UPI ପେମେଣ୍ଟ ନେଇ ବଡ଼ ଖବର: ଭିନ୍ନ ଭିନ୍ନ ଟ୍ରାଞ୍ଜାକସନ୍ ପାଇଁ ଦେବାକୁ ପଡିପାରେ ଶୁଳ୍କ

ଦିନ ଥିଲା ଲୋକ କିଛିବି କିଣିବା ପାଇଁ ପକେଟରେ ଟଙ୍କା ନେଇ ଯାଉଥିଲେ । ଏବେ ସମୟ ବଦଳିଛି, ଆଉ ସମୟ ବଦଳିବା ସହ ପେମେଣ୍ଟ ସିଷ୍ଟମ ବି ବଦଳିଛି । ଏବେ ଆଉ ଲୋକେ କ୍ୟାସ୍ ଦେଇ ଜିନିଷ କିଣୁ ନାହାନ୍ତି । ପାଖରେ ମୋବାଇଲ୍ ଅଛି ତ ପକେଟରେ ଟଙ୍କା ବି ଅଛି । ମାନେ ଆମେ କହୁଛୁ ୟୁପିଆଇ ପେମେଣ୍ଟ କଥା... ଦୋକାନ ହେଉ କି ସୋ’ରୁମ୍ ବା ଅନ୍ୟ କିଛି ଜିନିଷ କିଣ ମୋବାଇଲରୁ ହିଁ ପେମେଣ୍ଟ କରିହେଉଛି । ୟୁପିଆଇ ଦ୍ୱାରା ପେମେଣ୍ଟ ସହଜ ହୋଇଥିବାରୁ ଲୋକେ ଘରେ ବସି ବି ଅତି ସହଜରେ ସବୁ କିଛି କିଣି ପାରୁଛନ୍ତି ଏବଂ ବିଲ୍ ପେମେଣ୍ଟ କରିପାରୁଛନ୍ତି । ଯେପରିକି ଇଲେକ୍ରିକ୍ ବିଲ୍, ଗ୍ୟାସ୍ ବିଲ୍, ଡିଟିଏଚ୍ ରିଚାର୍ଜ, ଏଲଆଇସି ପେମେଣ୍ଟ୍ ଭଳି ପେମେଣ୍ଟ ଅତି ସହଜରେ ଲୋକେ ଘରେ ବସି କରିପାରୁଛନ୍ତି । ଆଉ ଏହି ସେବା ପାଇଁ କୌଣସି ଶୁଳ୍କ ବି ଦେବାକୁ ପଡୁନଥିଲା । କିନ୍ତୁ ଏଣିକି ଭିନ୍ନ ଭିନ୍ନ ପେମେଣ୍ଟ ପାଇଁ ଶୁଳ୍କ ଦେବାକୁ ପଡିପାରେ ।
ପ୍ରତିଦିନ ୬୦ରୁ ୮୦ ପ୍ରତିଶତ ନେଣଦେଣ ୟୁପିଆଇ ପେମେଣ୍ଟ ଦ୍ୱାରା ହେଉଛି । ପ୍ରତିଦିନ କୋଟି କୋଟି ଟଙ୍କା ଟ୍ରାଞ୍ଜାକସନ୍ ହେଉଛି । ଦେଶରେ ଅନେକ କମ୍ପାନୀ ୟୁପିଆଇ ସିଷ୍ଟମ ଆରମ୍ଭ କରିଛନ୍ତି, କିନ୍ତୁ ଫୋନ ପେ, ଗୁଗୁଲ ପେ ଏବଂ ପେଟିଏମ୍ ସବୁଠୁ ଅଧିକ ବ୍ୟବହାର ହେଉଛି । ଏହି ସବୁ କମ୍ପାନୀ ୟୁପିଆଇ ଟ୍ରାଞ୍ଜାକସନ୍ ପାଇଁ କୌଣସି ଶୁଳ୍କ ନେଉନଥିଲେ । କିନ୍ତୁ ଏଣିକି ଭିନ୍ନ ଭନ୍ନ ଟ୍ରାଞ୍ଜାକସନ୍ ପାଇଁ ଦେୟ ଦେବାକୁ ପଡିପାରେ ।
ପୂର୍ବରୁ ୟୁପିଆଇ ଦ୍ୱାରା ମୋବାଇଲ୍ ରିଚାର୍ଜ ପାଇଁ ଶୁଳ୍କ ଦେବାକୁ ପଡୁନଥିଲା । ଏବେ କିନ୍ତୁ ମୋବାଇଲ୍ ରିଚାର୍ଜ ପାଇଁ ଶୁଳ୍କ ଦେବାକୁ ପଡୁଛି । ସେହିପରେ ବର୍ତ୍ତମାନ ଭିନ୍ନ ଭିନ୍ନ ପେମେଣ୍ଟ ଉପରେ ଶୁଳ୍କ ଦେବାକୁ ପଡିବ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଆଧାରରେ, ଗୁଗୁଲ ପେ... ଇଲେକ୍ଟ୍ରିକ୍ ବିଲ୍ ପୈଠ ଉପରେ କନବିନିୟନ୍ସ ଫି ନେଇଛି । ଗ୍ରାହକଙ୍କଠୁ ୧୫ଟଙ୍କା ଶୁଳ୍କ ନେଇଛି ଗୁଗୁଲ-ପେ । ୟୁଜର୍ସ ଜଣକ କ୍ରେଡିଟ୍ କାର୍ଡର ସାହାଯ୍ୟ ନେଇ ଗୁଗୁଲ-ପେରୁ ବିଲ୍ ପୈଠ କରିଥିଲେ । ଯେଉଁଥିପାଇଁ ତାଙ୍କୁ ୧୫ଟଙ୍କା ଚାର୍ଜ ଦେବାକୁ ପଡିଛି, ଏଥିରେ ଜିଏସଟି ବି ସାମିଲ ରହିଛି । ତେବେ ଗୁଗୁଲ ପେ ଏହି ଶୁଳ୍କକୁ, ଡେବିଟ୍ କାର୍ଡ ଓ କ୍ରେଡିଟ କାର୍ଡ ଟ୍ରାଞ୍ଜାକସନ୍ ପ୍ରୋସେସିଂ ଫି ଦର୍ଶାଇଛି । ତେଣୁ ଆଗାମୀ ଦିନରେ ଭିନ୍ନ ଭିନ୍ନ ୟୁପିଆଇ ଟ୍ରାଞ୍ଜାକସନ୍ ପାଇଁ ଶୁଳ୍କ ଦେବାକୁ ପଡିପାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।