ଅକ୍ଷୟ ତୃତୀୟା: ନୂତନ ଆଶା, ନୂଆ ସମ୍ଭାବନା

କୃଷ୍ଣଚନ୍ଦ୍ର ପାତ୍ର : ଓଡ଼ିଶା କୃଷିର ଅଭିନବ ଯାତ୍ରାରେ ଏହି ପବିତ୍ର ମାଟି ଏବଂ ଏଠାକାର ଚାଷୀଙ୍କ ଜୀବନରେ ଏକ ଅଦ୍ୱିତୀୟ ଅବସର ହେଉ । "ଅକ୍ଷୟ’- ଯାହା କେବେ କ୍ଷୟ ବା ଖରାପ ହୁଏନି, ଅବିନାଶୀ; ଏହି ଶବ୍ଦଟି ଏହି ଦିନର ଆଶା ଓ ଆଶୀର୍ବାଦର ଚିହ୍ନ । ଚନ୍ଦ୍ରମାସର ତୃତୀୟ ତିଥିରେ ପାଳିତ ଏହି ଦିନ, ଓଡ଼ିଶାର ଚାଷୀ ଭାଇଭଉଣୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ, ଏଇଠୁ ଆରମ୍ଭ ହୁଏ ଚାଷୀ ଭାଇଙ୍କ ଚାଷ କାର୍ଯ୍ୟ  । ଅକ୍ଷୟ ତୃତୀୟାରୁ କ୍ଷେତରେ ଧାନ ବା ପଣି ଅନୁକୂଳ କରି ନୂତନ ସ୍ୱପ୍ନ ଓ ଆଶାର ନୂଆ ପଥରେ ପଦାର୍ପଣ କରନ୍ତି ଚାଷୀ ଭାଇଭଉଣୀମାନେ । ଆଜିର, ଏହି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତ ଚାଷୀ ପରିବାରଙ୍କୁ ଶୁଭେଚ୍ଛା ଦେବା ସହ ଧନ୍ୟବାଦ ଦେବି ନିଶ୍ଚୟ । ଚଷା ପୁଅ ନଥିଲେ ଏ ସଂସାର ନଥାନ୍ତା  । ଏଥର ଅକ୍ଷୟ ତୃତୀୟା ଓଡ଼ିଶାର ଚାଷୀଙ୍କ ଜୀବନକୁ ସୁଗମ କରିବା ସହ ଏକ ବଡ଼ ପରିବର୍ତ୍ତନ ଆଣିବ କହିଲେ ଭୁଲ ହେବନି । ୨୦୨୪ ଜୁନ ମାସ ପରଠୁ ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଲୋକଙ୍କ ସରକାର ସବୁବର୍ଗର ଲୋକଙ୍କୁ ଖୁସି ବାଣ୍ଟିବାକୁ ପ୍ରୟାସ କରୁଛି । ମୋହନ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମଣ୍ଡିରେ ଧାନ କ୍ରୟ ଅଭିଯାନ ଚାଷୀମାନଙ୍କ ଆଶାର ନୂତନ ପ୍ରଭାତ ପାଲଟିଛି । ବିଗତ ୧୦ ମାସ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିଦେ୍ର୍ଦଶ କ୍ରମେ ଆପଣଙ୍କ ପ୍ରିୟ ସେବକ ଭାବେ ପ୍ରତ୍ୟେକ ଚାଷୀଙ୍କ ଦୁଃଖ ଦୂର କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରିଛି । ୩୦ ଜିଲ୍ଲା ଗସ୍ତ କରି ଚାଷୀ ଭାଇଭଉଣୀଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ, ସଂଘର୍ଷ ଓ ସ୍ୱପ୍ନକୁ ନିଜେ ହୃଦୟଙ୍ଗମ କରିବା ସହ ଗୋଟି ଗୋଟି କରି ଛୋଟରୁ ବଡ ସମସ୍ୟାର ସମାଧାନ ପାଇଁ ଆପ୍ରାଣ ଉଦ୍ୟମ କରିଛି । ମାଟି ସହ ଯୋଡ଼ି ହୋଇଥିବା ଚାଷୀ ଭାଇଙ୍କ ଦୁଃଖ ବୁଝିବା ପାଇଁ ମୁଁ ସଡ଼କ ପଥରେ ୩୦ ଜିଲ୍ଲାର ପ୍ରାୟ ଏକ ଲକ୍ଷ ୫ ହଜାର କିଲୋମିଟରରୁ ଊର୍ଦ୍ଧ୍ୱ ବୁଲି ବିଭିନ୍ନ ଦିଗକୁ ତଦାରଖ କରିଛି  । ଧାନ ମଣ୍ଡିରେ କୌଣସି କଟନୀ ଛଟନୀ ଯେପରି ନହୁଏ ସେଥିପାଇଁ ଏ ସରକାର କଠୋର ନିୟମ ପାଳନ କରିବା ସହ ଚାଷୀ ଭାଇଭଉଣୀଙ୍କୁ ଉପଯୁକ୍ତ ପ୍ରାପ୍ୟ ଯୋଗାଇ ଦେଇଛି ।ଏହା ଲୋକଙ୍କ ସରକାର, ଆମ ପାଇଁ ଲୋକମତ, ଲୋକହିତ ଓ ଲୋକସ୍ୱାର୍ଥ ସର୍ବୋପରି । ଏଠି ଦୁର୍ନୀତି ଓ ଅନିୟମିତତାର ସ୍ଥାନ ନାହିଁ ।
 ଏହି କଥା କେବଳ ଗୋଟିଏ ନାରା ନୁହେଁ, ଏହା ହେଉଛି ମୋ ଜୀବନ ଓ କାର୍ଯ୍ୟର ମୂଳମନ୍ତ୍ର, ମୋ ସରକାର ଉପରେ ରହିଥିବା ଆପଣଙ୍କ ଭରସା । ଓଡ଼ିଶାରେ ଆପଣ ମାନଙ୍କ ଆଶୀର୍ବାଦରୁ ସରକାର ବଦଳିବା ସହ ବଦଳିଛି ଚାଷୀ ଭାଇଭଉଣୀଙ୍କ ପରିସ୍ଥିତି ଆଉ ଭାଗ୍ୟ । ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ ଆରମ୍ଭ ହୋଇଥିବା ଚାଷ ଅଭିଯାନ ବର୍ତ୍ତମାନ ଏକ ଐତିହାସିକ ଦିଗରେ ବଢ଼ିଛି, ଯାହାକୁ ଓଡ଼ିଶାର ଚାଷୀ ଭାଇଭଉଣୀମାନେ ସତରେ ଅନୁଭବ କରୁଛନ୍ତି । କେବଳ ଶୀତତାପ ନିୟନ୍ତ୍ରିତ କାର୍ଯ୍ୟାଳୟରେ ବସି ନିଦେ୍ର୍ଦଶ ଦେଲେ ହେବନାହିଁ, ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣକୁ ଗସ୍ତ କରିବା ନିତାନ୍ତ ଜରୁରି, ତୃଣମୂଳ ସ୍ତରରେ ପହଞ୍ଚିଲେ ଚାଷୀଙ୍କ ସମସ୍ୟା ଭଲଭାବେ ବୁଝି ହେବ ବୋଲି ଆମ ସରକାର ବିଶ୍ୱାସ କରେ । ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା: ଗଜପତି, କଳାହାଣ୍ଡି, ନୂଆପଡ଼ା ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼ ଆଦିର ଗାଁ ଗୁଡ଼ିକର ଖରାପ ରାସ୍ତା ଓ ଦୁଃସାଧ୍ୟ ଅଞ୍ଚଳକୁ ମୁଁ ନିଜେ ସେବକ ରୂପେ ପହଁଚି ଚାଷୀଙ୍କ ଅସଲ ସମସ୍ୟା ବୁଝିବାର ସୁଯୋଗ ପାଇଥିଲି । ଚାଷୀ ଭାଇଭଉଣୀମାନେ ମୁଁ ନେତା କି ମନ୍ତ୍ରୀ ନୁହେଁ ତାଙ୍କର ନିଜ ସେବକଟିଏ ବୋଲି ସେମାଙ୍କୁ ହୃଦୟଙ୍ଗମ କରେଇଛି  । ଜଣେ ଜନ ପ୍ରତିନିଧି ଭାବେ ଚାଷୀ ପରିବାରର ଅନ୍ତଃସ୍ଥଳ ଅନୁଭୂତି ସଙ୍ଗେ ଧରିତ୍ରୀ ମା' ସହ ଅତୁଟ ସମ୍ପର୍କ ଗଢିବାରେ ସଫଳ ହୋଇଛି ମୁଁ । ଆମ ସରକାରଙ୍କ ପ୍ରୟାସରେ ଆଜି ଓଡ଼ିଶାର ଚାଷୀମାନେ ଫସଲ ବିକ୍ରି କରି ନିଜ ପ୍ରାପ୍ୟ ପାଇଁ ମାସମାସ ଅପେକ୍ଷା କରୁ ନାହିଁ, ଧାନ ବିକ୍ରି କରିବାର ମାତ୍ର ୪୮ ଘଣ୍ଟା ମଧ୍ୟରେ ନିଜ ହକ୍ର ଟଙ୍କା ସିଧାସଳଖ ନିଜ ବ୍ୟାଙ୍କ୍ ଖାତାରେ ପାଉଛି । ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ସରକାର ଗଢିବା ପରେ ଆମେ ତାକୁ ଆପଣ ମାନଙ୍କ ଆଶୀର୍ବାଦରୁ ପୂରଣ କରିଛୁ । ମୋହନ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ପ୍ରଦାନ କରି ଚାଷୀଙ୍କ ମନରେ ନୂଆ ଭରସା ସୃଷ୍ଟି କରିଛି । ଧାନ କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ହୋଇଥିବା ବେଳେ ୮୦୦ ଟଙ୍କା ଅତିରିକ୍ତ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ମୂଲ୍ୟ ଚାଷୀଙ୍କୁ ସନ୍ତୁଷ୍ଟି ଦେବା ସହ ଆମ ସରକାରଙ୍କ ପ୍ରତି ଭରସା ବଢ଼ାଇଛି ।  ପୂର୍ବ ସରକାର କେବଳ ସ୍ୱପ୍ନ ଦେଖାଇଥିଲେ, ଚାଷୀଙ୍କୁ ଠକି ଥିଲେ, ହେଲେ ମୋହନ ସରକାର ସ୍ୱପ୍ନକୁ ବାସ୍ତବ ରୂପ ଦେଇଛି । ଅତୀତରେ ବରଗଡ଼ରେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ୍ ଦେବାକୁ କହି ଠକିଥିଲା ପୂର୍ବ ସରକାର ହେଲେ ଆମ ସରକାର ୮୦୦ ଟଙ୍କା ସହାୟତା ରାଶି ଦେବାରେ ସକ୍ଷମ ହୋଇଛି, ଚାଷୀଙ୍କ ଆତ୍ମବିଶ୍ୱାସ ବଢ଼ାଇଛି । ଆମେ ଚାଷୀଙ୍କ ଅଗ୍ରଗତିରେ ରାଜ୍ୟର ପ୍ରଗତି ଉପରେ ବିଶ୍ୱାସ କରୁ । କାରଣ ଏହା ଲୋକଙ୍କ ସରକାର ।
ଲୋକମତ, ଲୋକହିତ ଓ ଲୋକସ୍ୱାର୍ଥ ଆମ ପାଇଁ ସର୍ବୋପରି । ଧାର୍ମିକ ଅଞ୍ଚଳର ସମ୍ମାନ, ଚାଷୀଙ୍କ ଜୀବନଶୈଳୀର ଉନ୍ନତି ଓ ସଂସ୍କୃତିର ରକ୍ଷା ପାଇଁ ଆମର ଅଭିଯାନ ସର୍ବଦା ଏକ ସାର୍ବଜନୀନ ଆନନ୍ଦ ଓ ଗର୍ବର କାରଣ ହୋଇଛି । ଏହି ଅକ୍ଷୟ ତୃତୀୟାରୁ ଓଡ଼ିଶା କୃଷିକ୍ଷେତ୍ର ଏକ ନୂତନ ଦିଗନ୍ତରେ ଆଗେଇବ ବୋଲି ଆଶା କରୁଛୁ । କୃଷି ଓ କୃଷକଙ୍କ ପାଇଁ ଏହା ଏକ ଆଶା ଓ ସଫଳତାର ଯୁଗ ଆରମ୍ଭର କରିବାରେ ନିଅ ପକେଇବ ବୋଲି ମୁଁ ଓ ମୋ ସରକାର ବେଶ ଆଶାବାଦୀ । ଧରିତ୍ରୀ ପୁତ୍ର ଅଭିଯାନ ଆରମ୍ଭ କରି କୃଷି ଓ କୃଷକ ମଧ୍ୟରେ ନୂତନ ଆଶାର କିରଣ ବିଛୁରିତ କରିବା ଆମ ସରକାରର ସଂକଳ୍ପ । ଓଡ଼ିଶା ଇତିହାସ, ଧୈର୍ଯ୍ୟ, ଶାନ୍ତି ଓ ବିକାଶର ପ୍ରମାଣ ହେଉଛି ଆମ ମାଟି ମା' ଓ ଚାଷୀ ପୁଅ । ଆପଣଙ୍କ ସରକାର ଲୋକଙ୍କ ସରକାର, ଏହି ଧରିତ୍ରୀ ପୁତ୍ରମାନଙ୍କ ପାଇଁ ଏକ ଛୋଟିଆ ଭରସାର ଖୁଣ୍ଟ ହୋଇ ସାହାରା ଦେବାକୁ ପ୍ରତିବଦ୍ଧ ହୋଇଛି । ଆଜି ଏହି ବ୍ୟାଖ୍ୟାନ ମାଧ୍ୟମରେ ଆପଣମାନଙ୍କୁ ସେଇ ଯାତ୍ରାର କଥା କହିବି, ଯେଉଁଠାରେ ପ୍ରତ୍ୟେକ ଗାଁ ଗହଳି, ଧାର୍ମିକ ପୀଠ, କୃଷକ ପରିବାର ଆମ ସଂକଳ୍ପର ଗୋଟିଏ ଗୋଟିଏ ଅଙ୍ଗ ହୋଇଛନ୍ତି ।
  ଜଣେ ଜନ ସେବକ ଭାବେ ଯେଉଁ ସଂକଳ୍ପ ନେଇଥିଲି ତାକୁ ପୂରଣ କରିବା ପାଇଁ ଚାଷୀଙ୍କ ପାଖରେ ପହଞ୍ଚିବା ଥିଲା ଏକାନ୍ତ ଆବଶ୍ୟକ । ରାଜ୍ୟର ପ୍ରଥମ ସେବକ ଭାବେ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳ, କୋଣ ଅନୁକୋଣକୁ ଯାଇଛି । ଚାଷୀଙ୍କ ପାଖରେ ପହଞ୍ଚି କାମ କରିବାର ଖୁସି ନିଆରା ଥିଲା । ଏ ଖୁସି ସତରେ ସ୍ୱତନ୍ତ୍ର । ବରଗଡର ଅନ୍ତଃରୁ କନ୍ଧମାଳର ଉଚ୍ଚÿ ପାହାଡ ଗ୍ରାମକୁ, ପୁଣି ମୟୂରଭଞ୍ଜର ଜଙ୍ଗଲିଆ ଗ୍ରାମ ସହ ଗଞ୍ଜାମର ବାଏଁ ପାହାଡ଼ ଛାୟାରେ ଥିବା ଗ୍ରାମରେ ମୁଁ ପହଞ୍ଚିଥିଲି । ଏଠି ଚାଷୀଙ୍କୁ ଭେଟି ସେମାନଙ୍କ ସ୍ୱପ୍ନ ଜାଣିଥିଲି, ଦୁଃଖ, ତାଙ୍କ ଲୁହ ଏବଂ ହସର ଅନୁଭବ ସାଉଁଟି ଥିଲି । ଆମ ସରକାର ଲୋକଙ୍କ ସରକାର ବିଶ୍ୱାସ କରେ ଯେ, ଗାଁ ଦେଖିବା ବିନା, କୃଷି ଏବଂ କୃଷକର ଅସଲ ସମସ୍ୟା ବୁଝିବା ସମ୍ଭବ ନୁହେଁ । ବାଡ଼ି ବାଇଗଣ ଆଉ ପୋଥି ବାଇଗଣ ଭିତରେ ଫରକ ରହିଛି ଆଉ ରହିବ ମଧ୍ୟ । ଏହି ଯାତ୍ରା ମୋ ପାଇଁ ଚାଷ ଓ ଚାଷୀଙ୍କୁ ଭଲ ପାଇବାର ଏକ ଅନ୍ତର୍ନିହିତ ପ୍ରେରଣା ଥିଲା । ଆମ ଧର୍ମ, ଇତିହାସ ଓ କୃଷି ସଂସ୍କୃତିରେ ଓଡ଼ିଶା କେବଳ ଧାନର ଗୋଦାମ ନୁହଁ, ଏଠି କୃଷି ଏକ ଜୀବନ ଜୀବିକା ପାଲଟିଛି  । ଏଠାରେ ପ୍ରତ୍ୟେକ ଧାର୍ମିକ ପୀଠର ମୂଳରେ ଅଛି କୃଷି ସଂସ୍କୃତି ରହିଛି । ଯୋରନ୍ଦାର ମହିମା ପୀଠ, ଗଞ୍ଜାମର ତାରା ତାରିଣୀ ପୀଠ, ଢେଙ୍କାନାଳର କପିଳାସ, ବଲାଙ୍ଗୀରର ହରିଶଙ୍କର, ବାଲେଶ୍ୱରର କ୍ଷୀରଚୋରା ଗୋପୀନାଥ ତଥା ରାଜ୍ୟର