ସମସ୍ୟା ଘେରରେ ସମାଡ଼ପଦର ବିଦ୍ୟାଳୟ
ନୂଆପଡ଼ା: ଶିକ୍ଷା ମଣିଷକୁ ଆଗେଇ ନେବାରେ ସହଯୋଗ କରିଥାଏ । ତେଣୁ ସରକାର ଶିକ୍ଷାର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି । ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରାଥମିକ ଶିକ୍ଷା ପାଇବା ଶିଶୁର ଏକ ମୌଳିକ ଅଧିକାର । କିନ୍ତୁ ପ୍ରଶାସନିକ ଉଦାସୀନତା ଯୋଗୁଁ ଅନେକ ସ୍ଥାନରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି ।
କାରଣ ଶ୍ରେଣୀ ଗୃହର ଅଭାବ ସାଙ୍ଗକୁ ନାନାଦି ସମସ୍ୟା ଦେଇ ବିଦ୍ୟାଳୟ ଗତି କରିଥାଏ । ଏପରି ଦେଖିବାକୁ ମିଳିଛି ଖଡ଼ିଆଳ ବ୍ଲକ ରାନିମୁଣ୍ଡା ଗ୍ରାମ ପଞ୍ଚାୟତର ସମାଡ଼ପଦର ବିଦ୍ୟାଳୟରେ । ସ୍କୁଲରେ ପାଞ୍ଚଟି କୋଠରୀ ଥିବାବେଳେ ଚାରିଟି କୋଠରୀ ଭାଙ୍ଗିରୁଜୁ ଯାଇଥିବାବେଳେ ଛାତରୁ ପାଣି ଝରୁଛି । ଯାହାଫଳରେ ବର୍ଷା ଦିନରେ ଗୋଟିଏ କୋଠରୀରେ ସବୁ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ଅନ୍ୟ ଦିନ ଦୁଇଟି କୋଠରୀ ଓ ବାରଣ୍ଡାରେ ପାଠ ପଢ଼ାଯାଏ । ଏଥିରୁ ଅନୁମାନ କରାଯାଏ ପିଲାମାନେ କେମିତି ଶିକ୍ଷା ପାଉଛନ୍ତି ? ଖାଲି ଶ୍ରେଣୀଗୃହ ନୁହେଁ, ବିଦ୍ୟାଳୟରେ ପାଣି ସମସ୍ୟା ରହିଥିବା ବେଳେ ପାଚେରୀ ନ ଥିବାରୁ ଅସୁବିଧା ହେଉଛି । କାରଣ ସମାଡ଼ପଦର ଗାଁ ଏକ ଜଙ୍ଗଲ ଭିତର ଗାଁ, ଏହି ଗାଁରେ ହିଂସ୍ରଜନ୍ତୁଙ୍କ ଭୟ ରହିଥାଏ ।
ଏକ ବର୍ଷ ତଳେ ଏକ ଦନ୍ତା ହାତୀ ଏହି ଜଙ୍ଗଲକୁ ଆସିଥିଲା । ପାଚେରୀ ନଥିବାରୁ ହିଂସ୍ରଜନ୍ତୁଙ୍କ ଭୟ ରହିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟ ସମସ୍ୟା ହେଲା ଗାଁକୁ ରାସ୍ତା ନାହିଁ । ପାହାଡ଼ି ରାସ୍ତା ପାର ହୋଇ ଚାରି କିଲୋମିଟର ଓହ୍ଲାଇଲେ ଅନ୍ୟ ଗାଁକୁ ଯିବାକୁ ପଡ଼ିଥାଏ । ତେଣୁ ଅଷ୍ଟମ ପାସ ପରେ ଅନେକ ଶିଶୁ ଆଉ ପାଠ ପଢ଼ନ୍ତି ନାହିଁ । ତେବେ ଏହି ସବୁ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଶୀଘ୍ର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।