ଜୀବେ ଦୟା ବିଡ଼ମ୍ବନା
ଡ.ମନୋଜ କୁମାର ମହାନ୍ତି : ଚାକିରି-ଜୀବନ ପଞ୍ଜୁରୀଆବଦ୍ଧ ସାରୀର ଜୀବନଭଳି । ଯେଉଁଠି ଏକ ନିର୍ଦ୍ଧିଷ୍ଟ ପରିସୀମା ନିର୍ଦ୍ଧାରିତ ହୋଇଥାଏ, ସେଠି ଉଡ଼ିବାପାଇଁ ଚାହିଁଲେବି ତାହା ଖୋଲା ଆକାଶ ପରି ଅନୁଭବ ହୁଏନି । ସରକାରୀ ଚାକିରି ଅପେକ୍ଷା ବେସରକାରୀ ସଂସ୍ଥାରେ ଆତ୍ମନିଯୁକ୍ତି ସତରେ ପଞ୍ଜୁରୀଆବଦ୍ଧପୂର୍ଣ୍ଣ ଯନ୍ତ୍ରଣା । ପେଟପାଟଣା ପାଇଁ ସରକାରୀ ହେଉକି ବେସରକାରୀ ବୃତ୍ତିରେ ନିୟୋଜିତ ହେବା ଉଭୟ ଆନନ୍ଦ ନିରାନନ୍ଦର ଫେଣ୍ଟାଫେଣ୍ଟି ଅନୁଭୂତି । ମୋ ଆତ୍ମନିଯୁକ୍ତିର କର୍ମକ୍ଷେତ୍ର ଗାଁ ଘରଠାରୁ ପ୍ରାୟ ପଚାଶ କିଲୋମିଟର ଦୂରରେ ଅବସ୍ଥିତ । ପ୍ରଥମ କେଇମାସ ଘରଠାରୁ ଦୁଇଚକିଆ ଗାଡ଼ିରେ ଯାତାୟାତ ଅବଶ୍ୟ ଏକପ୍ରକାର ମନୋରଞ୍ଜନ ଥିଲା କିନ୍ତୁ ଗାଁଗହଳି କଂକ୍ରିଟ ଖାଲଢିପ ରାସ୍ତାରେ କ୍ରମାଗତ ଯାତାୟତ ଶାରୀରିକ ଅସୁସ୍ଥତା ଭଳି ସମସ୍ୟା ସୃଷ୍ଟିକରିବା ସ୍ୱାଭାବିକ ଘଟଣା । କେବଳ ଶାରୀରିକ ଅସୁସ୍ଥତା ନୁହେଁ, ଯନ୍ତ୍ରଣା ସହ ସମୟ ଅପଚୟ ।
ସେସବୁକୁ ଦୃଷ୍ଟିରେ ରଖି କର୍ମକ୍ଷେତ୍ର ନିକଟବର୍ତ୍ତୀ ସ୍ଥାନରେ ଭଡ଼ା ଆକାରରେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଘରକୁ ନେଲି । ଉଭୟ ଦୁଇଚକିଆ ଓ ଚାରିଚକିଆର ପାର୍କିଂ ବ୍ୟବସ୍ଥା । କିନ୍ତୁ ଉକ୍ତ ସ୍ଥାନରେ ମୂଷାଙ୍କ ଉପଦ୍ରବ ବିଷୟରେ ଅଜ୍ଞ ଥିବାରୁ ଚାରିଚକିଆ ଓ ଦୁଇଚକିଆ ଯାନବାହନକୁ କିଛିଦିନ ବ୍ୟବହାର ନକରି ଗୋଟେ ସ୍ଥାନରେ ଥୋଇଦେଲାପରେ ସେଥିରେ ଧୂଳିମଲି ଜମିବା ସହ ଝିଟିପିଟି ଅସରପା ବୁଢିଆଣୀ ଭଳି କୀଟଙ୍କର ଆଡ୍ଡାସ୍ଥଳୀରେ ପରିଣତି ହେବା ଏକ ପୁରୁଣା ଘଟଣା । ସେମାନଙ୍କ ନେତାଭାବେ ଛୁଞ୍ଚୁତୁରା ଓ ମୂଷା ଏକଛତ୍ରବାଦ ଶାସନ ଚଲାନ୍ତି ସେକଥା ସେମାନଙ୍କ ମଳମୂତ୍ର ଦୂର୍ଗନ୍ଧ ସହ ଗାଡ଼ିରେ ମୂଲ୍ୟବାନ ତାର ସଂଯୋଗର ଖଣ୍ଡବିଖଣ୍ଡିତ କାର୍ଯ୍ୟକଳାପକୁ ମୁଁ ଅନୁଭବ କଲି । ତୀକ୍ଷଣ ଦାନ୍ତ ଓ ନଖ ପାଇଥିବା ଜୀବଟି କରିବବା କଣ ? ସେ ତା ଋଚି ଅନୁସାରେ ଯାହା ଠିକ ଲାଗେ ତାହାହିଁ କରେ । କିନ୍ତୁ ବେଳେବେଳେ ଆମେ ଏତେ ସହଜରେ ବୁଝପାରୁନା ଯେ ମୂଷା ଓ ଛୁଞ୍ଚୁତୁରା କାହିଁକି ଏଭଳି କାର୍ଯ୍ୟକଲାପରେ ଲିପ୍ତରହି ମଣିଷର ମୂଲ୍ୟବାନ କାଗଜପତ୍ର ସହ ପୋଷାକ ଭଳି ଜିନିଷକୁ ନଷ୍ଟଭ୍ରଷ୍ଟ କରନ୍ତି ?
