ଅଙ୍ଗନବାଡି କର୍ମୀଙ୍କୁ ଅସଦାଚରଣ, ୮ଜଣଙ୍କ ନାଁରେ ମାମଲା

 ନୂଆପଡା : ବର୍ତ୍ତମାନ ରାଜ୍ୟରେ ନାରୀ ନିର୍ଯାତନା, ଧର୍ଷଣ, ଆତ୍ମାହୁତି, ମାରପିଟ ଓ କଙ୍ଗାରୁ କୋର୍ଟ ପରି ଅନେକ ଘଟଣା ଆଖିରୁ ନ ଲିଭିଣୁ ଆଉ ଏକ ଘଟଣା ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଠୁଠୀବର ଗ୍ରାମରେ ଦେଖିବାକୁ ମିଳିଛି । ଅସହାୟ ବିଧବା ଅଙ୍ଗନବାଡ଼ି କର୍ମୀଙ୍କୁ ଗ୍ରାମର କିଛି ବ୍ୟକ୍ତି ମିଶି ଅସଦାଚରଣ କରିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ଗ୍ରାମ ସାରା ବୁଲାଉଥିବା ଭିଡିଓ ଭାଇରାଲ ହେଉଛି । ଅସହାୟ ବିଧବା ମହିଳା ଜଣକ ଠୁଠୀବର ଗାଁର ଜଣେ ଯୁବକଙ୍କୁ ବିବାହ କରିଥିବାବେଳେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଛି । ଏବେ ୧୭ ବର୍ଷର ଏକ ପୁଅ ସହିତ ଅଙ୍ଗନବାଡ଼ି କାମ କରି ଅନ୍ୟ ଜଣକ ଘରେ ଆଶ୍ରୟ ନେଇ ଗୁଜୁରାଣ ମେଣ୍ଟାଉଛନ୍ତି । ମହିଳାଙ୍କ ପୈତୃକ ଘର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ପିପେଲବାହାଲ ଗ୍ରାମ ବୋଲି ଜଣାପଡିଛି । ଅଭିଯୋଗ ଅନୁସାରେ ଗ୍ରାମର ଅଯୁକ ଲାଲ ବେମାଲ ବିଧବା ମହିଳାଙ୍କ ମୋବାଇଲକୁ ଛଡାଇ ନେବା ସହ ଫୋନ୍ପେରୁ ୭୫ ହଜାର ଟଙ୍କା ଟ୍ରାନ୍ସଫର୍ମର  କରିଥିବା ଅଭିଯୋଗ କରିଛନ୍ତି । ତାଙ୍କ ଠାରୁ ମୋବାଇଲ ଟାଣି ନେବା ପରେ  ମହିଳା ବିରୋଧ କରିବାରୁ ଗତ ୨୦ତାରିଖରେ ମୋବାଇଲ ଫେରାଇଛନ୍ତି କିନ୍ତୁ ମହିଳାକୁ ବିନା ଦୋଷରେ ଗ୍ରାମରେ ବୁଲାଉଥିବାବେଳେ ଭିଡିଓ ଭାଇରାଲ ହେଉଛି । ମହିଳାଙ୍କୁ ଭିଡିଓରେ କିଛି ଲୋକ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଥିଲା । ସେହିପରି  ଜଣେ ଲୋକ ଅଙ୍ଗନବାଡ଼ି କେନ୍ଦ୍ରର ଗେଟ ସମ୍ମୁଖରେ ମହିଳାଙ୍କୁ ଧକ୍କା ମରିବାର ଦୃଶ୍ୟ ଭାଇରାଲ ହେଉଛି । ଉପରୋକ୍ତ ଘଟଣାଟି ଚଳିତ ମାସ ୧୪ ଜୁଲାଇ ୨୦୨୫ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି  । ମହିଳା  ଜଣକ ନିଜକୁ ଅପମାନିତ ବୋଧ କରି ୨୧ ତାରିଖ ରେ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କୋମନା ଥାନା ରେ ମହିଳାଙ୍କ ଅଭିଯୋଗକୁ ଆଧାର କରି ଆଠ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଅସଦାଚରଣ କରିଥିବା ବ୍ୟକ୍ତି ମାନଙ୍କ ନାମରେ ବି.ଏନ.ଏସ. ର ଧାରା୧୨୬(୨),୨୯୬,୭୪,୧୩୫(୨),୩୦୪(୨)୩(୫) ଦଫା ଲଗାଯାଇଛି ।  ଅଯୁକ ଲାଲ ବେମାଲ, ଗୋଲାପୀ ବେମାଲ,ନାରାୟଣ ବେମାଲ, ନରେଶ ବେମାଲ,ଜଗବନ୍ଧୁ ବେମାଲ, ଅଚୁ୍ୟତ ବିଶ୍ୱାଳ, ଘନଶ୍ୟାମ ସୁନା, ହିମାଂଶୁ ମାଝୀ ଏମାନେ ସମସ୍ତେ ଠୁଟିବର ଗ୍ରାମର ବୋଲି ଜଣାପଡିଛି । ଏ ସମ୍ପର୍କରେ କୋମନା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଦେବକୀ ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରୁ ଠୁଠୀବର ଗାଁ ଘଟଣା ସମ୍ପୂର୍ଣ୍ଣ ସତ୍ୟ ବୋଲି ପ୍ରକାଶ କରିଥିଲେ । ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।