ଲାହୋର୍ ଷ୍ଟାଡିୟମରେ ତ୍ରିରଙ୍ଗା ଉଡାଇଲେ ଯୁବକ: କଲର୍ ଧରି ଷ୍ଟାଡିୟମରୁ ଭିଡି ଭିଡି ଥାନାକୁ ନେଲେ

ଲାହୋର୍ ଷ୍ଟାଡିୟମରେ ତ୍ରିରଙ୍ଗା ଉଡାଇଲେ  ଯୁବକ: କଲର୍ ଧରି ଷ୍ଟାଡିୟମରୁ ଭିଡି ଭିଡି ଥାନାକୁ ନେଲେ

ଦୁବାଇ ମାଟିରେ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ଆୟୋଜନ ହେଲା । ଚାମ୍ପିୟନ୍ସ ଟ୍ରଫିର ପଞ୍ଚମ ମ୍ୟାଚରେ ବିଜୟର ମୁକୁଟ ପିନ୍ଧିଲା ଭାରତ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମ୍ୟାଚରେ ଚାଲିଥିବା ଖେଳରେ ବାଜିମାତ୍ କଲା ଭାରତ । ୬ ୱିକେଟ୍‌ରେ ଚିତପଟାଙ୍ଗ ହେଲା ପାକିସ୍ତାନ । କହିବାକୁ ଗଲେ ଦୁବାଇ ମାଟିରେ ମାଟି କାମୁଡିଲା ପାକିସ୍ତାନ । କିନ୍ତୁ ଭାରତୀୟ ତଥା ଭାରତୀୟ ଖେଳାଳି ପାକିସ୍ତାନୀଙ୍କୁ କେବେ ମଧ୍ୟ ଅସମ୍ମାନ କରିନାହାନ୍ତି । କ୍ରିକେଟର୍ ବିରାଟ୍ କୋହଲି ତ ବିରୋଧୀ ଦଳର ଖେଳାଳି ନସୀମ ଶାହଙ୍କ ଜୋତାର ଫିତା ବାନ୍ଧିବାକୁ ମଧ୍ୟ ପଛାଇନଥିଲେ । ନସୀମଙ୍କ ଜୋତାର ଫିତା ଖୋଲିଯାଇଥିବାରୁ ବିରାଟ୍ ସଙ୍ଗେ ସଙ୍ଗେ ଖେଳୁଆଡ ମନୋଭାବକୁ ଦେଖାଇ ଫିତା ବାନ୍ଧିଥିଲେ । ଯାହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ଏବଂ କ୍ରିକେଟପ୍ରେମୀ ମଧ୍ୟ ବିରାଟଙ୍କୁ ଏଥିପାଇଁ ଭୁରି ଭୁରି ପ୍ରଶଂସା କରିଥିଲେ । ଏ ଗଲା ଦୁବାଇ ମ୍ୟାଚ୍ ବେଳର କଥା ଯେଉଁଠି ଭାରତୀୟଙ୍କ ଆତିଥ୍ୟର ଝଲକ ଦେଖିଲା ପାକିସ୍ତାନ କିନ୍ତୁ ସୋସିଆଲ୍ ମିଡିଆରେ ଏବେ ଆଉ ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ଆପଣ କହିବେ , ‘କେବେ ସୁଧୁରି ପାରିବନି ପାକିସ୍ତାନ ।’ 

ବର୍ତ୍ତମାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରୁଛି ପାକିସ୍ତାନ । ପଡୋଶୀ ଦେଶର ତିନୋଟି ଷ୍ଟାଡିୟମ୍ ଲାହୋର୍ , କରାଚୀ , ରାୱଲପିଣ୍ଡିରେ ଚାମ୍ପିୟନ୍ସ ଟ୍ରଫିର ମ୍ୟାଚ୍ ଚାଲିଛି । ଆଉ ଏହାରି ଭିତରେ  ସୋସିଆଲ୍ ମିଡିଆରେ ମଧ୍ୟ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଏହି ସମୟରେ ଲାହୋରରେ ହେବାକୁ ଥିବା ଏକ ମ୍ୟାଚରେ ଜଣେ ଯୁବକ ତ୍ରିରଙ୍ଗା ପତାକା ଉଡାଉଥିବାର ନଜର ଆସିଥିଲେ । କହିବାକୁ ଗଲେ ସାହସୀ ଯୁବକ ଜଣକ ଶତ୍ରୁଦେଶ ପାକିସ୍ତାନରେ ଭାରତର ଧ୍ବଜା ଉଡ଼ାଇ ଭାରତୀୟଙ୍କ ହୃଦୟ ଜିତିନେଇଛନ୍ତି । କିନ୍ତୁ ନିଜ ପାଇଁ ଅଡୁଆ ଡାକିଆଣିଛନ୍ତି ।

କ୍ରିକେଟପ୍ରେମୀଙ୍କ ଖଚାଖଚ୍ ଭିଡ଼ ଭିତରେ ଜଣେ ଯୁବକ ଯେତେବେଳେ ତ୍ରିରଙ୍ଗା ପତାକା ଧରି ଉଡାଇଲେ ଉକ୍ତ ଯୁବକଙ୍କ ପାଖକୁ ସୁରକ୍ଷାକର୍ମୀ ବଗ ମାଛକୁ ଦେଖି ଦୌଡି ଆସିଲା ପରି ଦୌଡିଆସିଲେ ।  ହାତରୁ ପତାକା ଛଡ଼ାଇ ଯୁବକଙ୍କ କଲର୍ ଧରି ଷ୍ଟାଡିୟମ୍ ବାହାରକୁ ନେଇଗଲେ  । ଘଟଣାଟି ଏମିତି ରୂପ ନେଲା ଯେ ଶେଷରେ ଯୁବକଙ୍କୁ ପୁଲିସ୍ ଥାନାକୁ ଭିଡିନେଲା । ଏହି ଭିଡିଓଟି ଲାହୋରର ଗଦଦାଫୀ ଷ୍ଟାଡିୟମର ବୋଲି ସୂଚନା ମିଳୁଥିବା ବେଳେ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭିତରେ ମ୍ୟାଚ୍ ଚାଲିଥିଲା । 

ଏହାପୂର୍ବରୁ ଆଉ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ କରାଚୀ ଷ୍ଟାଡିୟମରେ ସବୁ ଦେଶର ପତାକା ଉଡୁଥିବାର ନଜର ଆସିଥିବା ବେଳେ କେବଳ ତ୍ରିରଙ୍ଗା ପତାକା ହିଁ ଦେଖିବାକୁ ମିଳିନଥିଲା । କିନ୍ତୁ ଏହି ପ୍ରସଙ୍ଗକୁ ନେଇ ବିବାଦ ଦେଖାଦେବା ପରେ ପାକିସ୍ତାନ ଷ୍ଟାଡିୟମରେ ଶେଷରେ ଫର ଫର ଉଡିଥିଲା ତ୍ରିରଙ୍ଗା ।