ପାଣି ପାଇଁ ହାହାକାର : ଅଚଳ ହୋଇପଡିଛି ପାନୀୟଜଳ ପ୍ରକଳ୍ପ

 ଦିଗପହଣ୍ଡି:   ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ପାଣି ପାଇଁ ହାହାକାର ପଡ଼ିଛ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ କଉଡ଼ିଆ ଗ୍ରାମରେ । ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପାଣି ପାଇଁ ପ୍ରତିବାଦସ୍ୱରୂପ ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଶତାଧିକ ମହିଳା ରାସ୍ତା ଅବରୋଧ କରି ପାଣି ଯୋଗାଇବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଗ୍ରାମରେ ନିର୍ମାଣ କରାଯାଇଥିବା ପାନୀୟଜଳ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଛି । ପ୍ରକଳ୍ପର ୪ ମୋଟରରୁ ୨ ଟି ମୋଟର ପୋଡ଼ିଯାଇଛି, ଫଳରେ ପ୍ରକଳ୍ପର ଓଭର ହେଡ୍ ଟାଙ୍କିକୁ ପାଣି ଉଠୁନାହିଁ । କେବଳ ଏତିକି ନୁହେଁ ଲୋକେ ଏଠି ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ, କିନ୍ତୁ କିଛି ବ୍ୟକ୍ତି ବେଆଇନ ଭାବେ ଘରେ ମୋଟର ଲଗାଇ ପାଣି ନେଉଥିବାରୁ ତଳ ମୁଣ୍ଡରେ ଥିବା ପରିବାରଙ୍କୁ ପାଣି ମିଳୁନି । ଏହାକୁ ନେଇ ଗ୍ରାମର ବହୁ ସଂଖ୍ୟକ ମହିଳା ହାଣ୍ଡି ମାଠିଆ ଧରି ଜଗନ୍ନାଥପୁର ଛକ-ହିଞ୍ଜିଳିକାଟୁ ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ । ରାସ୍ତାରେ ଗାଡ଼ି ଚଳାଚଳ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟକ ଯାନବାହନ ଅଟକି ରହିଥିଲା । ଖବରପାଇ ସାନଖେମୁଣ୍ଡି ବ୍ଲକ୍ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଇଂ. ଉପମା ଘଡେଇ, ପାଟପୁର ଥାନା ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରକଳ୍ପରୁ ନିୟମିତ ଭାବେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରାଯିବ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।