ଅନ୍ୟାନ୍ୟ ଧାର୍ମିକ ସ୍ଥଳଗୁଡ଼ିକୁ ପଦଯାତ୍ରା କରି ସ୍ଥାନୀୟ ଜନସାଧାରଣ ସହ ମିଶିବା ସହ ଅଞ୍ଚଳ ଭିତ୍ତିରେ ଚାଷରେ ଭିନ୍ନତା ଓ ଏକତା ବିଷୟରେ ବୁଝିବାର ସୁଯୋଗ ପାଇଥିଲି । ଧର୍ମ ଓ କୃଷି ର ଏହି ସନ୍ଧିକୁ ଆମ ସରକାର ସଜାଗ ରଖିଛି, କ୍ଷୁଦ୍ର କୃଷକମାନଙ୍କୁ ଅଧିକ ସମ୍ମାନ ଏବଂ ଆର୍ଥିକ ସହାୟତା ଦେଉଛୁ । ସମସ୍ତ ଅଞ୍ଚଳର କ୍ଷେତ୍ର ନିଜ ଚକ୍ଷୁରେ ଦେଖିବା, କାଦୁଅ ମାଟିର ବାସ୍ନା ମତେ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିଛି ।  ମନ୍ତ୍ରୀ ତଥା ମୋହନ ସରକାରଙ୍କ ସେବକ ଭାବେ ମୁଁ ଧାନ ମଣ୍ଡିର ଧାଡିରେ ଠିଆ ହୋଇଥିବା ଚାଷୀର ଦୁଃଖ ନିଜ ଆଖିରେ ଦେଖିଛି, ଆଉ ତାକୁ ତୁରନ୍ତ ତାହାର ସମାଧାନ କରିଛି ମଧ୍ୟ । ଚାଷୀ ଘର ପୁଅ ହୋଇଥିବାରୁ ମୋର ଚାଷ ପ୍ରତି ରହିଛି ବିଶେଷ ଦୁର୍ବଳତା, ନିଜ ଜନ୍ମ ମାଟି ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀଙ୍କ ଅଭିବୃଦ୍ଧି ପାଇଁ ଯେତେବେଳେ ଯାହା ଆବଶ୍ୟକ ହୋଇଛି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝି ଓ ଅନ୍ୟ ମନ୍ତ୍ରୀଙ୍କ ସହାୟତାରେ ଛୋଟ ବଡ ପଦେକ୍ଷପ ନେଇଛନ୍ତି  । ମୋ ଜୀବନର ବ୍ରତ ହେଉଛି ଚାଷୀର ବିକାଶ, ମାଟିର ଉର୍ବରତା ଆଉ ଚାଷ କ୍ଷେତ୍ରରେ ନୂତନତା । ଏହି ମୂଳ ଅନୁଭୂତି ମତେ ଆଜି ଚାଷୀଙ୍କ ଦୁଃଖ ବୁଝିବା ଓ ସେମାନଙ୍କ ପାଇଁ ଲଢ଼ିବାକୁ ପ୍ରେରିତ କରିଛି  । ମୋହନ ସରକାରଙ୍କ ଯୋଜନା ଜନମାନସରେ ପହଞ୍ଚାଇବା ଆମ ଜନପ୍ରତିନିଧିଙ୍କ ଏକ ମୁଖ୍ୟ କର୍ତ୍ତବ୍ୟ । 
ସରକାରଙ୍କ କୃଷି ଯୋଜନା ଯେପରିକି: କଲ୍ୟାଣ କୃଷି ଯୋଜନା, ଅଟୋମେଟିକ୍ ଜଳସେଚନ ବ୍ୟବସ୍ଥା, ସାଂସ୍କୃତିକ କୃଷି ବୃଦ୍ଧି ପ୍ରକଳ୍ପ ଇତ୍ୟାଦି ନିଜ ହାତରେ ଚାଷୀଙ୍କ ପାଖକୁ ପହଞ୍ଚାଇଛି । କେବଳ ଘୋଷଣା ନୁହେଁ, ତାହାର ପ୍ରାୟୋଗିକ ଲାଭ ଚାଷୀ ଅନୁଭବ କରୁଛନ୍ତି । ସମ୍ପୂର୍ଣ୍ଣ ରାଜ୍ୟରେ ଆଜି ଏକ ନୂତନ କୃଷି ଜାଗୃତି ଦେଖିବାକୁ ମିଳୁଛି । ଆମ ଲକ୍ଷ୍ୟ କେବଳ ଧାନ ନୁହଁ, ମାଟି ସହ ପ୍ରେମ, ଚାଷୀ ସହ ସମ୍ପୃକ୍ତି ଏବଂ ଓଡ଼ିଶାର ଏକ ନୂତନ କୃଷି ଅଭିଯାନ ନିର୍ମାଣ । ଆମ ଚାଷୀମାନେ ଆନ୍ତର୍ଜାତୀୟ ବଜାରରେ ଦୃଢ଼ ହେଉଛନ୍ତି । ଆମ ମା' ଧରିତ୍ରୀ ଓଡ଼ିଶା ଆଜି ନୂତନ ଚମକ ପାଇଛି  ।
