ଅଙ୍ଗନବାଡି ମରାମତିରେ ଅନିୟମିତତା ଲାଗିନି ସୂଚନା ଫଳକ, ଖସୁଛି ପ୍ଲାଷ୍ଟର
କାଳିଆପାଣି: ସରକାରୀ କାର୍ଯ୍ୟ ବର୍ଷବର୍ଷ ଧରି ତିଷ୍ଠି ରହିବା ପାଇଁ ସରକାର ବେଶ୍ ଅର୍ଥ ବିନିଯୋଗ କରନ୍ତି । କିନ୍ତୁ ନିମ୍ନ ମାନର କାର୍ଯ୍ୟ କରି ବେଶ୍ ଅର୍ଥ ରୋଜଗାର କରିବା ପାଇଁ ଠିକାଦାର ମସୁଧା ଚଳାଇଥିବା ଅଭିଯୋଗ ହୋଇଛି । ସୁକିନ୍ଦା ବ୍ଲକ୍ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଓସ୍ତିଆ ଗ୍ରାମରେ ଅଙ୍ଗନବାଡି ଗୃହର ମରାମତି କାର୍ଯ୍ୟ ଚାଲୁଥିବା ବେଳେ, କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି । ଅଙ୍ଗନବାଡି ମରାମତି କାର୍ଯ୍ୟ କରିବା ସହିତ କବାଟ, ଝରକା ଲାଗି ରଙ୍ଗ କାର୍ଯ୍ୟ ହେଉଥିବା ବେଳେ ପୂର୍ବରୁ ଥିବା ପ୍ଲାଷ୍ଟର ଉପରେ ପ୍ଲାଷ୍ଟର କରାଯାଉଛି । ଯାହାକି କାର୍ଯ୍ୟ ଶେଷ ନହେଉଣୁ ପ୍ଲାଷ୍ଟର ଭାଙ୍ଗି ପଡୁଛି । କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବାକୁ ବସିଥିଲେ ମଧ୍ୟ ସୂଚନା ଫଳକ ଲଗାଯାଇ ନଥିବା ବେଳେ କେଉଁ ଯୋଜନାରେ କାର୍ଯ୍ୟ ହେଉଛି, କେତେ ଅର୍ଥ ବିନିଯୋଗ ହୋଇଛି ତାହା ମଧ୍ୟ ସାର୍ବଜନୀନ କରାଯାଉ ନଥିବାର ଅଭିଯୋଗ ହୋଇଛି । କାର୍ଯ୍ୟର କାର୍ଯ୍ୟାଦେଶ ଯନ୍ତ୍ରୀ ସୁଶିଲ ହେମ୍ବ୍ରମଙ୍କ ନାମରେ ଥିବାବେଳେ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ସଲସୁତୁରା ସୁକିନ୍ଦା ଖରଡି ଅଂଚଳର ରଞ୍ଜନ ସାହୁ ନାମକ ବ୍ୟକ୍ତି କାର୍ଯ୍ୟ କରୁଛନ୍ତି । କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରୁଥିବା ବେଳେ କାର୍ଯ୍ୟ ତଦାରଖ କରିବା ପାଇଁ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ ମଧ୍ୟ ତଦାରଖ କରିବା ପାଇଁ ଆସୁନାହାଁନ୍ତି ବୋଲି ଅଭିଯୋଗ କରନ୍ତି ଗ୍ରାମବାସୀ । ଏନେଇ ଯନ୍ତ୍ରୀ ସୁଶିଲ ହେମ୍ବ୍ରମଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ବି ସେ ଫୋନ୍ ଉଠାଇ ନଥିଲେ ।