ବିଶ୍ୱବରେଣ୍ୟ ସ୍ୱାମୀ ବିବେକାନନ୍ଦ

ବିଶ୍ୱବରେଣ୍ୟ ସ୍ୱାମୀ ବିବେକାନନ୍ଦ

ପ୍ରବାସିନୀ ମହାନ୍ତି : ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ସେ କୌଣସି ଆନ୍ଦୋଳନ କରିନାହାନ୍ତି, ସତ୍ୟାଗ୍ରହ କିମ୍ବା କାରାବରଣ କରିନାହାଁନ୍ତି, କିନ୍ତୁ ଏମିତ ଏକ ପଥ କେବଳ ଯୁବସମାଜକୁ ନୁହେଁ, ବରଂ ସମଗ୍ର ମାନବ ସମାଜକୁ ଉଚ୍ଚାରଣ ଓ ଆଚରଣରେ ଦେଖାଇଦେଇ ଯାଇଛନ୍ତି ଯେ, ଆଜି ସମଗ୍ର ବିଶ୍ୱ ତାଙ୍କୁ ଏକ ବିସ୍ମୟ ଉଜ୍ୱଳ ଜ୍ୟୋତିଷ୍କ ଭାବେ ବିବେଚନା କରୁଛି । ପରାଧୀନତାର ଶୃଙ୍ଖଳକୁ ତ୍ୟାଗକରି ଅନ୍ଧ ବିଶ୍ୱାସ ଓ କୁସଂସ୍କାରରେ ବଶବର୍ତ୍ତୀ ନ ହୋଇ, ଯୁବକମାନଙ୍କୁ ଜାଗ୍ରତ କରିବା, ନାରୀଶିକ୍ଷାକୁ ପ୍ରାଧାନ୍ୟ ଦେବା ସହ ସନାତନ ଧର୍ମର ମୂଳତତ୍ତ୍ୱକୁ ପର୍ଯ୍ୟବେଷିତ କରିବା ଥିଲା ତାଙ୍କର ଚିର ଲକ୍ଷ୍ୟ । “ମାନବ ସେବା ହିଁ ମାଧବ ସେବା” ତାଙ୍କର ଥିଲା ବ୍ରତ । ଦରିଦ୍ର, ଲାଞ୍ଛିତ, ପ୍ରପୀଡ଼ିତ, ଦଳିତ ଜନଙ୍କର  ଉଦ୍ଧାର ପାଇଁ ପ୍ରତିଶ୍ରୁତି ବଦ୍ଧତା । ଭାରତବାସୀ ଯେତେବେଳେ ଭୟଙ୍କର ଦାସତ୍ୱର  ପରାଧୀନତା ଭିତରେ ଗତିକରି, ଚେତନାଶୂନ୍ୟ  ଜୀବନଯାପନ କରୁଥିଲେ ସେହି ସମୟରେ, ଏମିତି ଜଣେ ମୁକ୍ତିଗାମୀ, ଆଧ୍ୟାତ୍ମବାଦୀ, ସମଗ୍ର ବିଶ୍ୱର ମଙ୍ଗଳକାମୀ, ଦେଶର ତ୍ରାଣକର୍ତ୍ତା ଭାବେ ଯେଉଁ ଯୁବ ସନ୍ନ୍ୟାସୀ ଆବିର୍ଭାବ ହୋଇଥିଲେ, ତାଙ୍କୁ କିଏ ବା ନ ଜାଣେ! ମହାନ୍‌ ତେଜସ୍ୱୀ ବିସ୍ମୟ ପୁରୁଷ, ଅଖଣ୍ଡଲୋକର ଋଷି ପ୍ରଜ୍ଞାବାନ୍‌, ଭାରତର ଗର୍ବ ଓ ଗୌରବର ରକ୍ଷାକବଚ, ବିଶ୍ୱଦ୍ରଷ୍ଟା, ବିଶ୍ୱବିଜୟୀ, ବିଶ୍ୱବରେଣ୍ୟ ଯୁଗାଚାର୍ଯ୍ୟ “ ସ୍ୱାମୀ ବିବେକାନନ୍ଦ” ନାମ ମୁଖରୁ ନିସୃତ ହେବାକ୍ଷଣି  ମୁଖ ପବିତ୍ର ହୋଇଯାଏ, ଶରୀରରେ ଏକ ସ୍ପୁଲିଙ୍ଗର  ଶିହରଣ ଖେଳିଯାଏ । ସାହସ ଶକ୍ତି ଯେପରି ମନକୁ ଆଚ୍ଛାଦିତ କରି ରଖେ । ସ୍ୱାମୀ ବିବେକାନନ୍ଦ, ପଶ୍ଚିମବଙ୍ଗର  କଲିକତା ସହରରେ ୧୮୬୨ ମସିହା, ଜାନୁୟାରୀ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କର ମୂଳନାମ ଥିଲା ନରେନ୍ଦ୍ର ନାଥ ଦତ୍ତ । ଘରେ ଡାକୁଥିଲେ “ବିଲେ” ତାଙ୍କ ମହିୟସୀ ମାତା ଭୁବନେଶ୍ୱରୀ ଦେବୀ  ବୀରେଶ୍ୱର ମହାଦେବଙ୍କ କୃପାରୁ ପୁଅକୁ ପାଇ ଥିବାରୁ ତାଙ୍କୁ ଶ୍ରଦ୍ଧାରେ ବୀଲେ ବୋଲି ଡାକୁଥିଲେ । ମହାଦେବଙ୍କ ପରି ସେ ଥିଲେ ଧ୍ୟାନ ତପ ପ୍ରିୟ ।

   ୧୮୮୫ ମସିହାରେ  ନରେନ୍ଦ୍ରନାଥ  ବି.ଏ ପାଶ୍‌ କଲାବେଳକୁ ତାଙ୍କ ପିତା ବିଶ୍ୱନାଥ ଦତ୍ତ ଶରୀର ତ୍ୟାଗ କଲେ । ବଡ଼ ପୁଅ ହିସାବରେ ଘରର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ପଡ଼ିଲା । ଘରେ ମା, ଦୁଇ ଭଉଣୀ, ଦୁଇ ଭାଇଙ୍କୁ ନେଇ ତାଙ୍କ ପରିବାର । ସେମାନଙ୍କର ଶୁଖିଲା ମୁହଁକୁ ଚାହିଁ, ଆଖି ଲୁହପୋଛି ନରେନ୍ଦ୍ର ବାହାରନ୍ତି ·କିରି ଅନୁସନ୍ଧନାରେ । କିନ୍ତୁ ଫଳ କିଛି ହେଲାନି । ଋଣଦାତା ଓ ଜ୍ଞାତି କୁଟୁମ୍ବଙ୍କର ଜୁଲମ୍‌ ଦୁଃସହ ସୃଷ୍ଟିକଲା । ଦୁଇ ବେଳା ଭୋଜନର ବନ୍ଦୋବସ୍ତ କରିବା ମଧ୍ୟ କାଠିକାର ପାଠ । ସେ ଅନୁଭବ କଲେ, “ଦୁର୍ବଳ, ଦରିଦ୍ର ଓ ଦୁର୍ଦ୍ଦଶାଗ୍ରସ୍ତଙ୍କ ପାଇଁ ଏ ସଂସାରେ  ସ୍ଥାନନାହିଁ । ଦର୍ଶନ ବିଭାଗର ଛାତ୍ର ନରେନ୍‌ଙ୍କ ମନରେ ଅନେକ ପ୍ରଶ୍ନବାଚୀ ଅନେକ ଜିଜ୍ଞାସା, ସତରେ କ’ଣ ଭଗବାନ୍‌ ଅଛନ୍ତି! ତାଙ୍କର ଅସ୍ତିତ୍ୱ ଅଛି କି ନାହିଁ । ପରବର୍ତ୍ତୀ ସମୟରେ ଠାକୁର ଶ୍ରୀ ରାମକୃଷ୍ଣ ପରମହଂସଙ୍କ ସାନ୍ନିଧ୍ୟ ଲାଭକରି ସେ ଯେଉଁ ଦିବ୍ୟ ଅନୁଭୂତିମାନ ପାଇଲେ, ସେଥିରୁ ସେ ଜାଣିଲେ, ଈଶ୍ୱର ଅଛନ୍ତି ଓ  ପ୍ରାର୍ଥନା କଲେ ସେ ସାହାଯ୍ୟ କରନ୍ତି । ଈଶ୍ୱର ଦର୍ଶନର ଜିଜ୍ଞାସା ନେଇ ସେ ଭ୍ରମିତ ହେଉଥିଲେ । କୌଣସି ଧର୍ମଗୁରୁଙ୍କ ଠାରୁ ସଠିକ୍‌ ଉତ୍ତର ପାଇପାରୁନଥିଲେ । ଅନିସନ୍ଧିତ୍ସୁ ମନରେ ସେ ଯେତେବେଳେ ଯାଇ ଦକ୍ଷିଣେଶ୍ୱର କାଳୀ ମନ୍ଦିରର ପୂଜକ ତଥା ସାଧକ ପରମହଂସ ଶ୍ରୀଶ୍ରୀଠାକୁର ରାମକୃଷ୍ଣଙ୍କ ପାଖରେ ପହଁଞ୍ଚଲେ, ଠାକୁର କହିଲେ, ‘ନରେନ୍‌ ତୁ ଆସିବୁ ବୋଲି, ମୁଁ ତୋତେ  ଅପେକ୍ଷା କରିଥିଲି । ତୁ ଏତେ ଡେରିରେ କାହିଁକି ଆସିଲୁ ? ପ୍ରଥମ ସାକ୍ଷାତରେ  ରାମକୃଷ୍ଣଙ୍କର ଏଭଳି ଉକ୍ତି କଲେଜ୍‌ଛାତ୍ର ନରେନ୍ଦ୍ରଙ୍କର  ବୋଧଗମ୍ୟ ହେଲାନାହିଁ । ସେ ଭାବୁଥିଲେ, ମୋତେ ନଜାଣି ନଚିହ୍ନି କାହିଁକି ପ୍ରତୀକ୍ଷା କରିଥିଲେ ? ନରେନ୍ଦ୍ରଙ୍କ ମନରେ ଈଶ୍ୱରଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ସେ ଠାକୁରଙ୍କୁ ପଚାରିଥିଲେ । ଠାକୁର ପରମହଂସ ଅତି ଦୃଢ଼ତାର ସହ କହିଥିଲେ ସେ ଈଶ୍ୱରଙ୍କୁ ସ୍ୱଚକ୍ଷୁରେ ଦେଖୁଛନ୍ତି, କଥାବାର୍ତ୍ତା ହୋଇଛନ୍ତି, ଯଦି ନରେନ୍‌ ଚାହାଁନ୍ତି ତାଙ୍କୁ ମଧ୍ୟ ଦେଖାଇଦେଇ ପାରିବେ । ଶ୍ରୀରାମକୃଷ୍ଣଙ୍କର ଏହି ଅକାଟ୍ୟ ଉକ୍ତିକୁ ଯୁବକ ନରେନ୍ଦ୍ରନାଥ ବିନାଯୁକ୍ତିରେ ଗ୍ରହଣ କରିଥିଲେ ଓ ତାଙ୍କର ପରମଶିଷତ୍ୱ ଲାଭ କରିଥିଲେ । ସେହିଦିନ ଠାରୁ ତାଙ୍କର ଜୀବନର ପଥ ବଦଳିଯାଇଥିଲା ଓ ଉପଯୁକ୍ତ ଗୁରୁଙ୍କର ମାର୍ଗ ଦର୍ଶନରେ  ସେ ନରେନ୍ଦ୍ରନାଥରୁ, ସ୍ୱାମୀ ବିବେକାନନ୍ଦ, ଦିବ୍ୟ ଶାଶ୍ୱତ ପୁରୁଷ ରୂପେ ଉଭାହେଲେ ।

