ଚାଉଳ ଗୋଦାମକୁ ସିଲ କଲେ ତହସିଲଦାର ଓ ସିଡିପିଓ
ଧାମନଗର: ଧାମନଗରରେ ସମନ୍ୱିତ ଶିଶୁବିକାଶ ସେବାକାର୍ଯ୍ୟାଳୟକୁ ଚାଉଳ ଯୋଗାଉଥିବା ଠିକାଦାରଙ୍କ ଗୋଦାମକୁ ସିଲ୍ କରି ଦିଆଯାଇଛି । ଧାମନଗର ସିଡିପିଓ ଧରିତ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏକଜିକୁ୍ୟଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଦୀପକ ଦାସ ଏହାକୁ ସିଲ୍ କରିଛନ୍ତି । ମଙ୍ଗଳବାର ଦିନ ୪ ଟାରେ ତହସିଲଦାର ଏକ ଟିମ୍ ଧରି ଧାମନଗର ଏନଏସିର ମୁନସିପାଟଣାରେ ଥିବା ଏହି ଗୋଦାମରେ ପହଞ୍ଚି ଦୁଇଟି ଦ୍ୱାରରେ ଥିବା ତାଲାକୁ ଜଉମୁଦ ମାରି ସିଲ୍ କରିଥିଲେ । ଧାମନଗର ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଇବା ଲାଗି ଧାମନଗର ମୁସିପାଟଣା ଅଞ୍ଚଳର ଠିକାଦାର ମହମ୍ମଦ ସର୍ଫୂଦ୍ଦିନ ୨୦୨୦ରୁ ଚାଉଳ ବାଣ୍ଟିବା ପାଇଁ ଟେଣ୍ଡର ନେଇଥିଲେ । ଏହାପରେ ସେ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଇ ଆସୁଥିଲେ । ଆଇସିଡିଏସ ଯୋଜନାର ଖାଦ୍ୟ ସାମଗ୍ରୀ ଯୋଗାଣ ନିୟମ ଅନୁସାରେ ସଂପୃକ୍ତ ଠିକାଦାର ନିର୍ଦ୍ଧାରିତ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)ର ଗୋଦାମରୁ ଚାଉଳ ଉଠାଇବେ । ଏହାପରେ ନିଜ ଅଞ୍ଚଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଇଦେବେ । ହେଲେ ମହମ୍ମଦ ସର୍ଫୁଦିନି ହୁସେନ ସିଧା ଅଙ୍ଗନବାଡ଼ି କେନ୍ଦ୍ରରେ ଚାଉଳ ନବାଣ୍ଟି ନିଜ ଘର ପାଖରେ କରିଥିବା ଗୋଦାମରେ ରଖୁଥିଲେ ।
ଗୋଦାମରେ ରହୁଥିବା ଚାଉଳ ବସ୍ତାରୁ କିଛି କିଛି ଚାଉଳ ବାହାର କରି ନେଉଥିଲେ । ତା ପରେ ସେଠାରୁ ଛୋଟ ଗାଡ଼ିରେ ଚାଉଳ ବସ୍ତା ନେଇ ଅଙ୍ଗନବାଡ଼ି କେନ୍ଦ୍ରରେ ଦେଉଥିଲେ । ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ବସ୍ତାର ଓଜନ କମ୍ ରହୁଥିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ଏପରିକି ମଝିରେ ମଝିରେ ଗୋଟିଏ ଗୋଟିଏ ମାସ ଚାଉଳ ଆଦୌ ଦେଉନଥିଲେ ବୋଲି କର୍ମୀମାନେ ଅଭିଯୋଗ କରି ଆସୁଥିଲେ । ଏନେଇ ବାରମ୍ବାର ଅଭିଯୋଗ ପରେ ଜିଲ୍ଲାପାଳଙ୍କ ପାଖରେ ଖବର ପହଞ୍ଚିଥିଲା । ଏହାର ତଦନ୍ତ କରିବାକୁ ସିଡିପିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ନୂଆ ସିଡିପିଓ ସଂପୃକ୍ତ ଠିକାଦାରଙ୍କୁ ବାରମ୍ବାର ଡାକିଥିଲେ ବି ସେ ଆସୁନଥିଲେ । ଏହାପରେ ସିଡିପିଓ ଧରିତ୍ରୀ ପାଣିଗ୍ରାହୀ ଧାମନଗର ତହସିଲଦାରଙ୍କୁ ନେଇ ଉକ୍ତ ଚାଉଳ ଗୋଦାମରେ ଚଢ଼ଉ କରିଥିଲେ । ସିଡିପିଓ ଓ ତହସିଲଦାର ପହଞ୍ଚିଥିଲେ । ଏହାପରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ପ୍ରଦତ୍ତ କ୍ଷମତା ବଳରେ ଏକଜିକୁ୍ୟଟିଭ୍ ମାଜିଷ୍ଟ୍ରେଟ ଭାବେ ତହସିଲଦାର ଦୀପକ ଦାସ ନିଜ ଟିମକୁ ଡକାଇ ଚାଉଳ ଗୋଦାମ ସିଲ୍ କରିଥିଲେ । ତେବେ ଗୋଦାମରେ ଚାଉଳ କେତେ ଗଛିତ ଅଛି, ତାହା ସ୍ପଷ୍ଟ ହୋଇନାହିଁ । ଜିଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଉପରିସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ସିଲ୍ ଖୋଲା ଯାଇ ଘଟଣାର ତଦନ୍ତ କରାଯିବ ବୋଲି ତହସିଲଦାର କହିଥିଲେ । ମୁଁ ନୂଆ ଭାବେ ଯୋଗ ଦେଇଛÿି । ଉକ୍ତ ଗଛିତ ଥିବା ଚାଉଳ ଜୁଲାଇ ଓ ଅଗଷ୍ଟ ମାସର, ଉକ୍ତ ଘଟଣାର ଅଧିକ ତଦନ୍ତ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦିଆ ଯାଇଛି ବୋଲି ସିଡିପିଓ ଶ୍ରୀମତୀ ପାଣିଗ୍ରାହୀ କହିଛନ୍ତି । ମୁଁ ବାହାରେ ଥିବାରୁ ଘଟଣା ସଂପର୍କରେ କିଛି ଜାଣି ନାହିଁ, ଫେରିଲେ ଯାହା ମତାମତ ଦେବି ବୋଲି ଟେଣ୍ଡର ନେଇ ଥିବା ଏମ ଡି ସର୍ଫୁଦିନି ହୁସେନ କହିଛନ୍ତି ।