ଶୀତଦିନିଆ ଅନୁଭୂତ ଅବସାଦ
ଶୀତଦିନେ ଅନୁଭୂତ ହେଉଥିବା ଅବସାଦକୁ ସିଜନାଲ୍ ଆଫେକ୍ଟିଭ୍ ଡିଜଅର୍ଡର ବା ‘ସ୍ୟାଡ୍’ କୁହାଯାଏ। ଏହି ଋତୁରେ କମ୍ ସୂର୍ଯ୍ୟରଶ୍ମି ଯୋଗୁଁ ଶରୀରର ଆଭ୍ୟନ୍ତରୀଣ ସମୟସାରଣୀ (ସିକାର୍ଡିଆନ୍ ରିଦିମ୍)ରେ ବିଭ୍ରାଟ ଘଟି ଆମର ମାନସିକ ଅବସ୍ଥାକୁ ପରିଚାଳନା କରୁଥିବା ମସ୍ତିଷ୍କର ସିରୋଟୋନିନ୍ ନାମକ ରାସାୟନିକ ପଦାର୍ଥର କ୍ଷରଣ କମିଯାଇଥାଏ। ସେଥିପାଇଁ ମନରେ ଅବସାଦ ସୃଷ୍ଟି ହୋଇଥାଏ। ଏହାର ଲକ୍ଷଣ ସ୍ବରୂପ ମନରେ ଦୁଃଖ ବା ନୈରାଶ୍ୟଜନକ ଚିନ୍ତାଧାରା ଆସିଥାଏ। ଅଧିକ ନିଦ୍ରା ଯିବା ସତ୍ତ୍ବେ ନିଜକୁ କ୍ଳାନ୍ତ ତଥା କମ୍ ଶକ୍ତିସଂପନ୍ନ ମନେହୁଏ। ସକାଳୁ ନିଦରୁ ଉଠିବାକୁ ଇଚ୍ଛା ହୁଏନାହିଁ। ଶର୍କରାଜାତୀୟ ଖାଦ୍ୟ ପ୍ରତି ଅହେତୁକ ଦୁର୍ବଳତା ବଢ଼େ। ଆଗରୁ ଭରପୂର ଉପଭୋଗ କରୁଥିବା କାର୍ଯ୍ୟକଳାପ ପ୍ରତି ଆସକ୍ତି କମିଯାଏ। କୌଣସି ନିଷ୍ପତ୍ତି ନେବାରେ ଦ୍ବିଧା ଲାଗେ। ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ଠାରୁ ଦୂରେଇ ରହିବାକୁ ଇଚ୍ଛା ହୁଏ। କାରଣ ନଥାଇ ଆଣ୍ଠୁଗଣ୍ଠି ଓ ମୁଣ୍ଡବିନ୍ଧା ହୁଏ। ବେଳେବେଳେ ମନରେ ଆତ୍ମହତ୍ୟା ପ୍ରବଣତା ଉଦ୍ରେକ ହୁଏ।
ତେବେ ‘ସ୍ୟାଡ୍’ କବଳରୁ ବର୍ତ୍ତିବା ପାଇଁ ଦିନ ବେଳା ବାହାରେ ଅଧିକ ସମୟ ବୁଲାବୁଲି କରିବା ଭଲ। ଏହାଦ୍ବାରା ଶରୀରରେ ସିରୋଟୋନିନ୍ ସ୍ତର ବଢ଼ିପାରିବ ଏବଂ ସିକାର୍ଡିଆନ୍ ରିଦିମ୍ ସୁସଂଗତ ହୋଇ ଅବସାଦ କମିଯିବ। ଏଥି ସହିତ ଯୋଗ, ନୃତ୍ୟ, ଜଗିଂ ବା ଵାର୍କଆଉଟ୍ ପରି ନିୟମିତ ଶାରୀରିକ ବ୍ୟାୟାମ ମଧ୍ୟ ଜରୁରି। ଏହାଦ୍ବାରା ଏଣ୍ଡୋର୍ଫିନ୍ସ ନାମକ ହରମୋନ୍ କ୍ଷରଣ ତ୍ବରିତ ହୁଏ, ଯାହା ପ୍ରାକୃତିକ ଭାବେ ମନୋଭାବକୁ ଉନ୍ନତ କରିଥାଏ। ସନ୍ତୁଳିତ ଆହାର ମଧ୍ୟ ଉପଶମ ଆଣିବାରେ ସହାୟକ ହୁଏ। ବିଶେଷ କରି ଓମେଗା-୩ ଚର୍ବିଳାମ୍ଳ, ଭିଟାମିନ୍ ଡି, ଭିଟାମିନ୍ ବି ଓ ମ୍ୟାଗ୍ନେସିଅମ୍ ଖଣିଜସାର ସଂପନ୍ନ ଖାଦ୍ୟ ଖାଇଲେ ଅବସାଦର ଲକ୍ଷଣ ସବୁ ଦୂରେଇଯିବ। ସେହିପରି ଅନ୍ୟମାନଙ୍କ ସଂସ୍ପର୍ଶରେ ଆସି ସାମାଜିକ ଭାବ ବିନିମୟ ବଜାୟ ରଖିବା ଦ୍ବାରା ଏକାକୀତ୍ବ ଦୂର ହୋଇଯିବା ସହ ସମର୍ଥନ ଓ ପ୍ରୋତ୍ସାହନ ମିଳିପାରିବ। ଚିତ୍ର ଆଙ୍କିବା, ବହି ପଢ଼ିବା କି ସଂଗୀତ ପରିବେଷଣ କରିବା ପରି ନିଜର ମନପସନ୍ଦର କାର୍ଯ୍ୟକଳାପ (ହବି)ରେ ମଜ୍ଜିଯିବା ମଧ୍ୟ ଏ ଦିଗରେ ଉପାଦେୟ। ଏହାଦ୍ବାରା ମନରୁ ନକାରାତ୍ମକ ଚିନ୍ତାଧାରା ଦୂର ହୋଇଯିବା ସହ ପୂର୍ଣ୍ଣତା ଲାଭ ହେଲା ଭଳି ଅନୁଭବ ମିଳିଥାଏ। ଯଦି ଯାବତୀୟ ପ୍ରତିକାର ସତ୍ତ୍ବେ ସ୍ଥିତିରେ କୌଣସି ସୁଧାର ନ ଆସେ, ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ନିହାତି ଜରୁରି।