ଋଣ ବୋଝରେ ମଧ୍ୟବିତ୍ତ
ଭାରତର ଅର୍ଥନୈତିକ ଅଭିବୃଦ୍ଧି ପରିମାଣ କ୍ରୟ ଓ ବ୍ୟୟ ଉପରେ ନିର୍ଦ୍ଧାରଣ କରାଯାଇଥାଏ । ତେବେ ସାଂପ୍ରତିକ ବ୍ୟୟ କରିବାର ଏକ ଉଦ୍ବେଗଜନକ ସଂକେତ ପ୍ରଦାନ କରେ । ଭାରତୀୟମାନେ ସେମାନଙ୍କର ଆୟର ପ୍ରାୟ ଏକ ତୃତୀୟାଂଶ ଋଣ ପରିଶୋଧରେ ବିନିଯୋଗ କରିଥାନ୍ତି । ଏହା ସେମାନଙ୍କର ଋଣ ଭାର ବୃଦ୍ଧି ପାଇବା ସହ ସେମାନଙ୍କ ଅର୍ଥନୈତିକ ସ୍ଥିରତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ନିୟୁତ ନିୟୁତ ଭାରତୀୟ ଏଭଳି ଆର୍ଥିକ ସ୍ଥିତିରେ ଜୀବନ ବିତାଉଥିବା ଏକ ଅନୁଧ୍ୟାନକାରୀ ରିପୋର୍ଟ କହେ । ବହୁ ସଂଖ୍ୟକ ବେତନଭୋଗୀ ସେମାନଙ୍କ ମାସିକ ବେତନର ୩୫ରୁ ୪୫ ପ୍ରତିଶତ ଋଣ ପରିଶୋଧରେ ବ୍ୟୟ କରିଥାନ୍ତି । ଆର୍ଥିକ ଉଦାରତା ଏବେ ବାଧ୍ୟକତାରେ ପରିଣତ ହୋଇଛି । ଯାହାକି କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ନିଃସନେ୍ଦହ ଯେ, ଦିନ ଥିଲା ସଂଚୟ ଭାରତୀୟମାନଙ୍କର ସଂସ୍କୃତି ଥିବାବେଳେ ଏବେ ସହଜସାଧ୍ୟ ଋଣ ଏବଂ ଧାର, ଋଣ କରିବା ଜୀବନଶୈଳୀରେ ପରିଣତ ହୋଇଛି । ଉଚ୍ଚ ଆୟବର୍ଗକାରୀଙ୍କର ଭ୍ରମଣ ଓ ଆରାମ ଦାୟକ ତଥା ବିଳାସପୂର୍ଣ୍ଣ ସମାଗ୍ରୀ କ୍ରୟ ପାଇଁ ଋଣ କରିଥିବାବେଳେ ନିମ୍ନ ଆୟକାରୀ ବର୍ଗ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାରେ ଚିକିସôା ସେବା ପାଇଁ ଔଷଧ କିଣିବା ପାଇଁ ଧାର, କରଜ କରିବା ପାଇଁ ବାଧ୍ୟ ହୋଇଥାନ୍ତି । ଅନ୍ୟପକ୍ଷରେ ପରିବାରର ସଂଚୟ ଗତ ପାଂଚ ବର୍ଷ ମଧ୍ୟରେ ଆଶାତୀତ ଭାବେ ନିମ୍ନଗାମୀ ହୋଇଛି । ଯାହାକି ଜିଡିପିର ୫.୧ ପ୍ରତିଶତ ଥିବା କୁହାଯାଇଛି । ଭାରତର ପରମ୍ପରାଗତ ସଂଚୟ ସଂସ୍କୃତି ଏବେ ବିପଦଜନକ ସ୍ଥିତିରେ ବୋଲି କୁହାଯାଏ । ଭାରତୀୟଙ୍କର ଆୟ ବଢୁଥିବା ସତ୍ତ୍ୱେ ବ୍ୟକ୍ତିଗତ ଋଣ ବାର୍ଷିକ ୧୩.୭ ପ୍ରତିଶତରେ ପହଁଚିଛି । ବେତନ ବୃଦ୍ଧି ସତ୍ତ୍ୱେ ସେମାନେ କିପରି ଆର୍ଥିକ ଚାପରେ ଥିବା, ତାହା ବେଶ ସ୍ପଷ୍ଟ ଅନୁମେୟ । ଗତ ୬ମାସ ମଧ୍ୟରେ ହାରାହାରି ମାସିକ ବେତନ ଅଭିବୃଦ୍ଧି ୯.୧ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ବୃଦ୍ଧି ପାଉଥିବା ଋଣ ସ୍ତର ଦର୍ଶାଏ ଯେ, ଦ୍ରୁତ ବେଗରେ ବ୍ୟୟ ମଧ୍ୟ ବଢିବାରେ ଲାଗିଛି । କେବଳ ଏତିକି ନୁହେଁ, ଭାରତୀୟମାନେ ‘ଋଣ କରି ଘିଅ ଖାଇବା’ ନୀତିକୁ ଆପଣାଇ ନେଇଥିବା ମନେହୁଏ । ଋଣରେ ଘରକରଣା ସାମଗ୍ରୀ କ୍ରୟ କରିବା ଏବେ ପ୍ରତି ଭାରତୀୟଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି, ବିଶେଷକରି ଗାଡି ଠାରୁ ଆରମ୍ଭ କରି ବିଭିନ୍ନ ଆରାମ ଦାୟକ ସାମଗ୍ରୀ କିଣିବା ପ୍ରତ୍ୟେକଙ୍କର ଆଭିମୁଖ୍ୟ ହୋଇଯାଇଛି ବୋଲି କହିଲେ ହୁଏତ ଅତିରଂଜିତ ହୋଇନପାରେ । ତେବେ କେବଳ ବ୍ୟକ୍ତିଗତ ସ୍ତରରେ ନୁହେଁ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଋଣ ଭାର ମଧ୍ୟ ଗଢି ଚାଲିଛି । ଗତ ୧୦ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଋଣ ଭାର ୧୦୫ ଲକ୍ଷ କୋଟିକୁ ଅତିକ୍ରମ କରିଥିବା ସରକାରୀ ରିପୋର୍ଟ ପ୍ରକାଶ କରିଥିଲେ ମଧ୍ୟ ରାଜ୍ୟ ସରକାରମାନେ ମଧ୍ୟ ନିଜର ଆବଶ୍ୟକତା ପାଇଁ ଋଣ କରିଥାନ୍ତି । ଉଦାହରଣ ସ୍ୱରୂପ ଗତ ୨୪ବର୍ଷ ମଧ୍ୟରେ ବିଜେଡି ସରକାର ୯୧ ହଜାର ଟଙ୍କା ଋଣ କରିଥିବାବେଳେ ଗତ ୮ମାସ ମଧ୍ୟରେ ବିଜେପି ସରକାରଙ୍କ ଋଣ ପରିମାଣ ୯୬ହଜାର କୋଟି ହୋଇଥିବା କୁହାଯାଇଛି । ବିଭିନ୍ନ ମାଗଣା ଯୋଜନା ଯୋଗୁଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଋଣ ଭାର ବଢିଚାଲିଛି । ଆମ ରାଜ୍ୟରେ ମୁଣ୍ଡପିଛା ଋଣ ଭାର ୨୦ହଜାର ଟଙ୍କାରେ ପହଁଚିଥିବା ସରକାରୀ ରିପୋର୍ଟ କହେ । ମାଗଣା ଯୋଜନା, ସରକାରଙ୍କ ଲଗାମଛଡା ବ୍ୟୟ ଏବଂ ଋଣ ଯୋଗୁଁ ଋଣ ଭାର ବଢିବା ସ୍ୱାଭାବିକ । ଏଥିରୁ ସରକାର କ୍ଷାନ୍ତ ହେବା ଜରୁରି । ଅନ୍ୟଥା ଶ୍ରୀଲଙ୍କା ପରିସ୍ଥିତି ଉପୁଜିବା କିଛି ଅସମ୍ଭବ ନୁହେଁ ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୭୯୭୮୬୬୬୪୦୩