ମେ ୧୩ରେ ଓଡ଼ିଶା ରେ ଭୋଟ : ୪ ଲୋକସଭା ଏବଂ ୨୮ ବିଧାନସଭା ଆସନ

ମେ ୧୩ରେ ଓଡ଼ିଶା ରେ ଭୋଟ : ୪ ଲୋକସଭା ଏବଂ ୨୮ ବିଧାନସଭା ଆସନ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ୟ୍ୟାୟ ଭୋଟ ଗ୍ରହଣ ଆସନ୍ତା ମେ ୧୩ ତାରିଖରେ । ଏହି ପର୍ୟ୍ୟାୟରେ ମୋଟ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ଭୋଟର ନିଜ ପ୍ରତିନିଧି ବାଛିବାକୁ ଯାଉଛନ୍ତି। ଏଥିପାଇଁ ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ନିର୍ବାଚନ କମିସନ ଧାର୍ୟ୍ୟ କରିଥିବା ସମୟସୀମା ଅନୁଯାୟୀ, ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ମତଦାନ ପାଇଁ ଆଜି ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ଆଜି ଠାରୁ ବିଧିବଦ୍ଧ ଭାବେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୨୫ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ଧାର୍ୟ୍ୟ କରାଯାଇଛି। ୨୬ ତାରିଖରେ ନାମାଙ୍କନ ଯାଞ୍ଚ ହେବାକୁ ଥିବାବେଳେ ୨୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ଭାବେ ଧାର୍ୟ୍ୟ କରାଯାଇଛି। ଏହି ପର୍ୟ୍ୟାୟରେ ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଲୋକସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେବ। ଉପରୋକ୍ତ ୪ ଲୋକସଭା କ୍ଷେତ୍ର ଅନ୍ତର୍ଗତ ୨୮ ଆସନ ପାଇଁ ମଧ୍ୟ ଜନସାଧରାଣ ନିଜ ପ୍ରତିନିଧି ବାଛିବେ। ସେହିପରି ମତଦାନ ହେଉଥିବା ବିଧାନସଭା ଆସନ ମଧ୍ୟରେ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ନୂଆପଡ଼ା, ଖଡିଆଳ, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା, ନର୍ଲା, ଗୁଣପୁର, ବିଷମ କଟକ ରହିଛି। ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗୀ, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ମଧ୍ୟ ଆସନ୍ତା ମେ ୧୩ ତାରିଖରେ ଭୋଟ ଗ୍ରହଣ ହେବାକୁ ଯାଉଛି।