ପାଣି ପାଇଁ ୱାଟକୋ ଯନ୍ତ୍ରୀଙ୍କୁ ଘେରିଲେ ଖାଉଟି
ବ୍ୟାସନଗର : ଗ୍ରୀଷ୍ମପ୍ରବାହ ଦିନକୁ ଦିନ ଯେତିକି ବଢୁଛି ବ୍ୟାସନଗର ପୌରାଞ୍ଚଳର ଜଳ ସମସ୍ୟା ସେତିକି ଉକôଟ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟିଆ ପାଣି ସହରବାସୀଙ୍କୁ ଦେବା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ୱାଟକୋର ମନମାନି ଯୋଗୁ ଫେଲ ମାରିଛି । ୨୪ଘଣ୍ଟିଆ ପାଣି ଯୋଗାଣ ଘୋଷଣା ପରେ ଜନତାଙ୍କ ମଧ୍ୟରେ ଯେଉଁ ଉତ୍ସାହ ଦେଖିବାକୁ ମିଳିଥିଲା ତାହାତ ଉଭାଇ ଯାଇଛି ଓଲଟି ଖାଉଟି ପାଣି ନପାଇ ହନ୍ତସନ୍ତ ହେବାରେ ଲାଗିଛନ୍ତି ।
ଖାଉଟିଙ୍କ ନିହାତି ଆବଶ୍ୟକତା ପୂରଣ କରିବାରେ ବିଫଳ ୱାଟକୋ କର୍ମଚାରୀଙ୍କୁ ଘେରିବା ଯାଏ ଯାଉଛି । ବୁଧବାର ଏଭଳି ଦୃଶ୍ୟ ୨୧ନମ୍ବର ୱାର୍ଡ ସନ୍ତରା ଗାଁରେ ଦେଖିବାକୁ ମିଳିଥିଲା । ଗାମବାସୀ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ସମୟରେ ବିଭାଗୀୟ କର୍ମଚାରୀଙ୍କୁ ପାନୀୟ ଜଳ ସମସ୍ୟା ବିଷୟରେ ଅବଗତ କରିଥିଲେ । ହେଲେ କର୍ମଚାରୀସନ୍ତରା ଗାଁକୁ ପାଣି ଦିଆଯିବ ନାହିଁ ବୋଲି ରୋକଠୋକ ଜଣାଇ ଦେଇଥିଲେ । ଏହା ଶୁଣିବା ପରେ ଗାଁ ଲୋକେ ଉତ୍ୟକ୍ତ ହୋଇ ପଡ଼ିଥିଲେ । ଖରାରେ ଗ୍ରାମବାସୀ ଏକାଠି ହୋଇ କର୍ମଚାରୀ ବା ଯନ୍ତ୍ରୀଙ୍କୁ ଘେରାଉ କରିଥିଲେ । ଖବର ପାଇ ସହକାରୀ ମ୍ୟାନେଜର ବିଚିତ୍ର ନନ୍ଦ ପୁହାଣ ଘଟଣାସ୍ଥଳରେ ପହଁଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ହେଲେ ଗ୍ରାମବାସୀ ପାନୀୟଜଳ ସମସ୍ୟା ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଦାବି ଜଣାଇବା ସହ ତାଙ୍କୁ ମଧ୍ୟ ଘେରି ରହିଥିଲେ । ପାଣି ସମସ୍ୟା ସମାଧାନ କର ନହେଲେ ଏଠି ରୁହ ବୋଲି କହିଥିଲେ । ସରକାର ଘରେ ଘରେ ସ୍ୱଚ୍ଛ ପାନୀୟଜଳ ଯୋଗାଇ ଦେଉଥିବା ବୋର୍ଡ ମାରୁଥିବା ବେଳେ ଏହେଉଛି ତାର ପ୍ରକୃତ ଚିତ୍ର । ତେବେ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାପରେ ବିଭାଗୀୟ ଅଧିକାରୀଙ୍କୁ ଛାଡିଲେ ଖାଉଟି ।