ଚୋରା ମାଟି-ମୋରମକୁ ହଜମ କରୁଛି ୫୩ ନଂ ଏନ୍ଏଚ୍

 କଳିଙ୍ଗନଗର : ଅହେତୁକ ବିଳମ୍ବ ପାଇଁ ବହୁବାର ଆନେ୍ଦାଳନ ହେଲାଣି । ରାଜପଥ କର୍ତ୍ତୃପକ୍ଷ ହୁଅନ୍ତୁ କି ଜିଲା ପ୍ରଶାସନ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେବା ଭିତରେ ଆନେ୍ଦାଳନକାରୀ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଡ଼ୁବୁରୀ-ଚଣ୍ଡିଖୋଲ ୫୩ନଂ ଜାତୀୟ ରାଜପଥ କାର୍ଯ୍ୟ ଆଗେଇ ଚାଲିଛି । କିନ୍ତୁ ଆଗେଇ ଚାଲିଥିବା ଏହି ରାଜପଥ ସବୁ ଚୋରା ମାଟି-ମୋରମକୁ ହଜମ କରିଯିବାରେ ଲାଗିଛି । ଯାହା ଫଳରେ ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ୁଛି । ଚଣ୍ଡିଖୋଲ ଆଡ଼ୁ ହୋଇଆସିଥିବା କାର୍ଯ୍ୟରେ ବିପୁଳ ପରିମାଣର ମାଟି-ମୋରମ ଲାଗିଥିବା ବେଳେ ଏବେ ଡ଼ୁବୁରୀ ପାଶ୍ୱର୍ରେ ଚାଲିଥିବା କାର୍ଯ୍ୟରେ ମଧ୍ୟ ଚୋରା ମାଟି-ମୋରମ ଲାଗୁଥିବାର ଅଭିଯୋଗ ହେଉଛି । କିନ୍ତୁ ଖଣି ବିଭାଗ ପକ୍ଷରୁ ଏନେଇ କୌଣସି ଖୋଳତାଡ଼ କରାଯାଉନଥିବାରୁ ରାଜପଥ ତାହାକୁ ହଜମ କରି ଯାଉଥିବା ବେଳେ ଲୁଟେରା ଦଳ ଲକ୍ଷାଧିକ ଟଙ୍କା କମାଉଛନ୍ତି । ଯାହାର ବଡ଼ ଉଦାହରଣ ହେଲା ରେଙ୍ଗାଲି କେନାଲ । ସଂପୃକ୍ତ କେନାଲ ଖୋଳିବା ପରେ ବାହାରିଥିବା ମାଟି-ମୋରମକୁ ଠିକାସଂସ୍ଥା ପକ୍ଷରୁ ଡ଼ମ୍ପି କରାଯାଇଛି । ପାହାଡ଼ ଉଚ୍ଚର ଡ଼ମ୍ପି ହୋଇଥିବା ମାଟି-ମୋରମ ଲୁଟ ହୋଇ ରାଜପଥର କଳିଙ୍ଗନଗର ଥାନା ସମ୍ମୁ୍ଖ କୁହ କି ଅନତିଦୂରରେ ପକାଯାଇଛି । ହେଲେ ଆଶ୍ଚର୍ଯ୍ୟର କଥା ଥାନା ଆଗ ବା ଦୂରରେ ଶହଶହ ଟି୍ରପ୍ ଚୋରା ମାଟି, ମୋରମ ଗଦା ହୋଇଥିଲେ ବି ପୁଲିସ ହାତବାନ୍ଧି ବସିଛି । ରେଙ୍ଗାଲି କେନାଲରୁ ହଜାର ହଜାର ଟି୍ରପ୍ ମାଟି-ମୋରମ ନିର୍ମାଣଧିନ ରେଙ୍ଗାଲି କେନାଲରୁ ଚୋରି କରାଯାଇ ବିନିଯୋଗ କରାଯାଉଥିବା କଥାକୁ ଖଣି ବିଭାଗ ଯେଭଳି ଗୁରୁତର ସହ ନେବା କଥା ନେଇନି । ଏଣୁ ସଂଜରୁ ଭୋରଯାଏ ନଡିଆଭଙ୍ଗା ନିକଟରୁ ବେଧଡକ ମାଟି ମୋରମ ଉଠାଯାଉଛି । ଏଗୁଡିକୁ ବୋହୁଥିବା ଟ୍ରକ ଗୁଡିକ ଧାଡି ବାନ୍ଧି ଡୁବୁରୀ ଛକ ଦେଇ ଆସି ଠିକ୍ ଥାନା ଆଗରୁ ଟାଟା ମେଡିକା ହସ୍ପିଟାଲ ଯାଏଁ ରାସ୍ତା କଡରେ ଢାଳୁଛି । ଗତ ୪ ତାରିଖ ସଂନ୍ଧ୍ୟାରେ ଯାଜପୁର ସର୍କଲ ଖଣି ବିଭାଗର ଗୋଟିଏ ଟିମ୍ ରେଙ୍ଗାଲି କେନାଲରୁ ମାଟି ଚୋରା ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥିଲା ସତ ହେଲେ ଖବର ପାଇଯିବାରୁ ମାଫିଆ ଗାଡ଼ି ମେସିନ ଧରି ଚମ୍ପଟ ମାରିଥିଲେ । କୌଣସି ବିକାଶ ମୂଳକ କାର୍ଯ୍ୟରେ ଆବଶ୍ୟକ ହେଉଥିବା ମାଟିି-ମୋରମ ଲାଗୁ କିନ୍ତୁ ତାହା ବ୍ୟବସ୍ଥା ଭିତରେ ହେଲେ ସରକାରଙ୍କ ତହବିଲକୁ ରାଜସ୍ୱଯିବ । କିନ୍ତୁ ଏଠି ଚୋରାରେ କାରବାର କରାଯାଇ ସରକାରୀ ରାଜସ୍ୱ ଲୁଟ କରାଯାଉଛି ।