ଅଣ୍ଟା ଭିଡ଼ିଲେ ନିର୍ବାଚିତ ଜନ ପ୍ରତିନିଧି : ରାସ୍ତା ମରାମତି ପାଇଁ ବିଡିଓଙ୍କୁ ଦାବିପତ୍ର

ସାରସକଣା: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ବମ୍ବେଛକ ଠାରୁ ଶୀର୍ଷା ବଙ୍ଗଳାଛକ ରାସ୍ତାର ମରାମତି ନେଇ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ନିର୍ବାଚିତ ଜନ ପ୍ରତିନିଧି । ପ୍ରକାଶ ଯେ, ବମ୍ବେଛକ ଗୋଲେଇ ଠାରୁ ସାରସକଣା ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ଆର୍ଡି ପିଚୁ ରୋଡ ମୁଖ୍ୟ ରାସ୍ତାଟି ସାରସକଣା ବ୍ଲକ, ତହସିଲ, ଅଗ୍ନିଶମ ବିଭାଗ, ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯିବା ଆସିବା ପାଇଁ ଏକମାତ୍ର ବାଟ ଅଟେ । ଉକ୍ତ ରାସ୍ତା ଉପରେ ପ୍ରତ୍ୟେକ ଦିନ ସମସ୍ତ ବିଭାଗର କର୍ମଚାରୀ ଠାରୁ ଜନସାଧାରଣ ତଥା ଝାଡଖଣ୍ଡ ରାଜ୍ୟର ଲୋକମାନେ ଗମନାଗମନ କରିବା ପାଇଁ ନିର୍ଭର କରନ୍ତି । ଉକ୍ତ ରାସ୍ତାଟି ଦୀର୍ଘ ଦିନରୁ ମରାମତି ନ ହେବା ଫଳରେ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡିଛି । ଫଳରେ ସାମାନ୍ୟ ବର୍ଷା ଟିକେ ହେଲେ, ରାସ୍ତାରେ ଯାତାୟତ କରିବା କଷ୍ଟସାଧ୍ୟ ହୋଇପଡୁଛି । ଏହି ରାସ୍ତର ଦୂରବସ୍ଥା ପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଜନସାଧାରଣଙ୍କ ଧନ ଜୀବନ ହାନୀ ହେଉଛି ।  ତେଣୁ ଉକ୍ତ ରାସ୍ତାଟି ଜରୁରୀକାଳିନ ଭିତ୍ତିରେ ମରାମତି କରିବା ନିତ୍ୟାନ୍ତ ଜରୁରୀ ହୋଇପଡିଛି । ଯାହାକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତାର ମରାମତି ନିମନ୍ତେ ବିହିତ ପଦକ୍ଷେପ ନେଲେ ବ୍ଲକ ସହିତ ହଜାର ହଜାର ଲୋକେ ଉପକୃତ ହେବେ ବୋଲି ସାରସକଣା ବିଡ଼ିଓ ସୁମନ ରାଜା ମହାନ୍ତିଙ୍କୁ ଦାବିପତ୍ର ଦେଇ ନିର୍ବାଚିତ ପ୍ରତିନିଧିମାନେ ଦାବି କରିଛନ୍ତି । ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ସରପଞ୍ଚ ସଂଘର ସଭାପତି ଲୋକେଶ୍ୱର ନାଏକ, ଯୁବନେତା ବିଶ୍ୱନାଥ ମହାନ୍ତ, ସାଇରାମ ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ ।