ରଦ୍ଦ ହେଲା ୮ ୱାର୍ଡ଼ ମେମ୍ବରଙ୍କ ସଭ୍ୟ ପଦ

 ଯାଜପୁର ଟାଉନ: ବରୀ ବ୍ଲକ ଅଙ୍ଗାଳୋ ପଞ୍ଚାୟତର ୮ଜଣ ୱାର୍ଡ଼ ମେମ୍ବରଙ୍କ ସଭ୍ୟ ପଦ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ରଦ୍ଦ କରିଛନ୍ତି । ସୂଚନା ଅନୁଯାୟୀ ସଂପୃକ୍ତ ପଞ୍ଚାୟତର ୱାର୍ଡ଼ ନଂ. ୩, ୪, ୮, ୯, ୧୦, ୧୧, ୧୨ ଓ ୧୪ର ୱାର୍ଡ଼ ମେମ୍ବର ଯଥାକ୍ରମେ ରାମଚନ୍ଦ୍ର ଧଳ, ସ୍ମିତା ରାଣୀ ସାମଲ, ସୁକାନ୍ତି ସାମଲ, ଦମୟନ୍ତୀ ସାମଲ, ମହେଶ୍ୱର ସେଠୀ, ଶ୍ରୀଧର ରାଉତ, ରମେଶ ବେହେରା ଓ ରଞ୍ଜନ କୁମାର ଜେନା ନୋଟିସ ପାଇଥିବା ସତ୍ତ୍ୱେ ପଞ୍ଚାୟତର ଲଗାତର ଭାବରେ ତିନୋଟି ତାରିଖ ଯଥା ୨୧.୧୨.୨୦୨୪, ୩୦.୦୧.୨୫ ଓ ୨୭.୦୨.୨୫ ରେ ଯୋଗ ଦେଇନଥିଲେ । ସଭାରେ ଯୋଗ ନ ଦେଇ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ବାଧା ଦେଉଥିଲେ । ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ସଂପୃକ୍ତ ପଞ୍ଚାୟତର ସରପଞ୍ଚ ଶକୁନ୍ତଳା ମଲ୍ଲିକ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଜିଲ୍ଲାପାଳଙ୍କ କୋର୍ଟରେ ଗ୍ରାମ ପଞ୍ଚାୟତର ଆଇନର ଧାରା ୨୫(୨)ରେ ସେମାନଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ଜିପି ମିସ୍ କେଶ ନଂ ୦୧/୨୦୨୫ ଦାଖଲ କରିଥିଲେ । ଜିଲ୍ଲାପାଳ ଶକୁନ୍ତଳା ମଲ୍ଲିକଙ୍କ ଆବେଦନକୁ ଗ୍ରହଣ କରି ସଭ୍ୟଙ୍କୁ ନୋଟିସ ଜାରି କରିବା ସହିତ ଉଭୟ ପକ୍ଷଙ୍କ ଓକିଲଙ୍କ ଯୁକ୍ତିକୁ ଶୁଣାଣି କରି ଓ ସଂପୃକ୍ତ ସରକାରୀ ଅଧିକାରୀମାନଙ୍କର ତଦନ୍ତ ରିପୋର୍ଟକୁ ତନଖି କରି ଉପର ଲିଖିତ ସମସ୍ତ ୮ଜଣ ୱାର୍ଡ଼ ମେମ୍ବରଙ୍କ ସଭ୍ୟ ପଦ ପଞ୍ଚାୟତର ଆଇନର ଧାରା ୨୬(୨) ଅନୁସାରେ ରଦ୍ଦ କରିଦେଇଛନ୍ତି ।