  ଠାକୁର ଶ୍ରୀରାମକୃଷ୍ଣ ଜାଣିଥିଲେ, ତାଙ୍କର ଅନୁରୋଧରେ, ଦିବ୍ୟଲୋକର ଧ୍ୟାନ ମଗ୍ନ ନରଋଷି “ନରେନ୍ଦ୍ର” ନାମରେ  ଜନ୍ମଗ୍ରହଣ କରିଛନ୍ତି । ତାଙ୍କ ଅବତରଣ ନିଜ ପାଇଁ ନୁହଁ ସେ ବିଶ୍ୱବାସୀଙ୍କ ପାଇଁ  ଅଭିପ୍ରେତ । ଖାଲି ଜୀବଜଗତରେ ଯନ୍ତ୍ରଣା ନୁହେଁ ମନୁଷ୍ୟର ଅଜ୍ଞାନତକୁ ଦୂରକରିବାକୁ ଅଖଣ୍ଡଲୋକରୁ ସେ ଆସିଛନ୍ତି । ସମୟ ଆସିବ, ସେ ନିଜେ  ବୁଝିବ, ସେ କିଏ ? କ’ଣ  ପାଇଁ ଏ ସଂସାରକୁ ଆସିଛନ୍ତି ? ପରିବାରର ଅନାଟନ  ଅନଟନକୁ ନିଜେ ଅଙ୍ଗେ ଲିଭାଇଥିଲେ ସ୍ୱାମୀଜୀ, ସେହି ବ୍ୟକ୍ତିଗତ ଦୁଃଖ ତାଙ୍କୁ ମନୁଷ୍ୟର ଉଦ୍ଧାର ପାଇଁ ପ୍ରେରଣା ଦେଇଥିଲା । ଦୁଃଖୀ, ଦରିଦ୍ର, ଅଶିକ୍ଷିତ, ନିରନ୍ନ, ରୋଗୀ, ରଙ୍କୀ ଲୋକଙ୍କୁ ନେଇ ଭାରତବର୍ଷ ଗଠିତ । ସେହି ଦେଶରେ ଥିବା, କ୍ଷମାତାଶାଳୀ ଧନୀ ସଂପନ୍ନ ବ୍ୟକ୍ତି ଟିକେ ମଧ୍ୟ ଆଡ଼ ଦୃଷ୍ଟିରେ ଏମାନଙ୍କୁ ଚାହୁଁ ନାହାନ୍ତି । ଏହି ସାମାଜିକ ଅବସ୍ଥା ଓ ବ୍ୟବସ୍ଥା ତାଙ୍କୁ ମର୍ମେ ମର୍ମେ ବ୍ୟଥିତ କରୁଥିଲା । ଭାରତବର୍ଷ ତାଙ୍କପାଇଁ ହୋଇଗଲା ଏକ ଅଶ୍ରୁସିକ୍ତ ଅଖଣ୍ଡ ପରିବାର । ତେଣୁ ସେ ଈଶ୍ୱର ଧ୍ୟାନ ଛାଡ଼ି, ଅଗଣିତ ମଣିଷଙ୍କର ହଜିଯାଇଥିବା ଆତ୍ମବିଶ୍ୱାସକୁ ଉପଲବ୍ଧି କରାଇବା ସହ ସେମାନଙ୍କର ଶିକ୍ଷା, ବାସସ୍ଥାନ, ଖାଦ୍ୟ ବ୍ୟବସ୍ଥାକୁ ତ୍ୱରାନିତ କରିବାକୁ ଅଗ୍ରସର ହେଲେ । ତେଣୁ ସେ ଭାରତ ଭ୍ରମଣରେ ବାହରିଲେ, ଓ ଦେଶର ଶୋଚନୀୟ ଅବସ୍ଥା ଦେଖି ମ୍ରିୟମାଣ ହୋଇ ଉଠୁଥିଲେ । ଦରିଦ୍ର, ମୂର୍ଖଜନତା, ଅନ୍ନ ବସ୍ତ୍ର ବାସଗୃହର ଅଭାବରେ ଜର୍ଜରିତ ହେଉଥିବା ବେଳେ, ସେମାନଙ୍କୁ ଯଦି ଧର୍ମ ଅର୍ଜନ କରିବାକୁ, ବ୍ରତ ପାଳନ କରିବାକୁ, ନାନା ଉତ୍ସବରେ ଯୋଗଦାନ କରିବାକୁ ସାମାଜିକ ବ୍ୟବସ୍ଥା ରହିଛି, ଏହା କେବଳ ମଣିଷ ଜୀବନ ପ୍ରତି ଏକ ପ୍ରବଞ୍ଚନା