ମାଟି ଚାଲାଣ ବେଳେ ୫ ହାଇୱା ଜବତ

 ଚଣ୍ଡିଖୋଲ:  ରବିବାର ବିଳମ୍ବିତ ରାତିରେ ଦର୍ପଣ ତହସିଲ ଖଇରା ରାଜସ୍ୱ ନିରୀକ୍ଷକ ସର୍କଲ ବାଘୁଆ ମୌଜାରୁ ବେଆଇନ  ମାଟି ଚାଲାଣ କରୁଥିବା ୫ଟି ହାଇୱା ଜବତ ହୋଇଛି । ସ୍ଥାନୀୟ ଅଞ୍ଚଳର କିଛି ଯୁବକ ହାଇୱାକୁ ଅଟକାଇ ଦର୍ପଣର ଅତିରିକ୍ତ ତହସିଲଦାର ଓ ବଡ଼ଚଣା ଥାନାକୁ ଖବର ଦେଇଥିଲେ । ହେଲେ ତହସିଲ କି ପୁଲିସ ପହଁଚିବା ବିଳମ୍ବ କରିବାରୁ ଶତାଧିକ ଗ୍ରାମବାସୀ ଥାନାରେ ପହଁଚି ହୋହଲା କରିଥିଲେ । ଗ୍ରାମବାସୀଙ୍କ ହୋ ହଲା ଦେଖି ଥାନା ଗାଡି ଓ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଁଚି ଗାଡ଼ିଗୁଡିକ ଜବତ କରି ଥାନାକୁ ଆଣିଛନ୍ତି । ଆଜି ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ସଂସ୍ଥାର କିଛି କର୍ମଚାରୀ ଥାନାରେ ପହଁଚି ଆମର ମାଟି ଚାଲାଣ ପାଇଁ ଅନୁମତି ଥିବା ଦର୍ଶାଇ ଗାଡି ଗୁଡିକୁ ଛାଡିବା ପାଇଁ ପ୍ରବଳ ଚାପ ପକାଇଥିଲେ । ଖବରପାଇ ଗଣମାଧ୍ୟମ ପ୍ରତିନିଧି ପହଁଚିବାଯିବାରୁ  କମ୍ପାନୀ ଲୋକ ଥାନାରୁ ଚମ୍ପଟ ମାରିଥିଲେ । ମିଳିଥିବା ସୂଚନାନୁଯାୟୀ ଉକ୍ତ ମୌଜାର୨୯୩ ନମ୍ବର ପ୍ଲଟରେ ପୋଖରୀ ଖନନ ପାଇଁ ଅନୁମତି ଦିଆଯାଇଛି । ଖନନ ବେଳେ ଯେଉଁ ମାଟି ବାହାରିବ ଉକ୍ତ ମାଟିକୁ ସେହି ପୋଖରୀର ବନ୍ଧ ଭାବେ ବ୍ୟବହାର କରିବାକୁ ସରକାରୀ ସ୍ତରରେ ସ୍ପଷ୍ଟ ଉଲେଖ ରହିଛି । କିନ୍ତୁ ଏଠାରେ ସ୍ଥିତି ଭିନ୍ନଥିବା ଦେଖିବାକୁ ମିଳିଛି । ଯେଉଁ ସ୍ଥାନରେ ପୋଖରୀ ପାଇଁ ଅନୁମତି ପ୍ରଦାନ କରାଯାଇଛି ଉକ୍ତ ସ୍ଥାନରେ ଖନନ ନକରି ନିକଟରେ ଥିବା ୨୩୮ନଂ ପ୍ଲଟ ଯାହାକି ବୃନ୍ଦାବନ ରାଉତଙ୍କ ନାମରେ ଅଛି ଓ ଏହାର ପାର୍ଶ୍ୱକୁ ଲାଗି ଏକ ପତିତ ଜମିରୁ  ଖନନ କରାଯାଇଥିବା ରାଜସ୍ୱ ନିରୀକ୍ଷକ ସୂଚନା ଦେଇଛନ୍ତି । ଜବତ ଗାଡି ଗୁଡିକ ହେଲା ଓଡ଼ି୧୯ଭି-୭୩୩୦, ଓଡ଼ି୧୯ଭି-୭୩୭୩, ଓଡ଼ି୧୯ଭି-୬୮୦୨, ଓଡ଼ି୧୯ଭି-୬୮୯୯, ଓଡ଼ି୦୪ଇଉ-୫୭୮୬ ବୋଲି ଜଣାପଡିଛି । ବେଆଇନ ମାଟି ଚୋରା ଚାଲାଣର ଉଚ୍ଚ ସ୍ତରୀୟ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଥିବା ବେଳେ ଜବତ ଗାଡି ଗୁଡିକୁ ଖସାଇବା ପାଇଁ କମ୍ପାନୀ କର୍ତୃପକ୍ଷ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ।