ଅଗ୍ନି ନିର୍ବାପକ ବ୍ୟବସ୍ଥା ଓ ସମସ୍ୟା
ଦିନକୁ ଦିନ ସହରାଞ୍ଚଳର ବ୍ୟବାସାୟିକ ପ୍ରତିଷ୍ଠାନ ସବୁ ଦ୍ରୁତ ଗତିରେ ବଢୁଥିବାର ଲକ୍ଷ୍ୟ କରାଗଲାଣି । ଦୋକାନ, ବଜାର, ଆପାର୍ଟ୍ମେଣ୍ଟ, ମଲ୍ ଆଦିର କଳେବର ବଢୁଥିବା ବେଳେ ଏହିସବୁ ସ୍ଥାନ ଗୁଡ଼ିକରେ ହେଉଥିବା ଜନ ସମାଗମକୁ ଦୃଷ୍ଟିରେ ରଖି ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ରହିବା ଆବଶ୍ୟକ । ଏ ପ୍ରକାରର କୋଠା ନିର୍ମାଣ ସମୟରେ ଆଇନତଃ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିଲେ ଏସବୁ ସ୍ଥାନ ଲୋକଙ୍କର ରହିବା କିମ୍ବା ଚଳାଚଳ ଉପଯୋଗୀ ନୁହେଁ ବୋଲି ଆପେ ଆପେ ପ୍ରମାଣିତ ହୋଇଯିବ । ବର୍ତ୍ତମାନ ଗ୍ରୀଷ୍ମ ତାପ ବଢ଼ି ବଢ଼ି ଚାଲିଥିବା ବେଳେ ବଡ଼ ବଡ଼ ମଲ୍ ଏବଂ ଆପାର୍ଟ୍ମେଣ୍ଟ୍ ଗୁଡ଼ିକରେ ରହିଥିବା ଅଗ୍ନି ନିର୍ବାପକ ବ୍ୟବସ୍ଥା କେବଳ ନାମକୁ ମାତ୍ର ରହିଛି । ସେସବୁ ମଧ୍ୟରୁ ଅଧିକାଂଶ ସ୍ଥାନରେ କାର୍ଯ୍ୟକ୍ଷମ ନାହିଁ । ମଲ୍ ଏବଂ କୋଠା ଗୁଡ଼ିକ ନିର୍ମାଣ ସମୟରେ ଅଗ୍ନିଶମ ବିଭାଗ ପକ୍ଷରୁ ଥରେ ପ୍ରମାଣପତ୍ର ନେଇଯିବା ପରେ ପ୍ରତିବର୍ଷ ଏହାର ଆଉ ଯାଞ୍ଚ୍ ହେବା ବ୍ୟବସ୍ଥା ନାହିଁ । କାଗଜ କଲମରେ ଏସବୁର ଯାଞ୍ଚ୍ ହେଇଯାଏ । ଅଗ୍ନିଶମ ବିଭାଗ ପକ୍ଷରୁ କ୍ଷେତ୍ରଗତ ଭାବରେ ଅଗ୍ନିନିର୍ବାପକ ଯନ୍ତ୍ର କାର୍ଯ୍ୟକାରୀ ହେଉଛି କି ନାହିଁ ତାହାର ଯାଞ୍ଚ୍ ହେଉନାହିଁ । ହଠାତ୍ ଯଦି କୌଣସି ବଡ଼ଧରଣର ଅଗ୍ନିକାଣ୍ଡ ଘଟେ ତାହା ହେଲେ ବିପୁଳ ସଂଖ୍ୟାରେ ଲୋକମାନଙ୍କର ଯିବା ଆସିବା ଲାଗି ରହିଥିବା ଆପାର୍ଟ୍ମେଣ୍ଟ୍ ଓ ମଲ୍ ଗୁଡ଼ିକରେ କି ପ୍ରକାରର ବିଭୀଷିକା ସୃଷ୍ଟି ହେବ ତାହା କଳନା କରିହେବ ନାହିଁ ।
ଗତ ଫେବୃଆରୀ, ମାର୍ଚ୍ଚ ଓ ଏପ୍ରିଲ୍ ମାସରେ ରାଜଧାନୀର କେତୋଟି ସ୍ଥାନରେ ଜନଗହଳି ଲାଗି ରହୁଥିବା ବ୍ୟବସାୟିକ ପ୍ରତିଷ୍ଠାନର ଏୟାର କଣ୍ଡିସନର୍ ଫାଟି ନିଆଁ ଲାଗିଥିବା ଘଟଣା ଘଟି ସାରିଲାଣି । ଆହିରୁ ଦେଢ଼ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ତେଣୁ ଏହି ସମୟ ମଧ୍ୟରେ କୌଣସି ପ୍ରକାରର ଏକ ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ତାହାର ମୁକାବିଲା ନିମିତ୍ତ ପଦକ୍ଷେପ ନେବା ଜରୁରୀ ।
