ଧାନକିଣା ନେଇ ମନ୍ତ୍ରୀ ସମୂହ ବୈଠକ

ଭୁବନେଶ୍ୱର : ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଧାନକିଣା ନେଇ ମନ୍ତ୍ରୀ ସମୂହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୂଜାଙ୍କ ସମେତ ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବେଢଠକରେ ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନକିଣା ଲକ୍ଷ୍ୟ ୬୫ ଲକ୍ଷ ମେଟ୍ରିକ୍ ଟନ୍ରୁ ୭୭ ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ସହ  ୮୦୦ ଟଙ୍କାର ଇନ୍ପୁଟ ସହାୟତା ପ୍ରଦାନ କରାଯାଉଥିବାରୁ ଧାନକିଣାରେ ଅଧିକରୁ ଅଧିକ ଚାଷୀ ଭାଗନେବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି । ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବୈଠକରେ ଧାର୍ଯ୍ୟ ଲକ୍ଷ୍ୟକୁ ବୃଦ୍ଧି କରାଯାଇଛି । ବୈଠକର ପ୍ରାରମ୍ଭରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଚଳିତ ବର୍ଷ ଖରିଫ ଧାନକିଣା ସମ୍ପର୍କରେ ବୈଠକରେ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ, କୃଷି ନିଦେ୍ର୍ଦଶକ ପ୍ରେମଚନ୍ଦ୍ର ଚୌଧୁରୀ, ରାଜ୍ୟ ଖାଦ୍ୟଯୋଗାଣ ନିଗମର ପରିଚାଳନା ନିଦେ୍ର୍ଦଶକ ଶୁଭମ୍ ସକ୍ସେନା ପ୍ରମୁଖ ଉପସ୍ଥିତ ଥିଲେ ।