ନିପାତ ହେଉଛନ୍ତି ମାଓ ନେତା : ୩ ଦିନରେ ଗଲାଣି ୭ ଜୀବନ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଥିବା ଜାତୀୟ ଉଦ୍ୟାନରେ ଗତ ତିନି ଦିନ ହେଲା ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ମୋଟ ୭ ମାଓବାଦୀଙ୍କ ମୃତୁ୍ୟ ଘଟିଛି । ଗତ ୫ ତାରିଖରୁ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ଏହି ତଲାସି ଅଭିଯାନ ଜାରି ରହିଛି । ଗତ ୩ ଦିନରେ ବିଜାପୁରର ଜାତୀୟ ଉଦ୍ୟାନରେ ଯବାନଙ୍କ ପକ୍ଷରୁ ଚାଲିଥିବା ଅପରେସନରେ ୭ ମାଓବାଦୀଙ୍କ ମରଶରୀର ଉଦ୍ଧାର କରାଯାଇଛି ।
୫ ତାରିଖରେ ମାଓ କେନ୍ଦ୍ରୀୟ କମିଟିର ସଦସ୍ୟ ସୁଧାକର, ୬ ତାରିଖରେ ତେଲେଙ୍ଗାନା କମିଟିର ସଦସ୍ୟ ଭାସ୍କର ଓ ଆଜି ଅର୍ଥାତ ୭ ତାରିଖରେ ୫ ମାଓବାଦୀଙ୍କ ମୃତ୍ୟ ହୋଇଥିବା ଜଣାପଡିଛି ।
ଆଜି ନିହତ ହୋଇଥିବା ୫ମାଓବାଦୀଙ୍କ ମଧ୍ୟରେ ୨ ମହିଳା ମାଓବାଦୀ ଓ ୩ ପୁରୁଷ ମାଓବାଦୀ ରହିଛନ୍ତି । ଘଟଣା ସ୍ଥଳରୁ ୨ଟି ଏକେ ୪୭ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ କରାଯାଇଛି । ମାଓ ନେତା ଭାସ୍କର ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ମାଓ ସଙ୍ଗଠନର ନେତୃତ୍ୱ ନେଉଥିବା ଅମ୍ବାଲା କେଶବ, ସୁଧାକର ଓ ଭାସ୍କରର ମୃତୁ୍ୟ ପରେ ମାଓ ସଙ୍ଗଠନ ଏକ ପ୍ରକାର ଭାଙ୍ଗି ପଡିଥିବା ବେଳେ ବର୍ତ୍ତମାନ ମାଓ ସଙ୍ଗଠନର ମଙ୍ଗ ଧରିବାକୁ କେହି ନାହାନ୍ତି ବୋଲି କୁହାଯାଉଛି ।
ଏପରି ସ୍ଥିତିରେ ସୀମାରେ ମାଓବାଦୀମାନେ ଜଙ୍ଗଲ ମଧ୍ୟରେ ଯବାନଙ୍କ ଠାରୁ ଲୁଚିଛପି ନିଜର ଜୀବନ ବଞ୍ଚାଉ ଥିବା ବେଳେ ନେତୃତ୍ୱ କିଏ ନେବ ସେନେଇ ଆଲୋଚନା ମଧ୍ୟ ହୋଇ ପାରୁନଥିବା ସୂଚନା ମିଳିଛି । ନେତୃତ୍ୱ ବିହୀନ ମାଓ ସଂଗଠନ ବର୍ତ୍ତମାନ ଏକ ପ୍ରକାର ଶେଷ ନିଃଶ୍ୱାସ ନେଉଥିବା ବେଳେ ଯବାନଙ୍କ ଘନ ଘନ ଅପରେସନ ଯୋଗୁଁ ମାଓବାଦୀମାନେ ପଛଘୁଞ୍ଚା ଦେଇ ଶାନ୍ତି ବାର୍ତ୍ତା ପାଇଁ ମଧ୍ୟ ଅପିଲ କରିଛନ୍ତି । କିନ୍ତୁ ସେମାନଙ୍କ ଏହି ଶାନ୍ତି ବାର୍ତ୍ତା ପ୍ରତି ଯବାନ କିମ୍ବା ସରକାର ରାଜି ହେଉନଥିବାରୁ ମାଓ ସଙ୍ଗଠନର ଚିନ୍ତା ବଢିବାରେ ଲାଗିଛି ।