ରାସ୍ତାରେ ଖାଲ, ପଥଚାରୀ ହନ୍ତସନ୍ତ
ତାଳଚେର: ତାଳଚରେ ଶିଳ୍ପାଞ୍ଚଳରେ ଦୈନନ୍ଦିନ ପ୍ରଚୁର ମାତ୍ରରେ କୋଇଲା ପରିବହନ ଓ ଉତ୍ତୋଳନ କାର୍ଯ୍ୟ ଜାରି ରହିଛି । ଏଥିରେ କମ୍ପାନୀମାନଙ୍କର ଲାଭ ହେଉଥିବାବେଳେ ଉଭୟ ସରକାର ପ୍ରଚୁର ରାଜସ୍ୱ ଆଦାୟ କରିଥାନ୍ତି । ମାତ୍ର ତାଳଚେରବାସୀଙ୍କ ମୌଳିକ ସମସ୍ୟା ପ୍ରତି କେହି ହେଲେ ଦୃଷ୍ଟି ଦେଉନାହାନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆନେ୍ଦାଳନ ଦାନା ବାନ୍ଧଛି । ତାଳଚେର ସହରର ୧୪୯ ନମ୍ବର ଜାତୀୟ ରାଜପଥରେ ଅହରହ ଭାରୀଯାନ ଯଥା କୋଇଲ, ବାଲି ଓ ପାଉଁଶ ଟ୍ରକ ଚଳପ୍ରଚଳ ଯୋଗୁଁ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । ସହରର ବାଙ୍କଧରା ଛକ ଠାରୁ ଆରମ୍ଭ କରି କଲେଜଛକ, ବାଇପାସ୍, ଶନିବାର ହାଟଛକ, ପବିତ୍ର ମୋହନ ଛକ, ପେଟ୍ରୋଲ ପମ୍ପ ସମ୍ମୁଖ, ବହ୍ଲର ଛକ, ଥର୍ମାଲ, ଚାଇଁପାଳ ଜାତୀୟ ରାଜପଥ ଉପରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହେଉଥିବାବେଳେ ନିତିଦିନ ଉକ୍ତ ରାସ୍ତାରେ ଛୋଟମୋଟ ଦୁର୍ଘଟଣା ହେଉଥିବା ଅଭିଯୋଗ ହୋଇଛି । ବିଶେଷ କରି ଚାଇଁପାଳ ଓଭରବି୍ରଜ୍ ପରେ ଆଣ୍ଠୁଏ ଆଣ୍ଠୁଏ ଖାଲ ହୋଇଛି । ଏହି ରାଜପଥ ଦେଇ ରାଜନେତା ଠାରୁ ପ୍ରଶାସନିକ ଅଧିକାରୀମାନେ ଯାତାୟତ କରୁଥିଲେ ହେଁ କାହାକୁ ଏ ସମସ୍ୟା କିପରି ଦେଖାଯାଉ ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଚାଲିଛି । ଅନ୍ଧକାର ରାସ୍ତା ସହ ଖାଲଖମଣା ପାଲଟିଛି ଏକ ପ୍ରକାର ମରଣାଯନ୍ତା ସାଜିଥିବାରୁ ସର୍ବସାଧାରଣ ଲୋକ ନାହିଁ ନଥିବା ଅସୁବିଧାଭୋଗ କରୁଛନ୍ତି । ଏହି ଜାତୀୟ ରାଜପଥକୁ ୪ଥାକିଆ କରିବା ନେଇ ବହୁ ଆଗରୁ ଘୋଷଣା ହୋଇ ଦୁଇଦୁଇ ଥର ଟେଣ୍ଡର ପ୍ରକି୍ରୟା ସରିଛି, ମାତ୍ର ଆଜି ପର୍ଯ୍ୟନ୍ତ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କେବେଳ କାଗଜ ପତ୍ରରେ ସୀମିତ ରହିଥିବା କୁହାଯାଉଛି । ତେବେ ତୁରନ୍ତ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ ରାସ୍ତା ଓ ୪ଥାକିଆ ନିର୍ମାଣ କରିବାକୁ ଦାବି ହେଉଛି ।