ପ୍ରାଥମିକ ଶିକ୍ଷାର ଦୁର୍ବଳ ମୂଳଦୁଆ

ସୌଭାଗ୍ୟ ରଂଜନ ମହାନ୍ତି : ନିକଟରେ ପ୍ରକାଶିତ ଦୁଇଟି ସର୍ଭେ ରିପୋର୍ଟ ଦେଶର ସାକ୍ଷରତା ତଥା ଲେଖିବା, ପଢିବା ଏବଂ ଗଣିତ ସ୍ତରରେ ଦେଶର ମୂଳଦୁଆ ଦୟନୀୟ ସ୍ଥିତିକୁ ପ୍ରଦର୍ଶିିତ କରିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ଏବଂ ୟୁନୋସ୍କୋର ସଷ୍ଟେନବୁଲ ଡେଭଲମେଂଟ ଗୋଲସ-୪(ଏସଡିଜି-୪) ନିକଟରେ ଦେଶରେ ବିଭିନ୍ନ ଅଂଚଳରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରି ଏହି ରିପୋର୍ଟ ପ୍ରକାଶ କରିଛନ୍ତି । ଦେଶର ୩୬ଟି ରାଜ୍ୟ ଓ  କେନ୍ଦ୍ରଶାସିତ ଅଂଚଳର ୭୪,୨୨୯ଟି ସରକାରୀ ଓ ଘରୋଇ ବିଦ୍ୟାଳୟର ତୃତୀୟ, ଷଷ୍ଠ ଏବଂ ନବମ ଶ୍ରେଣୀର ମୋଟ ୨୧ଲକ୍ଷ, ୧୫ ହଜାର ୨୨ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରି ରିପୋର୍ଟ ପ୍ରକାଶ କରିଥିବା ବେଳେ ଏହି ତିନୋଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତୃତୀୟ ଶ୍ରେଣୀର ପିଲାମାନେ ତୁଳନାତ୍ମକ ଭାବେ ଉତ୍ତମ ଫଳ ପ୍ରଦର୍ଶନ କରିଥିବା ଉଲ୍ଲେଖ କରିଛି । ସେମାନଙ୍କ ମଧ୍ୟରୁ କେବଳ ୫୫ପ୍ରତିଶତ ଛାତ୍ରଛାତ୍ରୀ ୧୦ରୁ ୯୯ପର୍ଯ୍ୟନ୍ତ ସଂଖ୍ୟାଗୁଡିକୁ ଉଭୟ ଉପରମୁଖୀ ଓ ନିମ୍ନମୁହାଁ ସଜାଇ ପାରୁଥିବା ବେଳେ ୫୮ପ୍ରତିଶତ ଛାତ୍ରଛାତ୍ରୀ ଦୁଇଅଙ୍କ ବିଶିଷ୍ଟ ମିଶାଣ ଓ ଫେଡାଣ କରିବାରେ ସକ୍ଷମ ହୋଇଛନ୍ତି । ମାତ୍ର ଷଷ୍ଠ ଶ୍ରେଣୀରେ ଏହି ହାର ହ୍ରାସ ପାଇଛି । ଷଷ୍ଠ ଶ୍ରେଣୀରେ ୫୪ ପ୍ରତିଶତ ଛାତ୍ରଛାତ୍ରୀ ପୂର୍ଣ୍ଣସଂଖ୍ୟା ବା ଅଭଗ୍ନ ରାଶିର ତୁଳନା ଏବଂ ବଡବଡ ସଂଖ୍ୟା ପଢିପାରୁନଥିବା ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟରେ କୁହାଯାଇଛି । ସେହିପରି ୨୦୨୫-ୟୁନୋସ୍କୋର ଏସଡିଜି-୪ ରିପୋର୍ଟରେ ଭାରତର ହାରାହାରି ପ୍ରାଥମିକ ଓ ନିମ୍ନ ମାଧ୍ୟମିକ ଶିକ୍ଷା ସମ୍ପାଦନ ଦକ୍ଷିଣ ଏସୀୟ ଅଂଚଳ ତୁଳନାରେ ଉତ୍ତମ ରହିଛି । ଏପରିକି ଦକ୍ଷିଣ ଏସୀୟ ଅଂଚଳର ଉଚ୍ଚ ଆୟକାରୀ ରାଷ୍ଟ୍ରଗୁଡିକରେ ପ୍ରାଥମିକ ଓ  ନିମ୍ନ ମାଧ୍ୟମିକ ଶିକ୍ଷା ସାର୍ବଜନୀନ ହୋଇଥିବା ସତ୍ତେ୍ୱ ଭାରତର ସ୍ଥିତି ଉତ୍ତମ ରହିଥିବା କୁହାଯାଇଛି । କିନ୍ତୁ ଦେଶରେ ଷଷ୍ଠ ଶ୍ରେଣୀର ୪୩ ପ୍ରତିଶତ ଛାତ୍ରଛାତ୍ରୀ ପାଠ୍ୟପୁସ୍ତକର ମୁଖ୍ୟ ସାରାଂଶକୁ ବୁଝିପାରିନାହାଁନ୍ତି କିମ୍ବା ସମାଧାନ କରିବାରେ ଅକ୍ଷମ ହୋଇଛନ୍ତି । ସେହିପରି ଦେଶରେ ୫୧ ପ୍ରତିଶତ ଛାତ୍ରଛାତ୍ରୀ ପଂଚାୟତରାଜ କଣ ବୁଝିପାରିନଥିବା ବେଳେ ନଦୀ, ପର୍ବତମାଳା ଚିହ୍ନଟ କରିବାରେ ସକ୍ଷମ ନାହାଁନ୍ତି । ସେହିପରି ଏସଡିଜି-୪ ରିପୋର୍ଟ ଆହୁରି ଦର୍ଶାଇଛି ଯେ, ଭାରତର ଉଚ୍ଚମାଧ୍ୟମିକ ଓ ତୃତୀୟ ସ୍ତରୀୟ ଶିକ୍ଷା ମଧ୍ୟ ଉଦ୍‌ବେଗଜନକ ଭାବେ କକ୍ଷ୍ୟଚ୍ୟୁତ ହୋଇଛି । ୧୫ରୁ ୧୭ବର୍ଷ ବର୍ଗରେ ୨୧ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟ ବାହାରେ ରହିଛନ୍ତି ।  ଦେଶରେ ମାଧ୍ୟମିକ ଶିକ୍ଷାସ୍ତରରେ ଡ୍ରପ୍‌ ଆଉଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶିକ୍ଷାର ସ୍ଥିତି ଏବେ ଦୟନୀୟ ରହିଛି ଯେ, ନବମ ଶ୍ରେଣୀର ୬୩ ପ୍ରତିଶତ ପିଲା ହରଣ କିମ୍ବା ଗୁଣନ ବୁଝିପାରୁନଥିବା ବେଳେ ସରଳ ସଂଖ୍ୟାଗୁଡିକୁ ଚିହ୍ନଟ କରିପାରୁନାହାଁନ୍ତି । ଆହୁରି ମଧ୍ୟ ସେମାନେ ୭ର ବର୍ଗ କିମ୍ବା ତୃତୀୟ ବର୍ଗ କେତେ ଜାଣନ୍ତି ନାହିଁ । ସେହିପରି ୬୦ପ୍ରତିଶତ ପିଲା ଯେକୌଣସି ବିଷୟରେ ବେଂଚମାର୍କ ଅତିକ୍ରମ କରିବାରେ ବିଫଳ ଥିବା କୁହାଯାଇଛି । ମୋଟାମୋଟି ଭାବେ ଏହି ତିନି ଶ୍ରେଣୀ ତଥା ତୃତୀୟ, ଷଷ୍ଠ ଏବଂ ନବମରେ ପିଲାମାନେ ସମ୍ପୂର୍ଣ୍ଣ ଦୁର୍ବଳ ଥିବା ରିପୋର୍ଟ କହେ । ତେବେ ସହରାଚଂଳରେ ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗ୍ରାମାଂଚଳ ପିଲାଙ୍କ ତୁଳନାରେ ଉତ୍ତମ ଫଳ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଗ୍ରାମାଂଚଳରେ ତୃତୀୟ ଶ୍ରେଣୀର ପିଲାମେନେ ଉଭୟ ସାହିତ୍ୟ ଓ ଗଣିତରେ ଉତ୍ତମ ସ୍ଥିତିରେ ଅଛନ୍ତି । ଏସଡିଜି-୪ ରିପୋର୍ଟରେ ଆହୁରି ଭାରତ ଏବେ ଲିଙ୍ଗଗତ ସମାନତା ଆଡକୁ ଅଗ୍ରସର ହେଉଛି । କିନ୍ତୁ ଲିଙ୍ଗଗତ ପାର୍ଥକ୍ୟ ନେଇ ଭାରତୀୟ ସର୍ଭେ ଏବେ ବି ଅସୁଖୀ ରହିଛି ।  ରିପୋର୍ଟରେ ଏସଡିଜି-୪ ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦର୍ଶାଇଛି, ତାହା ହେଉଛି ଭାରତରେ ଶିକ୍ଷା ପାଣ୍ଠି ନିଅଂଟିଆ ସ୍ଥିତି । ଗତ ୨୦୨୩ରେ ଭାରତରେ ଶିକ୍ଷା ବ୍ୟୟ ଜିଡିପିର ୩.୧ ପ୍ରତିଶତ ଥିବାବେଳେ ଆଂଚଳିକ ସ୍ତରରେ ହାରାହାରି ବ୍ୟୟ ୩.୪ ପ୍ରତିଶତ ରହିଛି । କିନ୍ତୁ ଶିକ୍ଷା ପାଣ୍ଠି ଜିଜିପିରୁ ୪ ପ୍ରତିଶତ ଏସଡିଜି ଧାର୍ଯ୍ୟ କରିଛି । କିନ୍ତୁ ସୁଖର କଥା ଜାତୀୟ ଶିକ୍ଷାନୀତି-୨୦୨୦ ଶିକ୍ଷା ବ୍ୟୟ ଜିଜିପିର ୬ପ୍ରତିଶତ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଉଚ୍ଚ ଆୟକାରୀ ରାଷ୍ଟ୍ରଗୁଡିକରେ ଶିକ୍ଷାବ୍ୟୟ ଏବେ ଜିଜିପିର ୪.୮ ପ୍ରତିଶତରୁ ୫.୫ ପ୍ରତିଶତ ରହିଛି । ଏବେ ଏହି ଦେଶଗୁଡିକ ସ୍କୁଲଶିକ୍ଷାରେ ବେଂଚମାର୍କ ନିକଟତର ବୋଲି ଏସଡିଜି-୪ ରିପୋର୍ଟ କହେ । ଭାରତରେ ଆଉ ଏକ ମୂଳଦୁଆଜନିତ ସମସ୍ୟା ହେଉଛି ପ୍ରାଥମିକ ଶିକ୍ଷା ସ୍ତରରେ ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଘୋର ଅଭାବ । ଭାରତ ପ୍ରାଥମିକ ଓ ନିମ୍ନ ମାଧ୍ୟମିକ ସ୍ତରରେ ଶିକ୍ଷାକୁ ସାର୍ବଜନୀନ କରିଥିବା ସତ୍ତେ୍ୱ ଦେଶରେ ସ୍କୁଲ ଶିକ୍ଷା ଦୁର୍ବଳ ସ୍ଥିତିରେ ରହିଛି । ଏହା ନିଃସନ୍ଦେହ ଯେ, ସ୍କୁଲ ଶିକ୍ଷାର ଦୁର୍ବଳତାକୁ ଚିହ୍ନଟ କରି ଭାରତ ଏହାର ସମାଧାନ କରିବା ଏକାନ୍ତ ଆବଶ୍ୟକ ବୋଲି ଏସଡିଜି-୪ ରିପୋର୍ଟ ପରାମର୍ଶ ଦେଇଛି ।
ମୋ:୭୯୭୮୬୬୬୪୦୩