ଶ୍ରୀମନ୍ଦିରରେ  ସୂର୍ଯ୍ୟପୂଜା

ଶ୍ରୀମନ୍ଦିରରେ  ସୂର୍ଯ୍ୟପୂଜା


ଯଶସ୍ୱିନୀ ପଟ୍ଟନାୟକ, କଟକ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିରେ ସୂର୍ଯ୍ୟ ପୂଜା ରହିଛି । ଶ୍ରୀମନ୍ଦିର ବେଢ଼ାରେ ଥିବା ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଦୈନିକ ସୂର୍ଯ୍ୟପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଅନେକ ହୁଏତ ଜାଣିନଥିବେ ମହାଲକ୍ଷ୍ମୀ ମନ୍ଦିରର ପୂର୍ବକୁ କ୍ରୁମ ପ୍ରାଚୀର ଉତ୍ତର ଭାଗକୁ ସୂର୍ଯ୍ୟ ନାରାୟଣ ମନ୍ଦିର ରହିଛି । ସୂର୍ଯ୍ୟ ମନ୍ଦିରଟି ବିମାନ, ଜଗମୋହନ ଓ ନାଟ ମନ୍ଦିର ଭାବେ ତିନୋଟି ଭାଗରେ ବିଭକ୍ତ । ରବିବାର ଦିନ ସୂର୍ଯ୍ୟଙ୍କ ପବିତ୍ର ତିଥି ହୋଇଥିବାରୁ ଦୁଇଥର ସୂର୍ଯ୍ୟ ନାରାୟଣଙ୍କ ସ୍ନାନ କରାଯାଏ । ସେହିପରି ଗ୍ରହଣ ଓ ସୂର୍ଯ୍ୟ ପରାଗ ଗୁଡ଼ିକରେ ମହାସ୍ନାନ ନୀତି ହୋଇଥାଏ । ହିନ୍ଦୁ ପୁରାଣରେ ବିଶ୍ୱାସ ରହିଛି ରାହୁ, ସୂର୍ଯ୍ୟଙ୍କୁ ଗ୍ରାସ କଲେ ଏହା ହେଉଛି ସୂର୍ଯ୍ୟ ପରାଗ ନୀତି । ଯଦିଓ ବିଜ୍ଞାନ ମତରେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ରହିଲେ ଚନ୍ଦ୍ରର ଛାୟା କାରଣରୁ ସେହି ସମୟରେ କିଛି ସମୟ ପାଇଁ ସକାଳେ ସୂର୍ଯ୍ୟଦେବଙ୍କ ଦେଖା ମିଳିନଥାଏ । ଚନ୍ଦ୍ରଗ୍ରହଣ ଓ ସୂର୍ଯେ୍ୟାପରାଗରେ ପାକ ତ୍ୟାଗ ସମୟ ଠାରୁ ଠାକୁରମାନଙ୍କର କୌଣସି ନୀତି ହୁଏ ନାହିଁ । 
ପାକତ୍ୟାଗ ପୂର୍ବରୁ ଠାକୁରମାନେ ତଡ଼ପ ଉତ୍ତରୀ ବସ୍ତ୍ରଲାଗି ହୋଇ ବସନ୍ତି । ରୋଷଘର ଧୋପଖାଳ ହୋଇଥାଏ । ଗ୍ରହଣ ବା ପରାଗ ସ୍ପର୍ଶ ହେଲେ ପୂଜାପଣ୍ଡାମାନେ ଠାକୁରମାନଙ୍କର ଗ୍ରହଣ ମହାସ୍ନାନ କରାନ୍ତି । ରୋଷରେ ହୋମ ହୁଏ । ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ହୁଏ । ଏହାପରେ ପୁଷ୍ପାଳକମାନେ ତିନି ବାଡ଼ରେ ଗ୍ରହଣବେଶ କରନ୍ତି । ଏହି ବେଶ, ଲୁଗା, ଫୁଲ ଓ ତୁଳସୀ ଦ୍ୱାରା ହୁଏ । ଗ୍ରହଣ ବା ପରାଗ ସମୟରେ ଠାକୁରଙ୍କ ଗ୍ରହଣ ମହାସ୍ନାନ କାର୍ଯ୍ୟ ପୂଜାପଣ୍ଡାମାନେ କରିଥାନ୍ତି । ରୋଷଘରେ ହୋମ ପୂଜା ହୋଇଥାଏ ଓ ଟେରା ବନ୍ଧା ହୁଏ । ତିନି ବାଡ଼ରେ ପାଳିଆ ପୁଷ୍ପାଳକମାନେ ଗ୍ରହଣ ନୀତି କରିଥାନ୍ତି । ଗ୍ରହଣ ସମୟ ଦେଖି ଅନ୍ୟାନ୍ୟ ଦୈନନ୍ଦିନ ନୀତି ନିର୍ଣ୍ଣୟ ହୁଏ । ଏ ସମୟରେ ଜୟ ବିଜୟ ଦ୍ୱାର ବନ୍ଦ ହେବ । ପରାଗ ପରେ ନୀତିକାନ୍ତି ସ୍ୱାଭାବିକ ହୋଇ ପୁନଶ୍ଚ ଦେବନୀତି ଆରମ୍ଭ ହୋଇଥାଏ ।