ବଜ୍ରପାତରେ ବାପ ଝିଅଙ୍କ ସହ ଚାଲିଗଲା ମାଉସୀଙ୍କ ଜୀବନ

ଚାଷଜମିରେ କାମ କରୁଥିବା ସମୟରେ ହଠାତ୍‌ ବିଜୁଳି ମାରିବାରୁ ଗୋଟିଏ ଗ୍ରାମର ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହିପରି ଦୁଃଖଦ ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରି ଦେଇଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାବାଲି ପଞ୍ଚାୟତ ଅଧୀନରେ ରହିଥିବା କନ୍ଧପୁଟାବନ୍ଧ ଗ୍ରାମରେ ବସବାସ କରୁଥିବା ଗୋଟିଏ ପରିବାରର ବାପ-ଝିଅଙ୍କର ମୃତ୍ୟୁ ଘଟିଥିବା କରିଥିବା ସହ ଅନ୍ୟ ଜଣେ ସମ୍ପର୍କୀୟ ମାଉସୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ଉକ୍ତ ଗ୍ରାମର ଗେମେଲ କ୍ରିଷ୍ଣା, ଝିଅ ଗେମେଲ କମି ଓ ସ୍ତ୍ରୀ ଗେମେଲ ଓ୍ବାଲସି ପ୍ରମୁଖ ତିନି ଜଣ ନିଜ ଜମିରେ କାମ ସାରି ଘରକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସ୍ତ୍ରୀ ଓ୍ବାଲସି ଚାଲି ଚାଲି କିଛି ଦୂର ବାଟ ଚାଲି ଯାଇଥିଲେ । ଏହି ସମୟରେ ହଠାତ୍‌ ବର୍ଷା ହେବା ସହ ଘଡ଼ଘଡ଼ି ବିଜୁଳି ମାରିବା ଫଳରେ ବାପ କ୍ରିଷ୍ଣା ଏବଂ ଝିଅ କମି ଦୁହେଁ ଜମିର ନିକଟସ୍ଥ ଏକ ଗଛ ମୂଳକୁ ଯାଇ ଆଶ୍ରୟ ନେବା ସମୟରେ ବିଜୁଳି ଟି ଉକ୍ତ ଗଛ ଉପରେ ପଡ଼ିଥିଲା । ଯାହାଫଳରେ ସେହି ଗଛ ଉପରେ ପଡିଥିବା ବିଜୁଳି ଆଘାତରେ ବାପ-ଝିଅଙ୍କର ମୃତ୍ୟୁ ଘଟିଛି। ସେହିପରି ଅନୁରୂପ କିଛି ଦୂରରେ ନିଜ ଚାଷଜମିରେ କାମ କରୁଥିବା ଅନ୍ୟଜଣେ ଯଥା ଉପରୋକ୍ତ ମୃତ କ୍ରିଷ୍ଣାଙ୍କ ସମ୍ପର୍କୀୟ ମାଉସୀ ଗେମେଲ ତୁମ୍ବାଇ ମଧ୍ୟ ବର୍ଷା ଘଡ଼ଘଡ଼ି ବିଜୁଳିରୁ ନିଜକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏହିପରି ଦୁଃଖଦ ଘଟଣାର ଖବର ପାଇ ଉକ୍ତ ପଞ୍ଚାୟତର ପେଦାପାଡୁ ଗ୍ରାମର ଜଣେ ସମାଜସେବୀ ସୁବାସ ଗାଲୁଙ୍ଗୁ ବୋଇ ଏବଂ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ
ଘଟଣା ଅନୁଧ୍ୟାନ କରି ସହଯୋଗର ହାତ ବଢ଼ାଇ ମୃତକ ତିନି ଜଣଙ୍କୁ ପଟ୍ଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇବା ପାଇଁ ବ୍ୟବସ୍ଥା କରିଥିଲେ। ସେହିପରି ଜୋନ୍‌ ୨ ଜିଲାପରିଷଦ ସଭ୍ୟ ଲଇଚନ ଖରା ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କ ସହ ଆଲୋଚନା କରି ମୃତଙ୍କ ପରିବାରକୁ କିପରି ସରକାରୀ ସହାୟତା ମିଳିବ ସେନେଇ ଆଲୋଚନା କରିଥିଲେ। ଏନେଇ ତହସିଲଦାର ଧାରୁଆଙ୍କୁ ପଚାରିବାରୁ ମୃତକ ତିନି ଜଣଙ୍କ ବ୍ୟବଚ୍ଛେଦ ହେବା ପରେ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ତଦନ୍ତ ରିପୋର୍ଟ କିପରି ତୁରନ୍ତ ପ୍ରସ୍ତୁତ ହୋଇ ପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ଏବଂ ନିୟମ ଅନୁସାରେ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ସୂଚନା ଥାଉକି, ବିଜୁଳି ମାରିବା ପ୍ରଭାବରୁ ମୃତ କ୍ରିଷ୍ଣାଙ୍କ ସ୍ତ୍ରୀ ଓ୍ବାଲସି ଏବଂ ଅନ୍ୟଜଣେ ହନ୍ତାଳ ରମେଶ ଅଳ୍ପ୍‌କେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।