଶିଶୁପୁତ୍ରର ମୃତୁ୍ୟ ହୋଇଥିବା ବେଳେ ମା' ଗୁରୁତର ଆହତ ହୋଇଛି  । ମୃତ ଶିଶୁପୁତ୍ର ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଲାଠିଗଡ଼ ଗ୍ରାମର ସୁହାଂଶୁ ପ୍ରଧାନ ଏବଂ ଗୁରୁତର ମା’ ହେଲେ ଝିଲ୍ଲୀ ପ୍ରଧାନ  ।  ଝିଲ୍ଲୀ ପରିବାର ସହ ଗୁଡିଆପୋଖରୀରେ ରହି ଶ୍ରମିକ ଭାବେ କାମ କରନ୍ତି  । ଖବରନେବାରେ ଜଣାପଡିଛି ଆଜି ପୂର୍ବାହ୍ନ ପ୍ରାୟ ସାଢେ ୯ ଟାରେ ଝିଲ୍ଲୀ ପୁଅ ସୁହାଂଶୁଙ୍କୁ ଧରି ରାସ୍ତା ପାର ହେଉଥିଲା  । ଏହି ସମୟରେ ପୂରୀରୁ ଯାତ୍ରୀ ନେଇ ଭୁବନେଶ୍ୱର ଆସୁଥିବା ଏକ ବସ ଉଭୟଙ୍କୁ ଧକ୍କା ଦେଇଥିଲା  । ସେମାନେ ରାସ୍ତାରେ ଛିଟିକ ପଡ଼ିଥିଲେ  । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲର ଭର୍ତ୍ତି କରିଥିଲେ  । ସେଠାରେ ସୁହାଂଶୁଙ୍କ ମୃତୁ୍ୟ ହୋଇଥିଲା  । ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା  । ଖବରପାଇ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସଞ୍ଜୀବ ଦାଶ  ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ  । ପରେ ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରିବାସହ ସେଥିରେ ଥିବା ଯାତ୍ରୀମାନଙ୍କୁ  ଅନ୍ୟଏକ ବସରେ ବସାଇଥିଲେ  । ଏଥିସହ ବସ ଚାଳକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି  ।