ଶକ୍ତି ପ୍ରଦର୍ଶନ କଲେ ନିରଞ୍ଜନ


ବନ୍ତ : କେନ୍ଦୁଆପଦା ରୋଡରେ ବ୍ଲକ କଂଗ୍ରେସର ଏକ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଏହାକୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଥାନା ଛକରେ ଆୟୋଜିତ ପଥପ୍ରାନ୍ତ ସଭାରେ ଯୋଗ ଦେଇ ଗତ ନିର୍ବାଚନରେ ମୋତେ ଯେଉଁଭଳି ଏହି ନିର୍ବାଚନମଣ୍ଡଳୀବାସୀ ଭଲ ପାଇବା ଦେଇଛନ୍ତି, ଆଗାମୀ ନିର୍ବାଚନରେ ଦଳ ଯଦି ମୋତେ ପୁନର୍ବାର ପ୍ରାର୍ଥୀ କରେ; ତେବେ  ପ୍ରତ୍ୟେକଙ୍କ ଘରକୁ ଯାଇ ଯେଉଁସବୁ ସମସ୍ୟା ରହିଛି, ତାହା ସମାଧାନ ଦିଗରେ ଶତଚେଷ୍ଟିତ ହେବି ବୋଲି କହିଥିଲେ । ଏହି ଅବସରରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଭଦ୍ରକର ବରିଷ୍ଠ କଂଗ୍ରେସ ନେତା ବୁଲୁ ପଟ୍ଟନାୟକ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସ, ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ସୁବ୍ରତ ଦାସ ସମେତ ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ନିଳୋକ ସ୍ଥିତ ବଉଳାଶୁଣୀ ପୀଠରେ ପୂଜାର୍ଚ୍ଚନା ପରେ ବହୁ ସଂଖ୍ୟକ କର୍ମୀ ବିରାଟ ମଟର ସାଇକଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି, ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏକ ମାତ୍ର ଦାବିଦାର ଶ୍ରୀ ପଟ୍ଟନାୟକ ଆଜି ଶୋଭାଯାତ୍ରା ମାଧ୍ୟମରେ ନିଜ ଶକ୍ତି ପ୍ରଦର୍ଶନ କରି ଆଗାମୀ ଦିନରେ ସେ ଏଠାରୁ ପ୍ରାର୍ଥୀ ହେଉଛନ୍ତି ବୋଲି କର୍ମୀଙ୍କୁ ଏକପ୍ରକାର ବାର୍ତ୍ତା ଦେଇଥିବା କୁହାଯାଉଛି । ଏଥିରେ ୨୫ ପଞ୍ଚାୟତରୁ ପ୍ରାୟ ୮ ହଜାର କର୍ମୀ ଯୋଗ ଦେଇଥିଲେ ।