ଶ୍ରୀଜୀଉଙ୍କ ଅନବସର ଓ ଅଲାରନାଥ ଦର୍ଶନ
ସ୍ନାନ ଓ ଶ୍ରୀଗୁଣ୍ଡିଚା ମଧ୍ୟବର୍ତ୍ତୀ ସମୟରେ ହେଉଥିବା ବିଧାନ ହେଉଛି ଅନବସର ବା ଅଣସର । ଦେବସ୍ନାନ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଠାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ହିଁ ଅଣସର ନାମରେ ପରିଚିତ । ଠାକୁରମାନେ ସ୍ନାନ ପରେ ବିଜେ କରିଥାନ୍ତି ଅଣସର ପିଣ୍ଡିରେ । ସାଧାରଣ ଦର୍ଶନ ନିଷେଧ ଥିବା ଏହି ୧୫ ଦିନ ଶବରରାଜ ବିଶ୍ୱାବସୁ ଓ ବିଦ୍ୟାପତିଙ୍କର ବଂଶଧର ଦଇତା ପତି ସେବାୟତଙ୍କ ଅଖଣ୍ଡ ଅଧିକାର ଦେଖିବାକୁ ମିଳେ । ଅଣସର ନୀତିର ୩ଟି ମୌଳିକ ତାତ୍ପର୍ଯ୍ୟ ରହିଛି । ପୌରାଣିକ ମତରେ ଶବର ଭକ୍ତ ବିଶ୍ୱାବସୁଙ୍କ ସ୍ମୃତିଚାରଣ, ଦ୍ୱିତୀୟ ଠାକୁରଙ୍କ ଗୁପ୍ତନୀତି ପାଇଁ ସମୟ ଓ ସୁଯୋଗ ସୃଷ୍ଟି ଏବଂ ତୃତୀୟରେ ଶ୍ରୀଜୀଉ ଜ୍ୱର ବାଧିକାଗ୍ରସ୍ତ ହୋଇ ଔଷଧ ଗ୍ରହଣ କରିବାର ଦୃଷ୍ଟାନ୍ତ । ଏହି ସମୟରେ ପ୍ରଭୁଙ୍କୁ ଅନ୍ନ ଭୋଗ ବଦଳରେ ବିଭିନ୍ନ ଫଳମୂଳ, ଚକଟା ଓ ପଣା ଭୋଗ ପୂଜା କରାଯାଏ । ଏହି ଘରଟିକୁ ବାଉଁଶ ତାଟିରେ ଆବୃତ୍ତ କରି ରଖାଯାଏ । ଅତ୍ୟଧିକ ସ୍ନାନ ହେତୁ ଶ୍ରୀଜୀଉମାନେ ଜ୍ୱରରେ ପୀଡ଼ିତ ହୋଇ ଏହି ନୀତି ଅବଲମ୍ବନ କରିଥାନ୍ତି । ଏଠାରେ ହୋଇଥାଏ ପ୍ରଭୁଙ୍କର ଗୁପ୍ତସେବା । ପଞ୍ଚମୀ ଦିନ ପ୍ରଭୁଙ୍କ ଅଙ୍ଗରେ ଫୁଲୁରି ତେଲ ଲାଗି ହୋଇଥାଏ । ଷଷ୍ଠ ଦିନଠାରୁ ତିନିଦିନ ଯାଏ ଓଷ ଲାଗି ହୋଇଥାଏ । ଦଶମୀରେ ଚକା ବିଜେ । ତା ପରେ ଏକାଦଶୀରେ ଖଳି ଲାଗି ଓ ଦଶମୂଳ ପାଚନ ଲାଗି ଏବଂ ଦ୍ୱାଦଶୀରେ ଦ୍ୱାଦଶୀ ନୀତି, ତ୍ରୟୋଦଶୀରେ ଘଣା ଲାଗି ଶେଷରେ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ପାଳିତ ହୁଏ ।
ଶ୍ରୀଜଗନ୍ନାଥଙ୍କ ଅଣସର ଗୋପନ ସେବାରେ ଶୁଦ୍ଧ ସୁଆରମାନେ ଶ୍ରୀଅଙ୍ଗ ସେବା କରନ୍ତି । ବିଦ୍ୟାପତି ବଂଶଜ ରୂପେ ମାନ୍ୟତା ଦାବି କରୁଥିବା ଶୁଦ୍ଧ ସୁଆରମାନେ ଏହି ଭିତରେ ଖଳିଲାଗି କରିବା ବିଧି ରହିଛି । ସ୍କନ୍ଦ ପୁରାଣ, ବାମଦେବ ସଂହିତା, ନୀଳାଦି୍ର ମହୋଦୟ, ଦେଉଳ ତୋଳା ଆଦି ଗ୍ରନ୍ଥରେ ଗୁପ୍ତ ସେବା ସମ୍ପର୍କରେ ସବିଶେଷ ସୂଚନା ରହିଛି । ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପ ବା ଖଳିକୁ ରୂପା ଫିଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ଭିତର ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସଂପନ୍ନ ହୋଇଥାଏ । ଏଥିପୂର୍ବରୁ ନୂତନ ବିଗ୍ରହଙ୍କୁ ଗୋପନ ସେବାରେ ରକ୍ତ ବସ୍ତ୍ର ଆବରଣ ଦିଆଯାଇଥାଏ । ଗୋପନୀୟତା ରକ୍ଷା କରି ଦଇତାପତି, ପତିମହାପାତ୍ର ସେବକମାନେ ଏକ ସ୍ୱତନ୍ତ୍ର ଶୈଳୀ ଅବଲମ୍ବନରେ ଶ୍ରୀଜୀଉଙ୍କୁ ରକ୍ତ ବସ୍ତ୍ର ଆବରଣ ଦେଇଥାନ୍ତି । ଏହାପରେ ନବଯୌବନ ପୂର୍ବରୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଶେଷ ଦଫାରେ ବିଳମ୍ବିତ ରାତିରେ ଖଳି ଲାଗି ଦିଆଯାଏ । ଏହି ଖଳିକୁ ଶୁଦ୍ଧ ସୁଆରମାନେ ନିଜ ନିଜ ବାସଭବନରେ ଶୁଦ୍ଧ ସହକାରେ ପ୍ରସ୍ତୁତ କରିଥାନ୍ତି । ପୂର୍ବ ସନ୍ଧ୍ୟାରେ ଧୂପ ପରେ ଏହି ଖଳିକୁ ପ୍ରସ୍ତୁତ କରି ଶୁଦ୍ଧ ସୁଆରଙ୍କୁ ବାସଭବନରେ ଅଧିବାସରେ ରଖିଥାଆନ୍ତି । ଏହି ଖଳି ବିଜେ ପାଇଁ ଶ୍ରୀମନ୍ଦିରରୁ ଘଣ୍ଟ, ଛତା ସହ ଡକାରା ଯାଇଥାଏ ଶୁଦ୍ଧ ସୁଆର ସେବକଙ୍କ ବାସଭବନକୁ । ତିନି ଠାକୁର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଖଳି ବିଜେରେ ତିନିଜଣ ସେବାୟତ ଶ୍ରୀମନ୍ଦିର ଯାଇଥାଆନ୍ତି । ବିଜେ କାହାଳୀ, ବଜୟନ୍ତ୍ରୀ, ଘଣ୍ଟ, ଛତା ସହ ଶୋଭାଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ନିମନ୍ତେ ତିନି ଶୁଦ୍ଧ ସୁଆର ଅଧିବାସିତ ଖଳି ପ୍ରସାଦକୁ ଶ୍ରୀମନ୍ଦିର ବିଜେ କରିଥାନ୍ତି । ଏହା ପୂର୍ବରୁ ଏହି ଖଳିକୁ ଶୁଦ୍ଧ ସୁଆରଙ୍କ ବାସଭବନରେ ଖଳି ହାଣ୍ଡିକୁ ମହିଳାମାନେ ବନ୍ଦାପନା କରିଥାନ୍ତି । ବିଜେ କାହାଳି ବାଜିବା ପରେ ବରକନ୍ଦାଜଙ୍କ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ବିଜେ କରିଥାନ୍ତି । ଶୁଦ୍ଧ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ବିଳମ୍ବିତ ରାତିରେ ଏହି ଖଳିକୁ ଶ୍ରୀବିଗ୍ରହଙ୍କୁ ଲାଗିର ଗୋପନ ସେବା ସଂପନ୍ନ ହୋଇଥାଏ ।
ଶ୍ରୀଜୀଉଙ୍କ ଅନବସର କାଳରେ ସାଧାରଣ ଦର୍ଶନ ସମ୍ଭବ ହୋଇନଥାଏ । ମନ୍ଦିରରେ ପୂଜା ପାଆନ୍ତି ପଟିଦିଅଁ । ତେବେ ଶ୍ରୀଜଗନ୍ନାଥ ଦର୍ଶନର ପୁଣ୍ୟ ଲାଭ ହୁଏ ପ୍ରଭୁ ଅଲାରନାଥଙ୍କ ଦର୍ଶନରେ । ପୁରୀର ବ୍ରହ୍ମଗିରିଠାରେ ଏକ ସୁଦୃଶ୍ୟ ମନ୍ଦିରରେ ବିଦ୍ୟମାନ ଅଛନ୍ତି ଶ୍ରୀ ଅଲାରନାଥ । ଶିଳା ବିଗ୍ରହ ଶିଳା ବ୍ରହ୍ମ ନାରାୟଣ ମୂର୍ତ୍ତି ଶ୍ରୀ ଅଲାରନାଥ । ଶ୍ରୀ ଜଗନ୍ନାଥଙ୍କର ମୂଳ ବିଗ୍ରହ ନୀଳମାଧବଙ୍କର ଯେଉଁ ରୂପ ବର୍ଣ୍ଣନା ଇନ୍ଦ୍ର ନୀଳମଣି ପୁରାଣ, ସ୍କନ୍ଦ ପୁରାଣ, କପିଳ ସଂହିତା, ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟରେ ହୋଇଛି, ସେ ସବୁ ପ୍ରତିମା ଲକ୍ଷଣ ଅଲାରନାଥ ବିଗ୍ରହରେ ପ୍ରତିଭାତ ହେଉଥିବାରୁ ନୀଳାଚଳରୁ ଅନ୍ତର୍ହିତ ନୀଳମାଧବ ଅଲାଲ୍ୟ ବ୍ରାହ୍ମଣ ଗୃହାବସ୍ଥାନ ପରେ ବ୍ରହ୍ମଗିରିଠାରେ ଆର୍ବିଭୂତ ହୋଇଥିବା ଅନୁମାନ ସତ୍ୟରେ ପରିଣତ ହୋଇଛି । କଳା ଦୃଷ୍ଟିରୁ ପ୍ରାୟ ଛଅଫୁଟ ଉଚ୍ଚତା ବିଶିଷ୍ଟ ଗୋଟିଏ ମାତ୍ର କଳାମୁଗୁନି ପ୍ରସ୍ତର ନିର୍ମିତ ଅଲାରନାଥଙ୍କ ବିଗ୍ରହ ଏକ ସୂକ୍ଷ୍ମ କାରୁକାର୍ଯ୍ୟ ପ୍ରଭା ବା ତୋରଣ ମଧ୍ୟରେ ଦଣ୍ଡାୟମାନ । ଏହି ବିଷ୍ଣୁ ବିଗ୍ରହଙ୍କୁ ପରମ ଗୋପନୀୟ ମନ୍ତ୍ରରେ ସ୍ୱୟଂ ବ୍ରହ୍ମା ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ କାଳରେ ହିନ୍ଦୁଧର୍ମର ପ୍ରଚାରକ ରୂପେ ଶ୍ରୀ ସମ୍ପ୍ରଦାୟର ଦ୍ୱାଦଶ ପୂର୍ବସୂରୀ ପରମ ବିଷ୍ଣୁଭକ୍ତ ପାର୍ଷଦଗଣ ଏହି ପୀଠରେ ଅବସ୍ଥାନ ପୂର୍ବକ ବ୍ରହ୍ମାକର୍ତ୍ତୃକ ପ୍ରତିଷ୍ଠିତ ଚତୁର୍ଭୁଜ ଜନାର୍ଦ୍ଦନ ବିଷ୍ଣୁଙ୍କୁ ପଞ୍ଚରାତ୍ର ବିଧିରେ ପୂଜାର୍ଚ୍ଚନା କରୁଥିଲେ, ତକ୍ରାଳରେ ଏହାଙ୍କୁ ଆଲୋୟାର ବା ଆଲବର ସମ୍ପ୍ରଦାୟ କୁହାଯାଉଥିଲା । ଉକ୍ତ ଆଲବରମାନଙ୍କର ପ୍ରଭୁ ଶ୍ରୀମନ୍ନାରାୟଣ କ୍ରମଶଃ ଆଳବର ନାଥ, ଆଲାରନାଥ - ଅଲାରନାଥ ନାମରେ ବହୁ ପ୍ରସିଦ୍ଧି ଲାଭ କଲେ । ଅନବସର ପନ୍ଦରଦିନ ଏବଂ ମହାଅଣସର ସମୟରେ ଅଲାରନାଥ ଦର୍ଶନ ଏକ ବିଧି ।
ମୋ : ୯୪୩୭୦୫୧୯୫୭