ହାତୀ ଓ ମଣିଷ ସଂଘର୍ଷ କମାଇବା ନେଇଁ ସଚେତନତା

 ହିନେ୍ଦାଳ:  ହିନେ୍ଦାଳ ଉପଖଣ୍ଡ ନବକିଶୋର ପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ବନ ବିଭାଗ, ବିଦୁ୍ୟତ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ନେହାର ମିଳିତ ଆନୁକୁଲ୍ୟରେ ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ କମାଇବା ପାଇଁ ଏକ ପଞ୍ଚାୟତ ସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଢ଼େଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କୁମାର କରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀ ବେଣୁଧର ଦାସ ଯୋଗଦେଇ ଥିବାବେଳେ ମୂଖ୍ୟ ବକ୍ତା ଭାବେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ନେହାର ଓଡିଶା ମୁଖ୍ୟ ରଣଜିତ୍ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୌତମ ପ୍ରଧାନ, ସୂର୍ଯ୍ୟ ନାରାୟଣ ସାମନ୍ତରାୟ, ଯନ୍ତ୍ରୀ ବିଭୂତି ଭୂଷଣ ରଣା ପ୍ରମୁଖ ମଞ୍ଚାସିନ ଥିଲେ । ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ କମାଇବା ପାଇଁ ଜନ ସାଧାରଣ ସଚେତନ ହୋଇ ବିଭାଗୀୟ ଅଧିକାରୀ ମାନଙ୍କୁ ସହଯୋଗ କରିବା ପାଇଁ ନିବେଦନ କରା ଯାଇଥିଲା । ଚୋରାରେ ବିଦୁ୍ୟତ ଲାଇନକୁ ବ୍ୟବହାର କରି ବନ୍ୟଜନ୍ତୁ ଶିକାରକୁ ରୋକିବା, ବାରହା ଶିକାର ପାଇଁ ବମ୍ ବ୍ୟବହାର ଫଳରେ ହାତୀ ଓ ବନ୍ୟଜନ୍ତୁ ତଥା ଗୃହପାଳିତ ପଶୁ ମୃତୁ୍ୟକୁ ରୋକିବା ସହ ହାତୀ ଓ ବନ୍ୟଜନ୍ତୁ ଦାଉରୁ ଫସଲକୁ ସୁରକ୍ଷା ରଖିବା ପାଇଁ ପ୍ରଶାସନ ସହାୟତାରେ ସୌର ତାର ବାଡ ଦେବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିସହ ସରକାରଙ୍କ ଅନୁକମ୍ପା ସହାୟତାରେ ଫସଲର କ୍ଷତି ପୂରଣ ପାଇବା ପାଇଁ ଦରଖାସ୍ତ କରିବା ଉପରେ ଆଲୋଚନା କରାଯାଇ ଜନ ସଚେତନତା କରାଯାଇଥିଲା । ଫିଲ୍ଡ ଅଫିସର ଅରବିନ୍ଦ ମାଝୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।