ଟ୍ରମ୍ପଙ୍କ ଫୁଟାଣିକୁ ଠାଏ

ନୂଆଦିଲ୍ଲୀରୁ ବିକାଶ ସ୍ୱାଇଁ : ଭାରତ-ପାକିସ୍ତାନ ଯୁଦ୍ଧବିରତିର ଶ୍ରେୟ ନେବାକୁ ହାଇଁପାଇଁ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ । ମୋ ଯୋଗୁଁ ଆଣବିକ ଯୁଦ୍ଧ ଅଟକିଗଲା । ମୁଁ ବାଣିଜି୍ୟକ କାରବାର ବନ୍ଦ କରିଦେବି ବୋଲି, ଭାରତ ଓ ପାକ୍କୁ ଚେତାବନୀ ଦେଇଥିଲି । ଏମିତି ପ୍ରଚାର କରୁଛନ୍ତି ଆମେରିକା ରାଷ୍ଟ୍ରପତି । କିନ୍ତୁ ଭାରତ ଆଜି ଟ୍ରମ୍ପଙ୍କ ଫୁଟାଣି ଭାଙ୍ଗିଦେଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛିଯେ, ବାଣିଜି୍ୟକ କାରବାର ନେଇ ଆମେରିକା ସହ କିଛି ବି ଆଲୋଚନା ହୋଇନାହିଁ । ସେହିପରି ଉଭୟ ଦେଶ ମଧ୍ୟରେ ଆଣବିକ ନୁହେଁ ବରଂ ପାରମ୍ପରିକ ଲଢ଼େଇ ହେଉଥିଲା ବୋଲି ସ୍ପଷ୍ଟ କରାଯାଇଛି । ଟ୍ରମ୍ପଙ୍କ ଆଗଚଲା ମନ୍ତବ୍ୟ ଏବେ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟିକରିଛି । ଭାରତରେ ବି ତାଙ୍କ ମନ୍ତବ୍ୟକୁ ନେଇ ନକରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଭାରତ-ପାକ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ସମୟରେ ଆମେରିକା ପ୍ରଶାସନ ସହ ଆଲୋଚନା ହୋଇଥିଲା । କିନ୍ତୁ ବାଣିଜ୍ୟ ପ୍ରସଙ୍ଗରେ କିଛି ବି ଆଲୋଚନା ହୋଇନାହିଁ । ମେ’ ୭ରୁ ମେ’ ୧୦ ମଧ୍ୟରେ କେବଳ ସାମରିକ ସ୍ଥିତି ନେଇ ଆଲୋଚନା ହୋଇଥିବା କୁହାଯାଇଛି । ସେହିପରି ଭାରତର ସାମରିକ ଆକ୍ରମଣରେ ଭୟଭୀତ ହୋଇ ପାକିସ୍ତାନ ପକ୍ଷରୁ ଯୁଦ୍ଧବିରତି ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଭାରତ ଆଣବିକ ବ୍ଳାକମେଲକୁ ଖାତିର କରେନାହିଁ । କିମ୍ବା ଆଣବିକ ଯୁଦ୍ଧ ପାଇଁ ଚାହିଁନଥିଲା । କେବଳ ଚିରାଚରିତ ବ୍ୟବସ୍ଥାରେ ହିଁ ଲଢ଼େଇ ହେଉଥିଲା ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି ।