ଏହି ୩ ଜିଲାରେ ଘନ କୁହୁଡ଼ି : ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର : ଆସନ୍ତା ୧୭ ରୁ ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି କମିବ ତାପମାତ୍ରା। ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମା ଝଡର ପ୍ରଭାବ କମିବା ପରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ। ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭୁତ ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁରରେ ଶୀତ ଲହରୀ ଅନୁଭୁତ ହେବାର ସମ୍ଭାବନା ରହିଛି। ଆସନ୍ତା ୩ ଦିନ ପର୍ୟ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ରାତ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। କିଛି ଜିଲ୍ଲାରେ ହାଲୁକା ଶୀତ ସହ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ୧୫ ତାରିଖ ପର୍ୟ୍ୟନ୍ତ ଘନ କୁହୁଡି ନେଇ ୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟକୁ ସତର୍କ କରାଯାଇଛି। ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା। କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ମଧ୍ୟ ସତର୍କତା ଜାରି କରାଯାଇଛି। ଏହାସହ ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, କଟକ ଏବଂ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ।