ଅଙ୍ଗନବାଡ଼ି ଦିଦିଙ୍କ ମନମାନିକୁ ନେଇ ଉତ୍ତେଜନା 

ପାରାଦୀପ : ଉତ୍ତେଜନା ପ୍ରବଣ ହୋଇପଡିଛି ପାରାଦୀପ ଉପକଣ୍ଠ ନୂଆଗଡ ପଞ୍ଚାୟତ ଅଧୀନ ବିଜୟଚାନ୍ଦପୁର ଗାଁ । ଗ୍ରାମରେ ରହିଥିବା ଅଙ୍ଗନବାଡି କେନ୍ଦ୍ରର ଦିଦିଙ୍କ ମନମାନିକୁ ନେଇ ଗ୍ରାମର ମହିଳାମାନେ ତୀବ୍ର ବିରୋଧ କରିଛନ୍ତି । ଯାହାକୁ ନେଇ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଗାଁ ରେ  ଅଙ୍ଗନବାଡି କେନ୍ଦ୍ର ରହିଛି, ହେଲେ ପିଲାଙ୍କୁ ପାଠ ପଢିବାର ସୁବିଧା ନାହିଁ କି, ସରକାରଙ୍କ ତରଫରୁ ଆସୁଥିବା ଛତୁଆ, ଅଣ୍ଡା ବି ମିଳୁନି । ଯାହାକୁ ନେଇ ଗ୍ରାମର ଶତାଧିକ ମହିଳା ଏକତ୍ରିତ ହୋଇ ଅଙ୍ଗନବାଡି କେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦିଦିଙ୍କ ଘର ସମ୍ମୁଖରେ ହୋହଲ୍ଲା କରିଛନ୍ତି । ଗ୍ରାମର ମହିଳାଙ୍କ ଅଭିଯୋଗ ଅନୁଯାୟୀ ଅଙ୍ଗନବାଡି ଦିଦିଙ୍କ ମନମାନିରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଦିଦି ନିଜ ଘରେ ପିଲାଙ୍କୁ ପଢାଉଛନ୍ତି, ପିଲାଙ୍କ ପାଇଁ ସରକାରଙ୍କ ତରଫରୁ ଆସୁଥିବା ଅଣ୍ଡା, ଛତୁଆ,ଡାଲି, ଚାଉଳ ସବୁ ପିଲା ଓ ମା’ଙ୍କୁ ମିଳୁନାହିଁ । ଏହାକୁ ଅଙ୍ଗନବାଡି ଦିଦି ହଡପ କରି ବିକ୍ରି କରୁଥିବା ନେଇ ଅଭିଯୋଗ ଆଣିବା ସହିତ ଏ ନେଇ କୁଜଙ୍ଗ ସିଡିପିଓ ଓ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । ଦୁର୍ନୀତିରେ ଲିପ୍ତ ଅଙ୍ଗନବାଡି ଦିଦିଙ୍କୁ ତୁରନ୍ତ ସରକାରଙ୍କ ତରଫରୁ ଛଟେଇ କରି ନୂତନ ଅଙ୍ଗନବାଡି ଦିଦି ନିଯୁକ୍ତି କରିବାକୁ ଦାବି ନେଇ ମହିଳାମାନେ ନାରାବାଜି କରିବା ସହିତ ଅଙ୍ଗନବାଡି କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ଏହି ଅଙ୍ଗନବାଡି ଦିଦିଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇନାହିଁ ସେ ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରଖିବାକୁ ମହିଳାମାନେ ଚେତାବନୀ ଦେଇଛନ୍ତି । ଯଦି କେହି ଏହାର ପ୍ରତିବାଦ କରୁଛନ୍ତି ତେବେ ଗ୍ରାମବାସୀଙ୍କୁ ଦିଦି ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏପରିକି ଚଞ୍ଚକତାପୂର୍ବକ ନିଜ ଝିଅକୁ ସେହି କେନ୍ଦ୍ରର ସହାୟିକା ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ । ତେବେ ମହିଳା ମାନଙ୍କ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଅଙ୍ଗନବାଡି ଦିଦି । କହିଛନ୍ତି ତାଙ୍କ ପାଖରେ ପ୍ରମାଣ ଅଛି ବୋଲି କହିଛନ୍ତି ।