ଅଜଣା ଜଗତର ଡାକ
ଅଶୋକ ବିଶ୍ୱାଳ : ଉପଯୁକ୍ତ ସକ୍ରାର ପରେ ପ୍ରସାଦବାବୁ ସଙ୍ଗୀତର ଆସର ଆରମ୍ଭ କଲେ । ତାଙ୍କ ହାତର ମାଇକ ଓଠ ପାଖକୁ ଚାଲିଗଲା ଆଉ ପ୍ରସାଦବାବୁ ଏକ ଗୀତ ମଧୁର ଭାବେ ଗାଇବାକୁ ଆରମ୍ଭ କଲେ । ପ୍ରସାଦବାବୁ ଏକ ଭଲ କଳାକାର । ତାଙ୍କର ସଙ୍ଗୀତରେ କିଛି ପ୍ରବେଶ ଅଛି । ନହେଲେ ଏତେ ଭଲଭାବେ ଗାଇବା ସହଜ ନୁହେଁ । ଦୁଇ ବାଦ୍ୟଯନ୍ତ୍ରର ବାଦ୍ୟକାରମାନେ ଠିକ ଭାବେ ତାଳ ଦେଉଥିଲେ । ଏଣେ ଅସୀମ ଦିନ କଥା ଭାବୁଥିଲେ । ସେ ଭାବିଲେ ଏମିତିଆ ବର୍ଷା ଶହେ ଦିନ ପର୍ଯ୍ୟନ୍ତ ଲାଗିଥାଉ । ସେମାନେ ବର୍ଷା ବିରତିରେ ଯାଇ ସମୁଦ୍ରକୂଳରେ ବୁଲୁଥାନ୍ତୁ । ବାହାର ବର୍ଷାର ସ୍ୱର ଘର କାନ୍ଥ ଭେଦି ସାମାନ୍ୟ ଆସୁଥିଲା । ସେଇ ସାମାନ୍ୟ ଶବ୍ଦକୁ ଏମାନେ ଏକ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ବୋଲି ଭାବୁଥିଲେ । ଅସୀମ ଆଉ ଶୋଭନା ଲୋକଙ୍କ ମେଳରେ ଗୀତ ଗାଅନ୍ତିନି । ଗୀତ ଶୁଣିବାକୁ ଦୁହିଁଙ୍କୁ ଭଲଲାଗେ । ଏମିତି ଗୀତ ଶୁଣିବାକୁ କେତେ ଜଣଙ୍କୁ ଖରାପ ଲାଗେ କି? ଶୋଭନାଙ୍କୁ ଗାଇବାର ଅସୀମ ଦେଖିନାହାନ୍ତି । କିନ୍ତୁ ଶୋଭନାଙ୍କ କଣ୍ଠ ସରୁ, ଆଉ ମଧୁର ହୋଇଥିବାରୁ ସେ ଭଲ ଗୀତ ଗାଉଥିବେ ବୋଲି ଅସୀମ ଭାବୁଥିଲେ । ଆଉ ପ୍ରସାଦବାବୁ ମାଇକକୁ ଅସୀମଙ୍କ ହାତକୁ ବଢାଇଦେଲେ । ଏବେ ଶୋଭନାଙ୍କ ପାଳି ।
“ଗାଅ ଶୋଭନା ।”- ଅସୀମ ଅନୁରୋଧ କଲେ ।
ସେପଟୁ ପ୍ରସାଦବାବୁ ଗାଆନ୍ତୁ ମାଡାମ୍ ବୋଲି କହୁôଲେ । ଶୋଭନା ଟିକେ ସାଙ୍କୁଡି ଗଲେ । ସେ କେବେ ମାଇକ ଧରି ବା ବାଦ୍ୟ ଯନ୍ତ୍ର ଧରି ବସିଥିବା ଲୋକଙ୍କ ଆଗରେ ଗୀତ ଗାଇନାହାନ୍ତି । ଏଣୁ ଗୀତ କେମିତି ହେବ ବୋଲି ତାଙ୍କର ଆଶଙ୍କା ଥିଲା । କିନ୍ତୁ ଏପଟେ ଅନୁରୋଧ, ଅସୀମଙ୍କ ହାତର ମାଇକ ତାଙ୍କ ଓଠକୁ ଛୁଏଁ କି ନଛୁଏଁ । ଅସୀମ ତାଙ୍କୁ ସମାନ୍ୟ ଅପ୍ରସ୍ତୁତ କରୁଛନ୍ତି । କିନ୍ତୁ ସେ ଅସୀମଙ୍କ ନରମ ଆଖି ଦେଖି ନିଜ ଭିତରେ ସାହସ ଠୁଳ କଲେ ଆଉ ମାଇକକୁ ନିଜ ହାତକୁ ନେଇନେଲେ । ତାଙ୍କର ସୁଢୌଳ ମୁଖମଣ୍ଡଳରେ ସାମାନ୍ୟ ହସ ଫୁଟି ଉଠିଲା । ତାଙ୍କର ହାତ ନରମ ଭାବରେ ମାଇକକୁ ନେଇ ଓଠରେ ଛୁଆଇଲା ସତେ ଯେମିତି କାହକୁ ସ୍ନେହରେ ସ୍ପର୍ଶ କରୁଛନ୍ତି ।
ଶୋଭନାଙ୍କ ମଧୁର କଣ୍ଠରୁ ଝରି ଆସିଲା – “ଦିଲ କି ନଜର ସେ,. .. .ା”
“ଆରେ ଶୋଭନା ତୁମେ ଏତେ ମଧୁର ଭାବେ ଗୀତ ଗାଇପାର ମୁଁ ଜାଣିନଥିଲି ।”- ଅସୀମ ଧୀରେ ତାଙ୍କ କାନରେ କହିଲେ ।ଅସୀମ ଭାବିଲେ ସତରେ ଶୋଭନା ମଧୁର ଭାବେ ଗୀତ ଗାଇପାରୁଛନ୍ତି । ସେ ଶୋଭନାଙ୍କୁ ଗୀତ ଗାଇବାପାଇଁ ପ୍ରାୟ କହିବେ । ଘରେ ହାଲୁକା ଆଲୋକ ଥିଲା । ଝିପି ଝିପି ବର୍ଷା ସେମିତି ଚାଲିଥିଲା । ସେମାନଙ୍କ ଗୀତର ଆସର ବହୁ ସମୟ ଚାଲିଲା । ସେମାନେ ରାତ୍ରୀ ଭୋଜନ ପରେ ନିଜ ଘରକୁ ଫେରିଆସିଲେ । ରାତିରେ ସେମାନଙ୍କ ଟିଣ ଛାତ ଉପରେ ବର୍ଷାର ରିମ ଝିମ ଶବ୍ଦ ଥିଲା । ବର୍ଷାର ସଙ୍ଗୀତ ଅତି ମଧୁର ଲାଗେ । ଯଦି ଘରର ଛାତ ଆଜବେଷ୍ଟସ ବା ଟିଣର ହୋଇଥାଏ, ତେବେ ବର୍ଷା ଠୋପା ପଡିବାର ଶବ୍ଦ ଲାଗେ କେଉଁବାଜାର ଟଂ ଟଂ ଶବ୍ଦ । ସେହି ଶବ୍ଦ ବହୁ ସମୟ ଧରି ଏକ ତାଳରେ ବାଜିଲେଏକ ସୁର ତିଆରି ହୁଏ । ସକାଳ ମଧ୍ୟ ବର୍ଷାର ଝଙ୍କାରରେ ଝଙ୍କୃତ ହେଉଥିଲା । ଅସୀମ ବାହାରକୁ ଆସିଲେ । ପବନ ନାହିିଁ, କିନ୍ତୁି ବୁନ୍ଦି ବୁନ୍ଦି ହୋଇ ଝରୁଛି ବର୍ଷା ଏକ ଏକ ମୋହକ ଭରା ମୁହୂର୍ତ୍ତକୁ ସାଥିରେ ଜଡାଇ । ମେଘର ରେଣୁମାନ ଭାସୁଛି ପବନରେ, ମନେ ପକାଇଦେଇ ପୂର୍ବର ରୋମାଞ୍ଚକୁ । ଆଖି ପତାକୁ ଓଦା କରିଦେଉଛି ବର୍ଷାର ଛିଟିକା, ହୃଦୟରେ ତୃପ୍ତିର ବାରିକୁ ବିଞ୍ôଚଦେଇଳରି । ସେ କିଛି ସମୟ ବର୍ଷାର ଧାରକୁ ଅନାଇ ରହିଲେ । ପାଖ ଚେଆର ଖାଲି ଥିଲା । ଶୋଭନା ଏପର୍ଯ୍ୟନ୍ତ ଉଠି ନାହାନ୍ତି ।
