ରାଇରଙ୍ଗପୁର ପୁଲିସ ଜିଲ୍ଲା ଘୋଷଣାକୁ ସ୍ୱାଗତ

 ରାଇରଙ୍ଗପୁର : ଦୀର୍ଘ ଦିନର ଦାବି ପରେ ବହୁ ପ୍ରତିକ୍ଷୀତ ରାଇରଙ୍ଗପୁର ପୁଲିସ ଜିଲ୍ଲା ଘୋଷଣା ହେବାକୁ ଯାଉଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ଏବେ ସାରା ଭାରତ ବର୍ଷରେ ଚର୍ଚ୍ଚାରେ ରହିଛି । ରାଇରଙ୍ଗପୁରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପଦ ଥିଲା ବେଳେ ଏବେ ଜଣେ ଆରକ୍ଷୀ ଅଧିକ୍ଷକ ରହିବେ । ରାଇରଙ୍ଗପୁର ପୁଲିସ ଜିଲ୍ଲା ଅଧୀନରେ ବାମନଘାଟି ଓ ପାଞ୍ଚପୀଡ଼ ଉପଖଣ୍ଡର ସମସ୍ତ ଥାନା ଗୁଡିକ ଅନ୍ତର୍ଭୁକ୍ତ । ବାମନଘାଟି ଉପଖଣ୍ଡର ରାଇରଙ୍ଗପୁର ଟାଉନ ଥାନା, ରାଇରଙ୍ଗପୁର ଗ୍ରାମାଞ୍ଚଳ, ଗୋରୁମାହିଶାଣୀ, ତିରିଂ, ବହଳଦା, ଜାମଦା, ବାଦାମପାହାଡ଼ ଏବଂ ବିଶୋଇ ଥାନା ଏହିପରି ୮ଟି ଥାନା ଓ ଝରାଡ଼ିହି, ହତବାଦଡା ଓ ସୁଳେଇପାଟ ଫାଣ୍ଡି ସହ ବିଶୋଇ ଥାନା ଅଧୀନରେ ମଣଦା ଠାରେ ଏକ ବିଟ୍ ହାଉସ ରହିଛି । ସେହିପରି ପାଞ୍ଚପୀଢ ଉପଖଣ୍ଡରେ କରଞ୍ଜିଆ, ଠାକୁରମୁଣ୍ଡା, ମହୁଲଡିହା, ଯଶିପୁର, ରାରୁଆଁ ଓ ଘାଗରବେଡା ଥାନା ଏହିପରି ୬ଟି ଥାନା ସହ ଚଢେଇଭୋଳ ଓ ସିଙ୍ଗଡା ଫାଣ୍ଡି ରହିଛି । ରାଇରଙ୍ଗପୁର ପୁଲିସ ଜିଲ୍ଲା ଘୋଷଣା ହେବା ପରେ ଜିଲ୍ଲାର ଝାରଖଣ୍ଡ ସୀମାନ୍ତବର୍ତ୍ତୀ ବାମନଘାଟି ଓ ପଞ୍ଚପିଢ଼ା ଉପଖଣ୍ଡରେ ଆଇନ ଶୃଙ୍ଖଳା ରକ୍ଷା ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ଏହି ନୂତନ ଭାବେ ଗଠିତ ପୁଲିସ ଜିଲ୍ଲା ଅଧିନରେ ବାମନଘାଟି ଉପଖଣ୍ଡର ୬ଟି ବ୍ଲକ ଓ ରାଇରଙ୍ଗପୁର ମୁ୍ୟନିସିପାଲିଟି ଏବଂ କରଞ୍ଜିଆ ଉପଖଣ୍ଡର ୫ଟି ବ୍ଲକ ଓ କରଞ୍ଜିଆ ଏନଏସି ଅନ୍ତର୍ଭୁକ୍ତ ରହିଛି ।