ହୋମ୍ ଓ ପୋଷ୍ଟାଲ୍ ଭୋଟିଂ ପ୍ରକ୍ରିୟା

କେନ୍ଦ୍ରାପଡ଼ା: ଜିଲ୍ଲାରେ ଜାରି ରହିଛି ହୋମ୍ ଭୋଟିଂ ଓ ପୋଷ୍ଟାଲ୍ ବାଲାଟ୍ ପ୍ରକ୍ରିୟା । ସମ୍ପୂର୍ଣ୍ଣ ଗୋପନୀୟତା ରକ୍ଷା ସହ ପ୍ରଥମ ଦିନରେ ୮୫ ବର୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ ଓ ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମତା ବର୍ଗରେ ମୋଟ୍ ୨୧୬ଜଣ ଜଣ ଭୋଟର୍ ମତଦାନ କରିଥିବା ବେଳେ ଶନିବାର ୩୬୦ଜଣ ମତଦାନ କରିଥିଲେ । ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରର ପଞ୍ଜିକୃତ କରିଥିବା ଭୋଟର୍ଙ୍କ ମଧ୍ୟରୁ ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମତା ବର୍ଗରେ ମୋଟ୍ ୨୩୪ ଜଣ ଓ ୮୫ ବର୍ଷରୁ ଅଧିକ ବୟସ୍କ ବର୍ଗରେ ୭୯୩ଜଣ ଭୋଟ୍ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ହୋମ୍ ଭୋଟିଂ ପ୍ରକ୍ରିୟାକୁ ଶୃଙ୍ଖଳିତ, ତ୍ରୁଟିହୀନ ଓ ନିରପେକ୍ଷ ଭାବେ ସମ୍ପାଦନ କରିବା ପାଇଁ ମୋଟ୍ ୨୧ଟି ଦଳ ଜିଲ୍ଲା ନିର୍ବାଚନ ଅଧିକାରୀ ଗଠନ କରିଥିଲେ । ପ୍ରତ୍ୟେକ ଦଳରେ ପ୍ରିଜାଇଡିଙ୍ଗ୍ ଅଫିସର, ପୋଲିଂ ଅଧିକାରୀ, ମାଇକ୍ରୋ ଅବଜରଭର, ସଶସ୍ତ୍ର ପୁଲିସ୍, ଭିଡିଓ ଗ୍ରାଫର୍ ଏହିପରି ୫ଜଣ ରହିଥିଲେ । ନିର୍ବାଚନର ମହାପର୍ବରେ ସମସ୍ତ ଭୋଟର୍ଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ଭାରତର ନିର୍ବାଚନ ଆୟୋଗ ଏହି କ୍ରାନ୍ତିକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଜରୁରୀ ସେବାରେ ଥିବା ଅନୁପସ୍ଥିତ ଭୋଟର୍ମାନଙ୍କ ଭୋଟଗ୍ରହଣ ଜିଲ୍ଲାରେ ଆଜିଠୁ ଆରମ୍ଭ ହୋଇଛି । ସେହିପରି ଜୁନ୍ ୧ ତାରିଖରେ ଭୋଟ୍ଗ୍ରହଣ ସେବାରେ ପଡ଼ିଥିବା ପୋଲିଂ ପର୍ସୋନେଲ୍ମାନଙ୍କ ମଧ୍ୟରୁ ପ୍ରଥମ ଦିନରେ ୭୩୧ ଜଣ ଓ ଦ୍ୱିତୀୟ ଦିନରେ ୧୩୫୮ଜଣ ଭୋଟର୍ ମତଦାନ କରିଛନ୍ତି । ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ, ଡେରାବିଶର ସୁଦର୍ଶନ ଉଚ୍ଚବିଦ୍ୟାଳୟ, ଇଚ୍ଛାପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହେଉଥିବା ପ୍ରଶିକ୍ଷଣ ସମୟରେ ପ୍ରଥମ ଦୁଇ ଦିନରେ ୨୦୮୯ଜଣ ମତଦାନ କରିଛନ୍ତି ।