ମାଙ୍କିଡିଆ ବସ୍ତି ପାଲଟିଛି ଠିକାଦାର ଓ ଚୋରଙ୍କ ଲେଉଟିଆ କିଆରୀ

 କାଳିଆପାଣି : ମାଙ୍କିଡିଆ ଜନଜାତିର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି । କାଳିଆପାଣି ଅଂଚଳର ରାଁସୋଳ ପଂଚାୟତ କଲରଙ୍ଗୀ ନିକଟରେ ଏହି ଜନଜାତିର କେତୋଟି ପରିବାର ଦୀର୍ଘ ୪୦ବର୍ଷ ଠାରୁ ବସବାସ କରି ରହି ଆସୁଛନ୍ତି । ତତ୍କାଳୀନ ରାଜ୍ୟ ସରକାର ଏମାନଙ୍କୁ ସ୍ଥାନାନ୍ତର କରି ଏକ ସ୍ଥାୟୀ ମାଙ୍କିଡିଆ ବସ୍ତି ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ତତ୍କାଳୀନ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କ ବିଶେଷ ପ୍ରଚେଷ୍ଠା ରହିଥିଲା । ମାଙ୍କିଡିଆମାନଙ୍କୁ ସେଠାରୁ ବିସ୍ଥାପିତ କରି ସେମାଙ୍କୁ ପକ୍କାଘର, ବିଜୁଳି, ପିଇବା ପାଣି ଏବଂ ଅନ୍ୟ ମୌଳିକ ସୁବିଧା ଗୁଡିକୁ ଯୋଗାଇ ଦେବା ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର କରିଥିଲେ । ଏଥିପାଇଁ ଗତ ୨୦୧୯ ମସିହାରେ କୁସୁମୁଡିହା ଗ୍ରାମ ନିକଟରେ ଥିବା ସରକାରୀ ଜମି ଉପରେ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ପ୍ରାୟ ୮ ୭ଟି ମାଙ୍କିଡିଆ ପରିବାର ପାଇଁ ସେଠାରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଇତିମଧ୍ୟରେ ଦୀର୍ଘ ୭ବର୍ଷ ଅତିବାହିତ ହୋଇ ଯାଇଥିଲେ ସୁଦ୍ଧା ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । ମାଙ୍କିଡିଆମାନଙ୍କ ଅଭିଯୋଗ ଯେ ଘର ଗୁଡିକ ଅତି ନିମ୍ନମାନର ସାମଗ୍ରୀରେ ନିର୍ମାଣ କରାଯାଉଛି । ଉଦାହରଣ ସ୍ୱରୂପ ଗତ କୋଭିଡ୍ ସମୟରେ ନିର୍ମାଣଧୀନ କେତୋଟି ଘର ଆପେ ଆପେ ଭାଙ୍ଗି ଭୂଇଁରେ ମିଶିଯାଇଥିଲା । ଅନ୍ୟ କେତୋଟି ଘରକୁ ଜେସିବି ସାହାଯ୍ୟରେ ଭାଙ୍ଗି ପୁନଃ ନିର୍ମାଣ କରାଯାଇଥିଲା । ମାତ୍ର ଘର ଗୁଡିକରେ ଲଗାଯାଇଥିବା ଝରକା କବାଟ ଗୁଡିକୁ ଚୋର ତାଡି ନେଇଥିଲେ । ପୁଣି ଆଉଥରେ ଅନ୍ୟ ଜଣେ ଠିକାଦାରଙ୍କୁ ଘର ଗୁଡିକରେ ଝରକା କବାଟ ଲଗାଇବା ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ନିଯୁକ୍ତି କରିଥିଲେ । ମାତ୍ର ଏବେ ଯେଉଁ ଠିକାଦାର ସେଠାରେ କାର୍ଯ୍ୟ କରୁଛନ୍ତି ସେ ମଧ୍ୟ ଘର ଗୁଡିକକୁ ଅତି ନିମ୍ନସ୍ତରର ସାମଗ୍ରୀରେ ନିର୍ମାଣ କରୁଥିବାର ଦେଖିବାକୁ ମିଳିଛି । ମାଙ୍କିଡିଆମାନଙ୍କୁ ବିସ୍ଥାପିତ କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରା ଯାଉଥିବାବେଳେ ଏଠାକାର ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଏହାର ଅନୈତିକ ଫାଇଦା ନେଉଥିବା ଜଣାଯାଏ । 
ଦୀର୍ଘ ୭ ବର୍ଷ ଧରି କେବଳ ୮୭ଟି ଘର ନିର୍ମାଣରେ ଅହେତୁକ ବିଳମ୍ବ, ନିର୍ମାଣଧୀନ ଘର ଗୁଡିକରୁ କବାଟ ଝରକା ଏବଂ ବନ୍ଧ ସହିତ ବାରମ୍ବାର ଚୋରି ହେବା ଏବଂ ଅତି ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ଏହାକୁ ଅଙ୍ଗୁଳି ନିଦେ୍ର୍ଦଶ କରୁଛି । ମାଙ୍କିଡିଆ ବସ୍ତିର ଲୋକମାନେ ଏବେ ଅତି ଦୟନୀୟ ଏବଂ ଅତି ଅପ୍ରିତିକର ପରିବେଶରେ କୁଡ଼ିଆ ଭିତରେ ରହୁଥିବାବେଳେ ଏମାନଙ୍କ ପାଇଁ ବିସ୍ଥାପନ ଯୋଜନା କେବଳ ବିଭାଗୀୟ ଅଧିକାରୀ, ଠିକାଦାର ଏବଂ ଚୋରମାନଙ୍କ ରୋଜଗାର ମାଧ୍ୟମ ସାଜିଥିବା ସାଧାରଣରେ ଆଲୋଚନା ହେଉଛି । ସବୁଠାରୁ ଦୁଃଖର ବିଷୟ ମାଙ୍କିଡିଆ ଜନଜାତି ଆଜି ବି ଉପେକ୍ଷିତ ହୋଇ ଅତି ଦୟନୀୟ ଜୀବନଯାପନ କରିବାକୁ ବାଧ୍ୟ ହୋଇଛି ।