ଆମ ସରକାର ଖୁବ କମ୍ ଦିନରେ ଚାଷୀ ଭାଇଭଉଣୀଙ୍କ ପାଇଁ ଅନେକ ବଡ ପଦକ୍ଷେପ ନେଇଛି । ସମସ୍ତ ପଞ୍ଜୀକୃତ ଚାଷୀଙ୍କ ପାଖରୁ ୩୧୦୦ ଟଙ୍କାରେ ଲୋକଙ୍କ ସରକାର ଧାନ କିଣିବା ସହ ୪୮ ଘଣ୍ଟାରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇଛନ୍ତି । ଚାଷୀଙ୍କୁ ୫୮୭୮ କୋଟି ଇନ୍ ପୁଟ ସହାୟତା ଦିଆଯିବା ସହ ଏମ ଏସ ପି ବାବଦକୁ ଚାଷୀଙ୍କ ଆକାଉଣ୍ଟକୁ  ୧୬୫୩୧ କୋଟି ଟଙ୍କା ପଠେଇଛନ୍ତି । ଯାହା ଗତବର୍ଷ ତୁଳନାରେ ୩୦ପ୍ରତିଶତ ଅଧିକ । ଯେତେବେଳେ କି ଗତବର୍ଷ ଧାନ କିଣା ବାବଦକୁ ଚାଷୀଙ୍କ ସରକାର ଦେଇଥିଲେ ୧୨.୬୬୯କୋଟି ଟଙ୍କା । ଧାନ ମଣ୍ଡିରେ ଶୂନ୍ୟ କଟନୀ ଛଟନୀ ନୀତି ଆପଣାଇଛି ଆମ ସରକାର । ଚାଷୀଙ୍କ ସ୍ୱାର୍ଥ ପାଇଁ ଧାନମଣ୍ଡିରେ ସିସିଟିଭି ଲାଗି ଧାନ କିଣା ହୋଇଥିଲା । ଗତ ବର୍ଷ ଅପେକ୍ଷା ୧୬ ଲକ୍ଷ ମେଟ୍ରିକ୍ ଟନ୍ ଅଧିକ ଧାନ କିଣିଛନ୍ତି ସରକାର । ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର  । ପ୍ରତ୍ୟେକ ବର୍ଷ ୨୬ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫ୍ସିଆଇ ନିଏ  । ଏଥର କିନ୍ତୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଆଉ ଅଧିକ ୨୦ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି  । ଅର୍ଥାତ ଚଳିତ ବର୍ଷ ୪୬ ଲକ୍ଷ ମେଟ୍ରିକ ଟନ ଚାଉଳ ନେବ ଏଫ୍ସିଆଇ  । ସେହିପରି ବରଗଡରେ ସର୍ବାଧିକ ୧ ଲକ୍ଷ ୫୫ ହଜାର ୬୧୭ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୭ ଲକ୍ଷ ୭୩ ହଜାର ୦୬୭ କ୍ୱିଣ୍ଟାଲ ଧାନ କିଣା ହୋଇଛି, ଏହାପରକୁ ଖୋର୍ଦ୍ଧାରେ ୧ ଲକ୍ଷ ୪୬ ହଜାର ୫୦୪ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୧ ଲକ୍ଷ ୬୪ ହଜାର ୮୦୯ କ୍ୱିଣ୍ଟାଲ ଧାନ କିଣା ହୋଇଛି, ଏହପାରକୁ ରହିଛି କଳାହାଣ୍ଡି ଏଠାରେ ୧ ଲକ୍ଷ ୧୪ ହଜାର ୫୩୭ ଚାଷୀ ପଞ୍ଜୀକୃତ କରିଥିବା ବେଳେ ୬ ଲକ୍ଷ ୦୯ ହଜାର ୬୮୧ କ୍ୱିଣ୍ଟାଲ ଧାନ କିଣା ହୋଇଛି, ସେହିପରି ବାଲେଶ୍ୱରରେ ୧ ଲକ୍ଷ ୦୨ ହଜାର ୪୬୩ ଚାଷୀ ପଞ୍ଜିକରଣ କରିଥିବା ବେଳେ ୭ ଲକ୍ଷ ୭୩ ହଜାର ୦୬୭ କ୍ୱିଣ୍ଟାଲ ଧାନ କିଣା ହୋଇଛି । ରାଜ୍ୟରୁ ମୋଟ ୧୭,୫୦,୪୬୨ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୭୩,୪୭,୪୩୭ କ୍ୱିଣ୍ଟାଲ ଧାନ କିଣା ହୋଇଛି । ଆଗାମୀ ବର୍ଷ ଏହି ପରିମାଣଠାରୁ ଅଧିକ ଧାନ କିଣି ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆମେ ପ୍ରସ୍ତୁତ ହେଉଛି । ଚାଷୀଙ୍କ ମୁଠାଏ ଫସଲ ବି ଆମ ପାଇଁ ମୂଲ୍ୟବାନ, ଚାଷୀ ହସିଲେ ଦୁନିଆ ହସିବ । ଏ ଲୋକଙ୍କ ସରକାର; ଆମ ପାଇଁ ଲୋକମତ, ଲୋକହିତ ଓ ଲୋକସ୍ୱାର୍ଥ ସର୍ବୋପରି । ସମସ୍ତଙ୍କ ମୁହଁରେ ହସ ଭରିବା, ସମସ୍ତଙ୍କ ବିଶ୍ୱାସ ଜିତିବା ଆମର ସଂକଳ୍ପ ।
ଗ୍ରୀଷ୍ମର ନିଦାଘ ତାତିରେ ଖୁସିର ଫୁଆରା ସାଜେ ଅକ୍ଷୟ ତୃତୀୟା ପର୍ବ । ପ୍ରଚଣ୍ଡ ଖରା ତାତିରେ ଯେତେବେଳେ ମାଟି ଗରମିଯାଏ, ଝୁଲା ହୁଏ ପଥର ଓ ପଥ, ସେଇ ସମୟରେ ଆସେ ଚାଷୀଙ୍କ ପ୍ରିୟ ପର୍ବ ଅକ୍ଷୟ ତୃତୀୟା । ଏହି ଦିନ ହେଉଛି ଆଶା ଓ ନୂତନ ଆରମ୍ଭର ଦିନ । ଓଡ଼ିଶାର ଚାଷୀ ପରିବାର ପାଇଁ ଏହା କେବଳ ଏକ ତାରିଖ ବା ତିଥି ନୁହଁ, ଏହା ହେଉଛି ଭବିଷ୍ୟତ ପାଇଁ ଦେଖାଯାଉଥିବା ଅଦୃଶ୍ୟ ସ୍ୱପ୍ନର ଆରମ୍ଭ  । ଧରିତ୍ରୀ ମା'ଙ୍କ ଆଶୀର୍ବାଦ ନେଇ ଭବିଷ୍ୟତ ଆଶା ସଂଚାର କରନ୍ତି ଚାଷୀ କୂଳ । ମୁଁ ସବୁବେଳେ ଏହି ଦିନଟିକୁ ଝୁରି ହୁଏ, ଏହି ଦିନର ଗଭୀର ମୂଲ୍ୟକୁ ଅନୁଭବ କରେ । ଆଜି ମୋର ପିଲା ବେଳ କଥା ଜଳ ଜଳ ହୋଇ ମନେ ପଡି ଯାଏ, ଯେତେବେଳେ ମୋ ବାପା ଚାଷ ଆରମ୍ଭ କରିବା ପୂର୍ବରୁ ମାଟିକୁ ମୁଣ୍ଡରେ ଲଗାଇ ଧରିତ୍ରୀ ମା'ଙ୍କ ପାଖରେ ଭଲ ଫସଲ ପାଇଁ ପ୍ରାର୍ଥନା କରୁଥିଲେ — "ମା' ଧରିତ୍ରୀ, ଆମେ ଆଜି ତୁମ ଆଖିରେ ବିଜ ସ୍ନାନ କରୁଛୁ କହୁଥିଲେ । ଆମର ଲୁହ, ଲହୁ ଓ ଆଶା ଏହି ମାଟିରେ ଚିହ୍ନିତ ହେଉ । ଏହି ଅଭିଜ୍ଞତା ମୋ ମନରେ ପିଲାଟି ଦିନରୁ ଗଭୀର ଛାପ ଛାଡ଼ିଛି । ଚାଷୀ ଘର ପୁଅ ଭାବରେ ମୁଁ ଦେଖିଛି ଚାଷୀଙ୍କ ଯନ୍ତ୍ରଣା, ସଂଘର୍ଷ । ସେହି କଷଣ ଆଉ ଯନ୍ତ୍ରଣା, ଭଙ୍ଗା ସ୍ୱପ୍ନ, ଅସହାୟ ଚାଷୀର ଅଭୁଲା ନିରୀହ ଚେହେରା ଓ ଅନୁଭୂତିର ଅନ୍ତଃକରଣରୁ ଜନ୍ମ ନେଇଛି ଆଜିର ଧାନ କ୍ରୟ ଅଭିଯାନ । ଅକ୍ଷୟ ତୃତୀୟାରୁ ଆରମ୍ଭ ହେଉଥିବା ଏକ ନୂତନ ବିପ୍ଳବ ଏହି ବର୍ଷ ଅକ୍ଷୟ ତୃତୀୟାରେ ଆମ ସରକାର ନେଉଛି ଆଉ ଏକ ଦୃଢ଼ ସଙ୍କଳ୍ପ  । ଓଡ଼ିଶାର ପ୍ରତ୍ୟେକ ଚାଷୀ ମାଟିର ସଂସ୍ପର୍ଶକୁ ଅନୁଭବ କରି, ନିଜ ଶ୍ରମର ମୂଲ୍ୟ ପାଇବେ, କୌଣସି ଚାଷୀ ଋଣ ବୋଝ କି ଫସଲହାନି ପାଇଁ ଆତ୍ମହତ୍ୟା କରିବ ନାହିଁ । ମଣ୍ଡିରେ ଉଚିତ୍ ମୂଲ୍ୟରେ ଧାନ କ୍ରୟ ପ୍ରକ୍ରିୟା ଆମ ସରକାରର ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ।
 ସବୁ ଚାଷୀ ଭାଇଙ୍କ ଆମର ପଦିଏ କଥା — "ମୋ ଚାଷୀ ଭାଇ, ମୁଁ ତୁମ ପାଇଁ" । ଏହା କେବଳ ଜଣେ ରାଜନେତା କି ସେବକ ଭାବେ ନୁହଁ, ଏହା ମୋ ମନର ଗଭୀର ସଂକଳ୍ପ, ଜଣେ ଚାଷୀ ପୁଅର ଶପଥ । ଯେଉଁଠି ଚାଷୀ ଅଣ୍ଟୁଛନ୍ତି, ଯେଉଁଠି ସେମାନଙ୍କ ଆଶା ଭଙ୍ଗ ହେଉଛି, ସେଠି ମୋହନ ସରକାର ସହଯାତ୍ରୀ ଭାବେ ରହିଛି ଆଉ ରହିଥିବ ମଧ୍ୟ  । ଚାଷୀଙ୍କ ମୁହଁରେ ମୋହନ ସରକାର ହସ ଭରିଛି, ତାଙ୍କ ଆଖିରେ ଆଶା ର ଆଲୋକ ଦେଖାଇଛି । ସେମାନେ ଅନୁଭବ କରୁଛନ୍ତି ଆଉ ବିଶ୍ୱାସ କରୁଛନ୍ତି ଯେ ଆମ ସରକାର ସେମାନଙ୍କ ସ୍ୱପ୍ନକୁ ନିଜ ହୃଦୟର କଥା ଭାବି ସାକାର କରୁଛି । ଆମ ସରକାର ରାଜ୍ୟରେ ଧାର୍ମିକ ଏବଂ ସାଂସ୍କୃତିକ ଉନ୍ନତି ସହ କୃଷିର ଏକତା  ଆଣିଦେଇଛି, ଆର୍ଥିକ ଓ ସାଂସ୍କୃତିକ ସ୍ଥିତିରେ ବିକାଶ କରିବାର ମାଧ୍ୟମ ମଧ୍ୟ ସାଜିଛି ।  ଅକ୍ଷୟ ତୃତୀୟା ଏକ ଆରମ୍ଭ, ଏହା ଏକ ସଂକେତ — ଯେଉଁଠି ନୂଆ ଆଶା ଅଙ୍କୁରିତ ହେଉଛି, ଜମି ଲୁହୁଁ ଓ ଘାମର ଘନ ବାସ୍ନାରେ ଭରିଯାଉଛି, ଏବଂ ଆଗାମୀ ଦିନର ଆନନ୍ଦ ଓ ସଫଳତା ପାଇଁ ରାସ୍ତା ଖୋଲୁଛି । ଚାଷୀ ଭାଇ ଓ ଭଉଣୀ ମାନେ ଆସନ୍ତୁ ଏହି ଅକ୍ଷୟ ତୃତୀୟାରୁ ଏକ ନୂତନ ଇତିହାସ ଆରମ୍ଭ କରିବା । ଏକ ଓଡ଼ିଶା ଓ ଶ୍ରେଷ୍ଠ ଓଡ଼ିଶା ଗଢିବା । ଯେଉଁଠି ଚାଷୀ ଶିର ଉଚ୍ଚା କରି ଗର୍ବରେ ଛାତି ଫୁଲେଇ କହିବ— "ଆମ ସଫଳତା ଆମ ଅଧିକାର!"
 ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ 
  ଓଡିଶା ସରକାର