ହଟୁନି ଜବରଦଖଲ, ହରିପୁର ବଜାରରେ ଟ୍ରାଫିକ୍ ସମସ୍ୟା
ଯାଜପୁର ଜିଲାର ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ତଳ ଭାବେ ହରିପୁର ପରିଚିତ । ହେଲେ ସଂପୃକ୍ତ ବଜାରରୁ ଟ୍ରାଫିକ୍ ସମସ୍ୟା ଦୂର ହେଇପାରୁନି । ୨୦ ନମ୍ୱର୍ ଜାତୀୟ ରାଜପଥର କୁଆଖିଆ-ସାତଭାୟା ରାସ୍ତାର ୫ କିଲୋମିଟର ପରେ ଏହି ବଜାର ଅବସ୍ଥିତ । ଜିଲା ତଥା ଜିଲା ବାହାରୁ ଦୈନନ୍ଦିନ ଶହ ଶହ ଲୋକ ଲୁଗାପଟା, ସୁନା ଅଳଙ୍କାର ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ହରିପୁର ବଜାରକୁ ଧାଇଁ ଆସନ୍ତି । ରାତି ପାହିଲେ ଏଠାରେ ଭିଡ଼ ଜମେ । କିନ୍ତୁ ଏହି ବଜାର ମଧ୍ୟରେ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଛି । ଜବର ଦଖଲ ଏହି ଦୁର୍ଘଟଣାର ମୁଖ୍ୟ କାରଣ ହୋଇପଡ଼ିଛି । ବଜାରରେ ପ୍ରାୟ ୧୦୦ଫୁଟ୍ ପ୍ରଶସ୍ଥ ସରକାରୀ ଜାଗା ଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବ୍ୟବସାୟୀ ରାଜରାସ୍ତାକୁ ଦଖଲ କରି ରଖିଥିବାରୁ ମାତ୍ର ୧୫ ଫୁଟ୍ ରାସ୍ତାରେ ଯାନବାହାନ ଚଳାଚଳ କରୁଛି । ଏହି ରାସ୍ତାରେ ଦୈନନ୍ଦିନ ଶହ ଶହ ଗାଡିମଟର ଯାତାୟତ କରୁଥିବା ବେଳେ ଅଧିକାଂଶ ସମୟରେ ଘଣ୍ଟା ଘଣ୍ଟା ଧରି ଜାମ୍ ହେବା ଫଳରେ ମୁଖ୍ୟତଃ ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ବାହିନୀ ଗାଡି ଫସିରହୁଛି । ଯାହା ଫଳରେ ବହୁ ଧନଜୀବନ କ୍ଷୟକ୍ଷତି ଘଟୁଛି । ବଡ଼ ଦୁର୍ଭାଗ୍ୟର ବିଷୟ ହେଉଛି ଏହି ରାସ୍ତାରେ ଦୈନିକ ଜିଲା ପୁଲିସ ଓ ପ୍ରାଶାସନିକ ଅଧିକାରୀ ଯାତାୟତ କରୁଥିବା ସମୟରେ କାହାରି ନଜରରେ ଏସବୁ ପଡୁନାହିଁ । ତୁରନ୍ତ ହରିପୁର ବଜାରର ଜବର ଦଖଲକୁ ଉଚ୍ଛେଦ କରି ରାସ୍ତାକୁ ଦୁର୍ଘଟଣା ମୁକ୍ତ କରିବାକୁ ସାଧାରଣ ଜନତା ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