ସେ ଶୋଭନାଙ୍କୁ ଡାକିବାକୁ ଘର ଭିତରକୁ ଗଲେ । ସେମାନଙ୍କ ବେଡ ରୁମ କିଛି ମୂଲ୍ୟବାନ ଜିନିଷରେ ସଜ୍ଜିତ ନଥିଲା । ସେମାନେ ସମୁଦ୍ରକୂଳରୁ ସଂଗ୍ରହ କରିଥିବା ଶଂଖ, ଶାମୁକା, କଉଡି ଇତ୍ୟାଦି ଏକାଠି କରି ନିଜ ଶୋଇବା କୋଠରୀରରେ ସଜାଇ ରଖିଥିଲେ । ସେ ସବୁ ଶଂଖ ଶାମୁକାକୁ ଦେଖି ଅସୀମ ସମୁଦ୍ରକୂଳରେ ଚାଲୁଥିବା କଥା ମନେ ପକାଇଲେ । ଶୋଭନା ବୋଧହୁଏ ଆଉଥରେ ସମୁଦ୍ରକୂଳକୁ ଯାଇ ନାଚିବାକୁ ଚାହିଁବେ । ଏକ ବେତ ତିଆରି ଚେଆର ଉପରେ ଏକ ପେଟୁଆ ଟିଭି ଥିଲା । ଆଉ ସେମାନଙ୍କ ଖଟ ଥିଲା ସାଧାରଣ, ଦୁଇଟା ଖଟକୁ ଯୋଡି ଏକ ବଡ ଖଟ କରାଯାଇଥିଲା ଆଉ ସେଥିରେ ପଡିଥିଲା ଏକ ଶିମିଳି ତୂଳା ଗଦି ଯାହା ସେମାନଙ୍କ ଘର ପାଖ ଗଛରୁ ସଂଗ୍ରହ କରାଯାଇଥିଲା ।ଅସୀମଙ୍କୁ ଲାଗୁଥିଲା ସେମାନଙ୍କ ଘର ବହୁତ ବଡ ହୋଇଯାଇଛି । ଏକ ବିରାଟ ପ୍ରାସାଦରେ ପରିବର୍ତ୍ତିତ ହୋଇଯାଇଛି । ସବୁକିଛି ମହାର୍ଘ୍ୟ, ଅତି ମୂଲ୍ୟବାନ ଲାଗୁଛି, କେଉଁ ସୁଦୂର ଦେଶରୁ ଅତି ଯତ୍ନରେ ସଂଗୃହୀତ ହୋଇଛି । କୋଠରୀ ଭିତରେ ଶୋଭନା ଶାନ୍ତିରେ ଶୋଇଥିଲେ ଏକ ଖେଳ କଣ୍ଢେଇ ଭଳି । କିଏ ତା’କୁ ପୋଛି ପାଛି ଦେଇ ତୂଳୀତଳ୍ପ ଶର୍ଯ୍ୟାରେ ନିଦରେ ଶୁଆଇ ଦେଇଛି । ଆଖିବନ୍ଦ କରି ଶୋଇଯାଇଛି ଏକ ରାଜକନ୍ୟା ।ଶୋଭନାଙ୍କୁ ଏତେ ଶାନ୍ତିରେ ଶୋଇଥିବାର ଦେଖି ଅସୀମ ଭାବୁଥିଲେ ଶୋଭନା ନିଦରେ ଏକ ସଙ୍ଗୀତର ଆସରରେ ବସିଥିବେ । ସେ ସମୁଦ୍ରକୂଳରେ ପାଣିକୁ ଛୁଇଁ ଫେରିଆସିଥିବେ ଆଉ ତାଙ୍କ ପାଦରେ ବାଲି ଟିକିଏ ଲାଗିନଥିବ । ପାଣିର ରିମିଝିମି ନାଚ ଦେଖିଥିବେ ଆଉ ଆସରରେ ବର୍ଷାର ରାଗ ଗାଉଥିବେ । ସେ ଶୋଭନାଙ୍କୁ ନଉଠାଇ ବାହାରକୁ ଫେରି ଆସିଲେ । କିଛି ସମୟପରେ ଶୋଭନା ମଧ୍ୟ ଆସିଲେ । ତାଙ୍କ ଅଲରା ବାଳ ମୁଣ୍ଡ ଉପରୁ ତଳକୁ ଝୁଲି ଆସିଛି । ଏମିତି ସରିଯାଉଥିଲା କିଛି ବର୍ଷଣ ମୁଖର ଦିନର ମଧୁର ମୁହୁର୍ତ୍ତମାନ । ଘରୁ ଯେ ବାହାରି ହେଉନି ।
