ବ୍ରହ୍ମପୁରରୁ ଅଯୋଧ୍ୟା ବାହାରିଲା ତୀର୍ଥଯାତ୍ରୀ ଟ୍ରେନ୍:  ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ 

 ବ୍ରହ୍ମପୁର : ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ୮୦୦ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଅଯୋଧ୍ୟା - ବାରଣାସୀକୁ ଯାତ୍ରା କରିଛି ତୀର୍ଥଯାତ୍ରୀ ଟ୍ରେନ । ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଟ୍ରେନ ଯାତ୍ରା କରୁଥିବା ବରିଷ୍ଠ ନାଗରିକଙ୍କ ଦେଖାଶୁଣା କରିବା ପାଇଁ ୨୫ ଜଣ ନୋଡ଼ାଲ ଅଫିସର, ଡ଼ାକ୍ତରୀ ଟିମ୍ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । 
  ବ୍ରହ୍ମପୁର ରେଳ ଷ୍ଟେସନରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନର ଶୁଭାରମ୍ଭ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସମ୍ମାନିତ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମସ୍ୟ ଓ ପ୍ରାଣୀ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ  ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସରୋଡା ବିଧାୟକ ନୀଳମଣି ବିଶୋଇ, ଚିକିଟି ବିଧାୟକ ମନୋରଞ୍ଜନ ଡ୍ୟାନ ସାମନ୍ତରା ପ୍ରମୁଖ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ  । ଏହି ଅବସରରେ ୮୦୦ ଜଣ ବରିଷ୍ଠ ନାଗରିକମାନେ କିଭଳି ଶାନ୍ତିଶୃଙ୍ଖଳାର ସହିତ ତୀର୍ଥ କରି ପୁଣି ବ୍ରହ୍ମପୁରକୁ ଫେରିବେ ସେ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ହାତକୁ ନିଆଯାଇଥିଲା । ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଖାଇବା, ପିଇବା ଠାରୁ ଆରମ୍ଭ କରି ବ୍ରହ୍ମପୁରରୁ ଅଯୋଧ୍ୟା ଓ ସେଠାରୁ ବାରଣାସୀ ପ୍ରାୟ ୧୦ଟି ପର୍ଯ୍ୟଟନ ସ୍ଥଳୀକୁ କିଭଳି ସୁରୁଖୁରୁରେ ବରିଷ୍ଠ ନାଗରିକମାନେ ଠାକୁରଙ୍କୁ ଦର୍ଶନ କରିବେ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସାମିଲ ହୋଇ ବିଭିନ୍ନ ସ୍ଥାନକୁ ଯାଇ ତୀର୍ଥ କରିପାରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।
 ଅଯୋଧ୍ୟା - ବାରଣାସୀକୁ ଯାତ୍ରା କରୁଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ ଆସନ୍ତା ୧୩ ତାରିଖରେ ପୁଣି ବ୍ରହ୍ମପୁରରେ ପହଞ୍ଚିବ ବୋଲି  ଜଣାପଡ଼ିଛି ।