ଅନେକ ସମୟରେ ଦେଖାଯାଉଛି ଯେ ବହୁ ଲୋକଙ୍କର ଜନସମାଗମହ ହେଉଥିବା ଡ଼ାକ୍ତରଖାନା କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଅଗ୍ନିକାଣ୍ଡ ଘଟିଲେ ବିପୁଳ ପରିମାଣର ଧନଜୀବନ ନଷ୍ଟ ହେଉଛି । ଠିକଣା ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ର ଗୁଡ଼ିକ କାମରେ ଲାଗୁ ନାହିଁ । ଏସବୁ କେବଳ ଦେଖିବା ପାଇଁ ରଖାଯାଇଛି । ଅଗ୍ନି ନିର୍ବାପକ ପାଇପ୍ରେ ପାଣି ରହୁନାହିଁ କିମ୍ବା ଅଙ୍ଗାରକାମ୍ଳ ଗ୍ୟାସ୍ର ପାଇପ୍ଲାଇନ୍ ନାମକୁ ମାତ୍ର ରହିଛି । ଅଚଳ ଅଗ୍ନି ନିର୍ବାପକ ଯନ୍ତ୍ର କେବଳ ନିଜକୁ ନିଜେ ଠକିବା ପାଇଁ ବ୍ୟବହାର କରାଯାଉଛି । ଏଭଳି ନିଜକୁ ନିଜେ ଠକିବା କାମ କେତେବେଳେ କାହା ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ତାହା କହିହେବ ନାହିଁ । ଆପାର୍ଟ୍ମେଣ୍ଟ, ମଲ୍, କର୍ପୋରେଟ୍ ହାଉସ୍, ବହୁତଳ ବିଶିଷ୍ଟ ଗୃହ ଆଦି ନିର୍ମାଣ ପରେ ଅଗ୍ନିଶମ ବିଭାଗ, ଏନ୍ଓସି ଜାରି କରିଥାଏ । ତେବେ ଥରେ ଏନ୍ଓସି ମିଳିଯିବା ପରେ ଆଉ ଦ୍ୱିତୀୟବାର ଏହାର ପୁନଃନବୀକରଣ ପାଇଁ କେହି ଉଦ୍ୟମ କରନ୍ତି ନାହିଁ କିମ୍ବା ଆଗ୍ରହ ଦେଖାନ୍ତି ନାହିଁ । ମାତ୍ର ବିପଦ ପଡ଼ିଲେ ଅଗ୍ନିଶମ ବାହିନୀର ସହାୟତା ଲୋଡ଼ନ୍ତି ।
ସେ ଯାହା ହେଉନା କାହିଁକି ଖରା ଦିନ ଏବଂ ଗ୍ରୀଷ୍ମର ଉତ୍ତାପ ବୃଦ୍ଧି ପାଉଥିବା ବେଳେ ଏୟାର୍ କଣ୍ଡିସନର୍ ଯନ୍ତ୍ର ଗୁଡ଼ିକର ତାପମାତ୍ରା କିଭଳି ବୃଦ୍ଧି କରାଯିବ ସେନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିଦେ୍ର୍ଦଶାବଳୀ ଜାରି କରାଯିବା ଆବଶ୍ୟକ । ବର୍ତ୍ତମାନ ପ୍ରାୟତଃ ପ୍ରତି ଘରେ ଏୟାର କଣ୍ଡିସନର୍ ଲାଗିଛି । ଦିନରାତି ୨୪ ଘଣ୍ଟା ସେସବୁ କାମ କରୁଛି । ତେଣୁ ସେଭଳି ଯନ୍ତ୍ରରୁ ଅତୀତର ଅଗ୍ନିକାଣ୍ଡ ଘଟଣା ଘଟିଥିବାର ଉଦାହରଣ ଥିବାରୁ ଏୟାର କଣ୍ଡିସନର୍ର ବ୍ୟବହାର ଉପରେ ମଧ୍ୟ ସ୍ୱତନ୍ତ୍ର ନିଦେ୍ର୍ଦଶାବଳୀ ଜାରି କରାଯିବାର ଆବଶ୍ୟକତା ଦେଖା ଦେଲାଣି । ଯେଉଁ ଯେଉଁ ସଂସ୍ଥା ସବୁ ଅଗ୍ନିଶମ ବାହିନୀରୁ ଅତୀତରେ ଏନ୍ଓସି ନେଇଛନ୍ତି, ସେହି ସଂସ୍ଥା ଗୁଡ଼ିକୁ ପ୍ରତିବର୍ଷ ଥରେ ଯାଞ୍ଚ୍ କରିବା କାମ ଅଗ୍ନିଶମ ବାହିନୀ ପକ୍ଷରୁ କରାଯିବା ନିହାତି ଜରୁରୀ ।