“କେଉଁଠିକି ଯିବ ତୁମେ ଏ ବର୍ଷାରେ, ବିନ୍ଦୁ ବିନ୍ଦୁ ପାଣି ଯେ ଝରିପଡୁଅଛି । - ଅସୀମ ନିଜ ଭିତରେ ପାଣିର ବିନ୍ଦୁମାନଙ୍କୁ ଛିଟିକି ପଡୁଥିବାର ଦେଖୁଥିଲେ ।
“ବିତିଯାଉ ଦିନ କାହାର ଖୁସିରେ, କାହାର ହସରେ, ସେମାନେ କେତେ ଅନାଇ ବସିରହିଛନ୍ତି ।”- ଅସୀମ ବେଳେବେଳେ କାନ୍ଥରୁ ପ୍ରତିଧ୍ୱନି ଶୁଣନ୍ତି ।
ତାପରେ କଲୋନୀରେ ଅନେକ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏ । ମୁଖ୍ୟ ପୁରୋଧା ଥାଆନ୍ତି ପ୍ରସାଦବାବୁ ଆଉ ଡୋମିନିକ ଚାର୍ଲସ । ଏ ଭିତରେ କଲୋନୀର ସଂସ୍କୃତିକ ସନ୍ଧ୍ୟାର ମୁହୁର୍ତ୍ତ ଆୟୋଜନର ଖବର ସମସ୍ତଙ୍କ ପାଖକୁ ଚାଲିଗଲା । କ୍ୟାମ୍ପବେଲ ବେରେ କିଛି ସାଂସ୍କୃତିକ ବା ଆମୋଦପ୍ରମୋଦର ପରିବେଶ ପ୍ରାୟ ନାହିଁ । ନିଜ ଭିତରେ ଏକ ଖୁସିର ବଳୟ ଯାହା ସୃଷ୍ଟି କରିବାର କଥା । ସେଇଥି ପାଇଁ ଇଚ୍ଛା ଆଉ ସାଧନର ଆବଶ୍ୟକତା ଅଛି । ଫରେଷ୍ଟ କମପ୍ଲେକ୍ସରେ ଏକ ଏକଜିବିସନ କମ କମ୍ୟୁନିଟି ହଲ ଥିଲା । ପ୍ରାୟ ୨୦-୨୫ ଜଣ ଲୋକ ବସିବାର ସୁବନ୍ଦୋବସ୍ତ ଥିଲା । ଘର ଭିତରେ ପ୍ଲାଷ୍ଟିକ ଚେଆର ପଡିଥିଲା, ପରଦା ଲାଗିଥିଲା ଆଉ କାନ୍ଥରେ ଡ୍ରିଫ୍ଟଉଡ, ସି ଶେଲ, ସି ଫର୍ଣ୍ଣ ଆଦି କାନ୍ଥରେ ସଜା ଯାଇଥିଲା । କାନ୍ଥ କହିଲେ ତକ୍ତାରେ ତିଆରି ପାର୍ଟିସନ ଆଉ ଘରର ମେଜିଆ ସିମେଣ୍ଟର ଥିଲା । ଆଗ ଆଡକୁ ଏକ ବଡ ଚେଆର ପଡିଥିଲା । ସେଥିରେ ସିନ୍ଥେସାଇଜର ଆଉ ଏକ ପଟେ ହାରମୋନିଅମ ଥିଲା । ତଳେ ଡୁବି ତାବଲା ଧରି ବାଦକ ବସିଯାଇଥିଲେ । ଡୁବି ତାବଲା ବାଦକଙ୍କ ଲମ୍ବା ଚୁଟି ଆଖି ତଲକୁ ଝୁଲିଆସି ପ୍ରାୟ ପାଟି ଛୁଉଁଥିଲା । ଯେତେବେଳେ ସେ ନଇଁ ପଡୁଥିଲେ ତାଙ୍କ ମୁଣ୍ଡ ଏକ ନାଚୁଥିବା ୟାକର ମୁଣ୍ଡ ଭଳି ଦେଖାଯାଉଥିଲା । (କ୍ରମଶଃ)