ଅକ୍ଷୟ ମହାନ୍ତି ସଙ୍ଗୀତ ସନ୍ଧ୍ୟା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ତୁଳସୀ କ୍ଷେତ୍ରାଧିଶ ଶ୍ରୀ ବଳଦେବଜୀଉଙ୍କ ମାଉସୀ ମା’ ମନ୍ଦିର ନିକଟରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିକାଶ ମେଳାର ପ୍ରଥମ ସନ୍ଧ୍ୟାରେ ଓଡ଼ିଆ ସଙ୍ଗୀତ ଜଗତର ପ୍ରବାଦ ପୁରୁଷ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ସ୍ମତିରେ ‘ଅକ୍ଷୟ ମହାନ୍ତି ସଙ୍ଗୀତ ସନ୍ଧ୍ୟା’ ଅତି ସଫଳତାର ସହିତ ପରିବେଷିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଉପେନ୍ଦ୍ର କୁମାର ପାଢୀ, ନିରୁପମା ଜେନା ଏବଂ ପରିଡା ଅକ୍ଷୟଙ୍କ କାଳଜୟୀ ଭଜନ, ଆଧୁନିକ ଏବଂ ଚଳଚିତ୍ର ସଙ୍ଗୀତ ଗାଇ ସମସ୍ତଙ୍କୁ ମତୁଆଲା କରିଥିଲେ । ସୁଶ୍ରୀ ସ୍ମୃତିରେଖା ବିଶ୍ୱାଳ ଏବଂ ପ୍ରତୀକ୍ଷା ନାୟକ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହ ଏବଂ ରାଜକିଶୋର ରାଉତ ଭାବଗ୍ରାହୀ କଳା ନିକେତନର ମୁଖ୍ୟ ବିମଳ ପରିଡାଙ୍କ ସମେତ ବହୁ ବ୍ୟକ୍ତଙ୍କୁୁ ସମ୍ବର୍ଦ୍ଧିତ କରିଥିଲେ । କଳାକାରମାନଙ୍କୁ ଉତ୍ସାହିତ କରିବାକୁ ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା ଉପସ୍ଥିତ ଥିଲେ ।