ଜିନ୍ଦଲ ପକ୍ଷରୁ ଦକ୍ଷତା ପ୍ରମାଣପତ୍ର ପ୍ରଦାନ

 କଳିଙ୍ଗନଗର: ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ କଳିଙ୍ଗନଗର ଓ ରଗଡ଼ି ସରକାରୀ ପଲିଟେକନିକ ଇନଷ୍ଟିଚୁ୍ୟଟ ମିଳିତ ସହଯୋଗରେ ଚାଲିଥିବା ଷ୍ଟେନଲେସ ଷ୍ଟିଲ ଫ୍ୟାବ୍ରିକେସନ ପ୍ରଶିକ୍ଷଣ ପ୍ରକଳ୍ପରେ ସଦ୍ୟ ପ୍ରଶିକ୍ଷଣ ସମାପ୍ତ କରିଥିବା ୨୦ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ସରକାରୀ ପଲିଟେକ୍ନିକ୍ ଠାରେ ଅନୁଷ୍ଠିତ ସମାରୋହରେ ଜିନ୍ଦଲ ଷ୍ଟେନଲେସ ଲିମିଟେଡର ଡେପୁଟି ଜେନେରାଲ୍ ମ୍ୟାନେଜର ରାମକୃଷ୍ଣ ମହାନ୍ତି ମୁଖ୍ୟଅତିଥି ଭାବରେ ଯୋଗ ଦେଇ ସ୍ନାତକୋତ୍ତର ଛାତ୍ରମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ଏବଂ ଷ୍ଟେନଲେସ୍ ଷ୍ଟିଲର ବିଭିନ୍ନ ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ବିକାଶଶୀଳ ଚାକିରି ବଜାର ସହିତ ଖାପ ଖୁଆଇବା ପାଇଁ ସେ ଛାତ୍ରମାନଙ୍କୁ କଠିନ ପରିଶ୍ରମ ଏବଂ ସକରାତ୍ମକ ଚିନ୍ତାଧାରା ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ଉତ୍ସବରେ ସରକାରୀ ବହୁମୁଖୀ ବୈଷୟିକ ଶିକ୍ଷାନୁଷ୍ଠାନର ଅଧଃକ୍ଷ ଡ.ସୁଭାଙ୍ଗ କିଶୋର ଦାସ ଉପସ୍ଥିତ ରହି ଜିନ୍ଦଲ ଷ୍ଟେନଲେସ ଦ୍ୱାରା ଷ୍ଟେନଲେସ ଷ୍ଟିଲ ଫ୍ୟାବ୍ରିକେସନ ପ୍ରଶିକ୍ଷଣ ପ୍ରକଳ୍ପର ଉପକାରିତା ଉପରେ ଆଲୋକପାତ କରିଥିବା ବେଳେ ଜିନ୍ଦଲ କତୃପକ୍ଷଙ୍କ ଷ୍ଟେନଲେସ ଷ୍ଟିଲ ସମ୍ବନ୍ଧିତ ବୈଷୟିକ ପ୍ରଶିକ୍ଷଣ ପ୍ରକଳ୍ପ ଛାତ୍ରଛାତ୍ରୀ ମାନଙ୍କର ଷ୍ଟେନଲେସ ଷ୍ଟିଲ ସମ୍ପର୍କୀତ ଜ୍ଞାନକୁ ପରିବର୍ଦ୍ଧିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଅଛି ବୋଲି ମତବ୍ୟକ୍ତ କରିଥିଲେ । ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ର ସାମାଜିକ ଦାୟିତ୍ୱବୋଧ ବିଭାଗର ବରିଷ୍ଠ ପ୍ରବନ୍ଧକ ତପନ କୁମାର ନାୟକ ଅନ୍ୟତମ ଅତିଥି ରୂପେ ଯୋଗଦେଇ ଏହି ପ୍ରକଳ୍ପକୁ ଆହୁରି ସରସ ସୁନ୍ଦର ତଥା କ୍ରିୟାଶୀଳ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କର ମତାମତ ଲୋଡ଼ିଥିଲେ । ଏହି ପ୍ରଶିକ୍ଷଣ ଚାକିରୀ ଜୀବନରେ ସାହାଯ୍ୟ କରିବା ସହିତ ବ୍ୟକ୍ତିଗତ ସ୍ତରରେ ଜଣେ ସଫଳ ଉଦ୍ୟୋଗୀ ହେବା ପାଇଁ ଯଥେଷ୍ଟ ସହାୟକ ହେବ ବୋଲି ଛାତ୍ରଛାତ୍ରୀ ମାନେ ନିଜନିଜର ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଏଠାରେ ଉଲ୍ଲେଖନୀୟ ଯେ ଷ୍ଟେନଲେସ ଷ୍ଟିଲର ବହୁମୁଖୀ ବୈଷୟିକ ବ୍ୟବହାରୀତା ଉପରେ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ପ୍ରମୁଖଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ୨୦୧୯ମସିହାରୁ ଜିନ୍ଦଲ ଷ୍ଟେନଲେସ ଏହାର ସାମାଜିକ ଦାୟୀତ୍ୱ ବିଭାଗ ମାଧ୍ୟମରେ ସରକାରୀ ବହୁମୁଖୀ ବୈଷୟିକ ଶିକ୍ଷାନୁଷ୍ଠାନଙ୍କ ସହିତ ଅନୁବନ୍ଧିତ ହୋଇ ଷ୍ଟେନଲେସ ଷ୍ଟିଲ ସମ୍ବନ୍ଧିତ ବୈଷୟିକ ପ୍ରଶିକ୍ଷଣ ପ୍ରକଳ୍ପ କାର୍ଯ୍ୟକାରି କରି ଆସୁଛି । ବର୍ତମାନ ସୁଦ୍ଧା ୧୦ଟି ପର୍ଯ୍ୟାୟରେ ୨୦୦ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ସମାପ୍ତ କରିସାରି ନିଜ ନିଜର ବୃତିଗତ ଜୀବନ ସଫଳ ରୂପେ ନିର୍ବାହିତ କରୁଛି । ଏହି ପ୍ରକଳ୍ପ ମାଧ୍ୟମରେ ଚଳିତ ବର୍ଷ ଆହୁରି ୨୦ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଆସନ୍ତା ଜାନୁଆରୀ ମାସ ଠାରୁ ଆରମ୍ଭ ହେବ । କାର୍ଯ୍ୟକ୍ରମକୁ ବୈଷୟିକ ଶିକ୍ଷାନୁଷ୍ଠାନ ଅଧ୍ୟାପକ ମାନସ ମିଶ୍ର ପରିଚାଳନା କରିଥିଲେ ।