ପାଇପ ବିଛାରେ ସୀମିତ ଜଳ ଯୋଗାଣ ପ୍ରକଳ୍ପ


ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ପାନୀୟଜଳ ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକୀୟ ହୋଇପଡିଛି । ଏପରି ସ୍ଥଳେ ଜିଲ୍ଲା ପାନୀୟଜଳ ଯୋଗାଣ ବିଭାଗର କାର୍ଯ୍ୟ ଧର୍ମକୁ ଆଖିଠାର ଭଳି ହୋଇଛି । ସୂଚନା ଅନୁଯାୟୀ ବ୍ଲକ ଅଞ୍ଚଳକୁ ପାଇପ ଜଳ ଯୋଗାଣ ପାଇଁ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ସୁଦ୍ଧା ତାହା ବିଭାଗୀୟ ଯନ୍ତ୍ରୀଙ୍କ ଅପାରଗତା ଯୋଗୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇ ପାରିନାହିଁ । ନାମକୁମାତ୍ର ବୈତରଣୀ ନଦୀର ଜଳ ପାଇପ ଯୋଗେ ଆସୁଥିଲେ ସୁଦ୍ଧା ତାହା ବିଲବାଡିକୁ ମାଡିବା ସାର ହୋଇଛି । ଏପଟେ ପ୍ରତ୍ୟକ ପଞ୍ଚାୟତରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଉଚ୍ଚକ୍ଷମତା ସମ୍ପନ୍ନ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ସୁଦ୍ଧା ସେଥିରୁ ମଧ୍ୟ ଲୋକେ ପାଣି ମୁନ୍ଦାଏ ପାଇପାରୁନାହାନ୍ତି । କେବଳ ନଳକୂପ ହିଁ କିଛି ମାତ୍ରାରେ ଜଳ ସମସ୍ୟାକୁ ଦୂର କରୁଛି । ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ହୋଇଥିଲେ ସୁଦ୍ଧା ତାହା ଏଯାଏଁ କାର୍ଯ୍ୟକାରୀ ହୋଇପାରିନାହିଁ । ଏପଟେ ପୁଣି ନୂଆ ପ୍ରକଳ୍ପ ମାନ ନିର୍ମାଣ ହେବା ବିଭାଗ ପାଇଁ ହାସ୍ୟାସ୍ପଦ ସୃଷ୍ଟି କରିଛି । ସମ୍ପ୍ରତି କେତେକ ସ୍ଥାନରେ ବିଭାଗ ପକ୍ଷରୁ ଟେଣ୍ଡର ଡକାଯାଇ ଜଳଯୋଗାଣ ସକାଶେ ପାଇପ ବିଛାଣ ହେଉଛି । ସଠିକ ଯାନ୍ତ୍ରିକ ଜ୍ଞାନ କୌଶଳ ବିନା ପାଇପ ପଡୁନଥିବା ବେଳେ ଏଥିପାଇଁ ଗ୍ରାମ୍ୟ ପକ୍କା ରାସ୍ତା ଗୁଡିକ ଦୁର୍ବଳ ହୋଇଯାଉଛି । ଗ୍ରୀଷ୍ମ ସମୟରେ ଜଳ ଯୋଗାଣ ପାଇଁ ନିର୍ମାଣ କାର୍ଯ୍ୟ ଘରପୋଡି ବେଳେ କୂପ ଖୋଳିବା ସହିତ ସମାନ ବୋଲି ମତ ପ୍ରକାଶ ମଧ୍ୟ ପାଇଛି । ସେ ଯାହାବି ହେଉ ସମ୍ପ୍ରତି ପାନୀୟ ଜଳର ଢେର ଆବଶ୍ୟକତା ଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁ ଜଳଯୋଗାଣ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହୋଇ ପାରୁନଥିବା ପରିତାପର ବିଷୟ ପାଲଟିଛି ।