ଗଣେଶଙ୍କ ବାହନରୂପେ ମୂଷିକ ପୂଜା-ଅର୍ଚ୍ଚନା ପାଉଥିବା ମୂଷାମାନଙ୍କର ସତରେ କଣ କିଛି ବୁଦ୍ଧିଶୁଦ୍ଧି ନାହିଁକି! ଷଣ୍ଢ, ମୂଷା, ହଂସ, ପେଚା, ସିଂହ ଆଦି ପଶୁପକ୍ଷୀସମୁହ କେଉଁ ଦୃଷ୍ଟିକୋଣରୁ ଦେବାଦେବୀଙ୍କର ଏତେ ପ୍ରିୟ ? ଦେବାଦେବୀଙ୍କ ପ୍ରିୟ ସାଜି ଆମ ଚତୁଃପାର୍ଶ୍ୱରେ ଅବସ୍ଥାନ କରୁଥିବା ପଶୁପକ୍ଷୀଙ୍କ ନିକଟରେ ନିଶ୍ଚିତରୂପେ କିଛିନା କିଛି ଦକ୍ଷତା ଦେଖିବାକୁ ମିଳେ । ଯଦି ଦକ୍ଷତା ଓ ବୁଦ୍ଧି ନଥାନ୍ତା ସତରେ କଣ ନିଜ ବସାକୁ ଏତେ ସୁନ୍ଦରଭାବେ ଗଢ଼ିପାରନ୍ତା ବାଇଚଢେଇ! ଆମମାନଙ୍କର ବୁଦ୍ଧିଶୁଦ୍ଧି ଥାଇ ଆମେ କେତେ କଣ କରିଚାଲିଛନ୍ତି ତାର ହିସାବ ନାହିଁ । ମଣିଷ ଓ ମୂଷା ଭିତରେ କିଛି ଅନ୍ତର ନାହିଁ । ଏକାପ୍ରକାର ସ୍ୱଭାବ ଓ ଆଚରଣ । ମୂଷା ନିଜ ପ୍ରାଣ ସୁରକ୍ଷିତ ରଖିବାପାଇଁ ଗାତରେ ନଚେତ ଅଳଆଭିଡ଼ରେ ଲୁଚିଯାଏ ପୁଣି ସୁଯୋଗ ଦେଖି କାଟିବା ଆରମ୍ଭ କରେ । ମଣିଷବି ସୁବିଧା ସୁଯୋଗ ଦେଖି ଅନ୍ୟକୁ ଚିତାକାଟେ, ଅସୁବିଧାରେ ପକାଏ, ହଇରାଣ ହରକତ କରେ । ଖୋଲାରେ ବୁଲୁଥିବା ମଣିଷର ଉଗ୍ରସ୍ୱଭାବ କଥା କିଏବା ନଜାଣିଛି । ମଣିଷର ଉଗ୍ରସ୍ୱଭାବକୁ ରୋକିବା ନିମନ୍ତେ ଯେମିତ ଦଣ୍ଡବିଧାନ କରାଯାଇଛି ଠିକ୍ ସେମିତି ମୂଷାଙ୍କ ଦାଉରୁ ନିଜ ଆସବାସ ତଥା ମୂଲ୍ୟବାନ ଜିନିଷପତ୍ରକୁ ସୁରକ୍ଷା କରିବାପାଇଁ ମୂଷା ଔଷଧ ଓ ଯନ୍ତାର ସୃଷ୍ଟି ଏକ ରକମର ମୂଷାକୁ ଉପଯୁକ୍ତ ଶାସ୍ତି ଦେବାପାଇଁ ଉଦ୍ଦିଷ୍ଟ ।
ଶାସ୍ତି କେବେ ମୃତ୍ୟଦଣ୍ଡ ପୁଣି କେବେ ଶାରୀରିକ କ୍ଳେଶ । ମୂଷାକୁ ଔଷଧ ଦେଇ ମାରିବା ଏକ ହିଂସାତ୍ମକ ଆଚରଣ । ବିନା ଯନ୍ତାରେ ମୂଷାଙ୍କୁ ଧରିବା ଅସମ୍ଭବ । ତେଣୁ ଯନ୍ତାରେ ଥରେ ମୂଷାକୁ ଧରି ତାକୁ ଉପଯୁକ୍ତ ଶାସ୍ତି ଦେବା ଉଦ୍ଦେଶ୍ୟରେ ଯନ୍ତାଟିଏ କିଣି ରାତିରେ ଯନ୍ତାରେ କେକ ଦେଇ ରୋଷେଇଘର ଥାକରେ ରଖି ଶୋଇବା ଭିତରେ ମୂଷାଟି ଯନ୍ତାରେ ଆବଦ୍ଧ ହୋଇ ଛାଟିବାଡେଇ ହେବାର ଦୃଶ୍ୟ ଅତ୍ୟନ୍ତ ଆନନ୍ଦମୟ । ଜୀବପ୍ରତି ଦୟା ବିନୟର ପ୍ରତିଦାନକୁ ଯଦି ଜୀବଜନ୍ତୁ ସତରେ ବୁଝିପାରନ୍ତେ ତେବେ ମଣିଷ ତାକୁ ନିଜର କରି ରଖନ୍ତା । ଯଦି ମୂଷାଟିଏ କେବଳ ଖାଦ୍ୟ ଲକ୍ଷ୍ୟରେ ଘରକୁ ଆସନ୍ତା ତାହେଲେ ପ୍ରତିଦିନ ନଷ୍ଟ ହେଉଥିବା ଦି-ଚାରି ମୁଠା ଦେବାରେ କୌଣଷି ଦ୍ୱିଧା ଉତ୍ପନ୍ନ ହୁଅନ୍ତାନାହିଁ । ଯନ୍ତାରେ ଆବଦ୍ଧ ମୂଷାଟି ପ୍ରତି ଯେତିକି ରାଗ ତାଠାରୁ ଯଥେଷ୍ଟ ଦୟା କିନ୍ତୁ କଥାରେ ଅଛି ଦୟା ସେଇମାନଙ୍କୁ କରାଯାଇଥାଏ ଯେଉଁମାନେ ଅନ୍ୟର ଅନିଷ୍ଟ କରିନଥାନ୍ତି ।ସ୍ୱେଚ୍ଛାରେ ସମ୍ପାଦନ କରାଯାଉଥିବା ପ୍ରତିଟି କର୍ମପାଇଁ ବ୍ୟକ୍ତି ଉତ୍ତରଦାୟୀ । ପ୍ରତିଟି ଅନିଷ୍ଟ ଓ ଅମଙ୍ଗଳ କାର୍ଯ୍ୟରେ ଲିପ୍ତ ପ୍ରାଣୀ ଦଣ୍ଡପାଇବା ଉଚିତ୍ । ସମସ୍ତଙ୍କୁ ସ୍ୱାଧୀନତା ମିଳିଛି ତା ଅର୍ଥ ନୁହେଁ ଅନ୍ୟର ଅନିଷ୍ଟ କରିବା । ଅନିଷ୍ଟ କରୁଥିବା ଜୀବକୁ ଯଦି ଛାଡ଼ି ଦିଆଯାଏ ତେବେ ତାର ପ୍ରାଦୁର୍ଭାବ ଦିନକୁଦିନ ବଢି ଚାଲିବ । ଜୀବପ୍ରତି ଦୟା ଯେତିକି ଆବଶ୍ୟକ ତାପାଇଁ ଦଣ୍ଡବିଧାନ ମଧ୍ୟ ସେତିକି ଗ୍ରହଣୀୟ । ମଶାରୀକୁ ସାଇତିସୁଇତି ବାନ୍ଧିଲାପରେବି ଅନେକ ସମୟରେ ମଶା ପଶିବାକୁ ଉଦ୍ୟମ କରେ । ଯଦି ରକ୍ତପାନ କରିବା ଲକ୍ଷ୍ୟରେ ମଶାର ସୃଷ୍ଟି ଓ ଜନ୍ମଗତ ଅଧିକାର ତେବେ ମଶାଙ୍କୁ ବିନାଶ କରିବା ମଣିଷର ବି କର୍ତ୍ତବ୍ୟ । ମଣିଷ ଯେତେ ସଚେତନ ତଥା ସୁରକ୍ଷିତ ହେଲେବି ଜୀବଜନ୍ତୁଙ୍କ ଯନ୍ତ୍ରଣାରୁ ରକ୍ଷାପାଇବା ଅସମ୍ଭବ । ଆଜିର ମଣିଷ ମଶା ଓ ମୂଷାଙ୍କ ଭଳି ଦିନକୁ ଦିନ ଅମାନିଆ, ଅବିବେକି ସହ ହିତାହିତ ଜ୍ଞାନ ଭୁଲି ଯେଉଁ କର୍ମରେ ଲିପ୍ତ ରହୁଛି ତାର ହିସାବ କିଏ କରିବ ? ସେଥିପାଇଁ ମଣିଷକୁ ପଥଭ୍ରଷ୍ଟରୁ ରୋକିବାପାଇଁ ଜେଲ ଓ ମୂଷାଙ୍କୁ ରୋକିବା ପାଇଁ ଯନ୍ତାରୂପକ ଶାସ୍ତି ଏକାନ୍ତ ପ୍ରୟୋଜନ ।
ଭଦ୍ରକ, ମୋ:୮୮୯୫୩୪୧୦୩୩
Samir Kumar Rout