ଓଡ଼ିଶାରେ ଲକ୍ଷେ କୋଟି ନିବେଶ କରିବ ବେଦାନ୍ତ

vedant odisha govt

ଓଡ଼ିଶାରେ ଲକ୍ଷେ କୋଟି ନିବେଶ କରିବ ବେଦାନ୍ତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନୀଲ ଅଗ୍ରୱାଲ୍‌ ଓ ସଜ୍ଜନ ଜିନ୍ଦଲ
ରାଜ୍ୟରେ ହେବ ଆଲୁମିନିୟମ୍‌ ରିଫାଇନାରୀ ଓ କାରଖାନା

ଭୁବନେଶ୍ୱର : ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ  । ଏହାଦ୍ୱାରା ୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ  । ଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ ବେଦାନ୍ତ ୧ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ସହ ୧ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି  । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ବେଦାନ୍ତର ମୁଖ୍ୟ ଅନୀଲ୍‌ ଅଗ୍ରୱାଲ ଏହା କହିଛନ୍ତି  । ସେହିପରି ଇଭି ପ୍ରକଳ୍ପ ନେଇ ସଜ୍ଜନ ଜିନ୍ଦଲଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି  ।

ବେଦାନ୍ତ ଟେଣ୍ଡର ମାଧ୍ୟମରେ ସିଜିମାଳି ଖଣି ପାଇଛି  । ଯେଉଁଠାରେ ବିପୁଳ ପରିମାଣର ବକ୍ସାଇଟ୍‌ ଗଚ୍ଛିତ ରହିଛି । ମେକ୍‌ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ ରୋଡ୍‌ ସୋ'ରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପ୍ରତିନିଧିଦଳ ସହ ଆଲୋଚନାବେଳେ ବେଦାନ୍ତ ଲିମିଟେଡ୍‌ ୧ ଲକ୍ଷ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ଘୋଷଣା କରିଛି । ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ ସବୁଜ ଆଲୁମିନିୟମ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ବାର୍ଷିକ ୬ ନିୟୁତ ଟନ୍‌ ଆଲୁମିନିୟମ ରିଫାଇନାରୀ ଓ ୩ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ଆଲୁମିନିୟମ କାରଖାନା ପ୍ରତିଷ୍ଠା ଦିଗରେ ଏହି ପୁଞ୍ଜିନିବେଶ ହେବ  । 

ଅଟୋ, ଶକ୍ତି, ର୍ନିମାଣ ଏବଂ ରେଲୱେ ଭଳି ଶତାଧିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଆଲୁମିନିୟମର ଅଧିକ ପ୍ରୟୋଗ ହେଉଥିବାରୁ ଆନୁଷଙ୍ଗିକ ଶିଳ୍ପ ପାଇଁ ଏକ ବିଶାଳ ଶିଳ୍ପ କମ୍ପେ୍ଲକ୍ସ ସୃଷ୍ଟି କରିବ  । ୨୦୩୦ ସୁଦ୍ଧା ଅଧା ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିବା ଲକ୍ଷ୍ୟ ନେଇ ଓଡ଼ିଶା ଅଗ୍ରସର ହେଉଥିବା ବେଳେ ବେଦାନ୍ତ ଝାରସୁଗୁଡ଼ା ଭଳି ରାୟଗଡ଼ାକୁ ଏକ ଉଚ୍ଚ ବିକଶିତ ଅଞ୍ଚଳ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛି  । ଓଡ଼ିଶା ସରକାରଙ୍କ ସହଯୋଗରେ ବେଦାନ୍ତ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ଦକ୍ଷତା ବିକାଶ କେନ୍ଦ୍ର ଓ ନନ୍ଦଘର ପ୍ରତିଷ୍ଠା କରି ରାଜ୍ୟବାସୀଙ୍କୁ ଉପକୃତ କରିବ  । 

ଓଡ଼ିଶାରେ ଏହା ହେବ କମ୍ପାନୀର ସର୍ବବୃହତ୍‍ ପୁଞ୍ଜିନିବେଶ ଯାହା ୧ ହଜାର ଏମ୍‌ଏସ୍‌ଏମ୍‌ଇ ପାଇଁ ସୁଯୋଗ ସୃଷ୍ଟି ସହିତ ୨ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ  । ଆଲୁମିନିୟମ ଭବିଷ୍ୟତର ଭିତ୍ତିଭୂମି ହୋଇଥିବାରୁ ୨୦୩୦ ସୁଦ୍ଧା ଆଲୁମିନିୟମ୍‌ର ଚାହିଦା ସମାନ ଭାବରେ ବୃଦ୍ଧି ପାଇବ  ।