କେନ୍ଦ୍ରାପଡା କଲେଜ ରାସ୍ତା ନିର୍ମାଣରେ ଦୁର୍ନୀତି  : ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ୬୦ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ସିମେଣ୍ଟ କଂଙ୍କ୍ରିଟ ରାସ୍ତା ନିର୍ମାଣ ଦୁର୍ନୀତିର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବୈଷୟିକ ଟିମ କଲେଜ ପରିସରରେ ଶନିବାର ପହଞ୍ଚô ତଦନ୍ତ କରିଛନ୍ତି । ଡିଏସପି ଭିଜିଲାନ୍ସ ଭାଗ୍ୟଲକ୍ଷ୍ମୀ ପୁହାଣଙ୍କ ନେତୃତ୍ୱରେ ଏହି ବୈଷୟିକ ଟିମ ମହାବିଦ୍ୟାଳୟ ପରିସରରେ ପହଞ୍ଚô ସିମେଣ୍ଟ କଂକ୍ରିଟ ରାସ୍ତାର ଭିନ୍ନ ଭିନ୍ନ ସ୍ଥାନକୁ ମେସିନ ସହାୟତାରେ ଖୋଳି ସାମ୍ପୁଲ ସଂଗ୍ରହ କରିଥିଲେ । ଏହି ଟିମରେ ରାଜ୍ୟ ସରକାରଙ୍କ ମାନ ନିଶ୍ଚିତତା ବିଭାଜନ କାର୍ଯ୍ୟାଳୟର ଭ୍ରାମ୍ୟମାଣ ପରୀକ୍ଷଣ ଯାନରେ ଆସିଥିବା ଯନ୍ତ୍ରୀ ଓ ଟେକନିସିଆନମାନେ ସିସିରୋଡର ଭିନ୍ନ ଭିନ୍ନ ସ୍ଥାନକୁ ଖୋଳି ସେଠାରୁ ସାମ୍ପୁଲ ସଂଗ୍ରହ କରିଥିଲେ । ସେହି ରାସ୍ତା ନିର୍ମାଣରେ ପ୍ରାୟ ୧୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୫୦ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ବିଲ କରି ଉଠାଇ ନିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଭିଜିଲାନ୍ସ ବିଭାଗକୁ ପଠାଇ ଦେବା ସହ ତାହା ଉପରେ ତଦନ୍ତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ସେହି ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ କରାଯାଇଛି ।  ଭିଜିଲାନ୍ସ ଡିଏସପି ଶ୍ରୀମତୀ ପୁହାଣ ପୂର୍ବରୁ ମଧ୍ୟ କଲେଜ ପରିସରକୁ ଆସି ସେହି ରାସ୍ତାର ମାପଚୂପ କରିବା ସହ କେତେକ ତଥ୍ୟ ସଂଗ୍ରହକରି ଫେରିଯାଇଥିଲେ । ସେହି ରାସ୍ତା ନିର୍ମାଣ କାର୍ଯ୍ୟରେ ସଂପୃକ୍ତ ଥିବା କର୍ମଚାରୀଙ୍କୁ ପୂର୍ବରୁ ନୋଟିସ ପଠାଯାଇଥିଲା ଓ ସେ ଆଜି ତଦନ୍ତ ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସୂଚନା ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଭିଜିଲାନ୍ସ ବିଭାଗ ପକ୍ଷରୁ କଲେଜକୁ ବିଭିନ୍ନ ସମୟରେ ରେକର୍ଡପତ୍ର ମଗାଯାଇଥିଲେ ମଧ୍ୟ କଲେଜ ସହଯୋଗ ନକରିବା ଓ ରେକର୍ଡପତ୍ର ନଦେବାରୁ ତଦନ୍ତ ଆଗେଇ ପାରୁନଥିଲା । କିନ୍ତୁ ବର୍ତ୍ତମାନର ଅଧ୍ୟକ୍ଷ ଭିଜିଲାନ୍ସ ବିଭାଗକୁ ଆବଶ୍ୟକ ସହଯୋଗ କରିବା ଯୋଗୁଁ ତଦନ୍ତ ଆଗେଇ ଚାଲିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଅଧ୍ୟାପକ ଗୋପାଳ ବେହେରା କଲେଜ ଅଧ୍ୟକ୍ଷ ଥିବା ବେଳେ ଏହି ନିମ୍ନମାନର ସିସିରୋଡ ନିର୍ମାଣ କରାଯାଇଥିଲା  ।