ଅକ୍ଷୟ ଶକ୍ତିର ଆକାଂକ୍ଷାକୁ ପୂରଣ ପାଇଁ ଆହ୍ୱାନ

 ଭୁବନେଶ୍ୱର: ଭାରତର ବୃହତ ପୁଞ୍ଜିନିବେଶ ସମ୍ମିଳନୀ ଉକôର୍ଷ ଓଡ଼ିଶା ସମ୍ମିଳନୀର ଆଜି ଥିଲା ଦ୍ୱିତୀୟ ଦିନ । ଏହି ଦିନରେ ବିକଶିତ ଓଡ଼ିଶା ପାଇଁ ଅକ୍ଷୟ ଶକ୍ତି ଏବଂ ଅକ୍ଷୟ ଶକ୍ତି ପାଇଁ ଉପକରଣ ଉତ୍ପାଦନ ନିମନ୍ତେ ଇକୋସିଷ୍ଟମ ସୃଷ୍ଟି କରିବା ବିଷୟବସ୍ତୁକୁ ନେଇ ଅଧିବେଶନ ଆୟୋଜିତ ହୋଇଯାଇଛି । ଏହି ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ତାଙ୍କ ସହ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ନିବେଶକ, ଛାତ୍ରଛାତ୍ରୀଙ୍କ ସମେତ ୩୦୦ରୁ ଅଧିକ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଥିଲେ କି, ଓଡ଼ିଶାର ସବୁଜ ଶକ୍ତିର ଭବିଷ୍ୟତକୁ ସଂରକ୍ଷିତ କରିବା ଏବଂ ଅକ୍ଷୟ ଶକ୍ତିର ଆକାଂକ୍ଷାକୁ ପୂରଣ କରିବା ଦିଗରେ ରାଜ୍ୟ ସରକାର ନିବେଶକମାନଙ୍କୁ ଆହ୍ୱାନ କରୁଛନ୍ତି । ବିକଶିତ ଓଡ଼ିଶା ୨୦୪୭ର ଦୃଷ୍ଟିକୋଣକୁ ଆଧାର କରି ଓଡ଼ିଶା ରାଜ୍ୟ ଶକ୍ତି କ୍ଷେତ୍ରର ବିକାଶ ପାଇଁ ଏକ ବ୍ୟାପକ ଏବଂ ଭବିଷ୍ୟତ ଚିନ୍ତାଧାରର ଆଭିମୁଖ୍ୟ ଗ୍ରହଣ କରିଛି । ପରିବେଶ ସନ୍ତୁଳନକୁ ବଜାୟ ରଖି ଉଦ୍ୟୋଗର ବିକାଶ କରିବା ଦିଗରେ ରାଜ୍ୟ ସରକାର ସଂକଳ୍ପବଦ୍ଧ । ଏହି ସମ୍ମିଳନୀର ଆୟୋଜନ ଦ୍ୱାରା ଶକ୍ତି କ୍ଷେତ୍ର ନିମନ୍ତେ ବିଶ୍ୱର ଅଗ୍ରଣୀ ଶିଳ୍ପପତିମାନେ ୪.୩୩ ଲକ୍ଷ କୋଟି ଟଙ୍କା ନିବେଶ କରିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି ।
ଅକ୍ଷୟ ଶକ୍ତିକୁ ନେଇ ଦୁଇଟି ଅଧିବେଶନର ଆୟୋଜନ କରାଯାଇଥିଲା । ପ୍ରଥମ ଅଧିବେଶନରେ ଅକ୍ଷୟ ଶକ୍ତି ମାଧ୍ୟମରେ ଓଡ଼ିଶାକୁ କିପରି ବିକଶିତ କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା । ଦ୍ୱିତୀୟ ଅଧିବେଶନରେ ଅକ୍ଷୟ ଶକ୍ତି ଉତ୍ପାଦନ ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ଓ ସରଞ୍ଜାମର ବିକାଶ କରିବା ସହ ଏକ ଅଭିବୃଦ୍ଧିର ଇକୋସିଷ୍ଟମ ପ୍ରସ୍ତୁତ କରିବା ପାଇଁ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ସ୍ୱାଗତ ଅଭିଭାଷଣ ରଖିଥିଲେ । ଏଥିସହିତ ଓଡ଼ିଶା ଶକ୍ତି କ୍ଷେତ୍ର-ଭବିଷ୍ୟତ ନିବେଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି କଫିଟେବୁଲ ବହି ଉନ୍ମୋଚିତ ହୋଇଛି ।