କହିଲେ ଅତ୍ୟୁକ୍ତି ହେବନାହିଁ । ଏହାଥିଲା ହିନ୍ଦୁଧର୍ମର କାଳକାଳ ଧରି ପ୍ରଚଳିତ କଳଙ୍କିତ ଭାବନା ଉପରେ କୁଠାରଘାତ । ଏହାଥିଲା ମହାନ୍‌ ବିପ୍ଳବୀ ବିବେକାନନ୍ଦଙ୍କର ଉକ୍ତି । ଈଶ୍ୱର କାଠ, ପଥର ମୂର୍ତ୍ତିରେ ଆବଦ୍ଧ ନୁହନ୍ତି । ମୂର୍ତ୍ତି ପୂଜା ପାଇଁ ଅଜସ୍ର ଖର୍ଚ୍ଚକରି ବାହ୍ୟ ଆଡମ୍ବର ଦେଖାଇବା ଅପେକ୍ଷା ଦୁଃଖୀ, ପତିତ, ଦଳିତ, ନିଷ୍ପେଷିତ ଜନତାଙ୍କ ପାଇଁ ସୁଖ ସୁବିଧା, ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ବାସଗୃହ କର୍ମ ନିଯୁକ୍ତି ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ବିବେଚନା କରି କିପରି ସେମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୂରକରିବେ ସେହି କାମରେ ଲାଗିଗଲେ । ସେ ଥିଲେ ଜଣେ ଦରଦୀ, ଦୟାବାନ୍‌ ଯୁବକ । ସେ ଜାଣିଥିଲେ ଧର୍ମ ପ୍ରଚାର କରିବା ଏକ ବୃଥା ପ୍ରୟାସ । ତେଣୁ ସେ ବୁଭୁକ୍ଷୁ ଜନତାଙ୍କ ଲାଗି ଆମେରିକା ଯାଇଥିଲେ । ସେଠାରେ ସେ ଭାଷଣରେ କହିଥିଲେ, ହେ ଆମେରିକା ବାସୀ, ତୁମେ ଭାରତ ଯାଇ ଗୀର୍ଜା ନିର୍ମାଣକର ମନାନାହିଁ, କିନ୍ତୁ ଯେଉଁଠି ଜନତା ନିରନ୍ନ  ସେଠାରେ ଗୀର୍ଜା ନିର୍ମାଣ କରି ଲାଭ କ’ଣ ? ଜଣାପଡୁଥିଲା, ସେ ହିନ୍ଦୁଧର୍ମର କେବଳ ପ୍ରତିନିଧି ନଥିଲେ ବରଂ କୋଟ କୋଟି ଦୁଃଖୀ ଦରିଦ୍ରଙ୍କର ପ୍ରତିନିଧି ଭାବେ ଦଣ୍ଡାୟମାନ ଥିଲେ । ସେ ଜାଣିଥିଲେ ସମାଜତନ୍ତ୍ର ଏକ ସଂପୂର୍ଣ୍ଣ ବ୍ୟବସ୍ଥା ନୁହେଁ ।  ସେ ଭାବିଲେ ଯଦି ବ୍ରାହ୍ମଣର ଜ୍ଞାନ, କ୍ଷତ୍ରିୟର ଶକ୍ତି, ବୈଶ୍ୟର ଧନ, ଶୁଦ୍ରର ସାମ୍ୟକୁ ଏକତ୍ରିତ କରିଦିଆଯିବ ତେବେ ଆମଦେଶ ରାମରାଜ୍ୟରେ ପରିଣତ ହେଇଯିବ । କେବଳ ଏତିକ ନୁହେଁ, ସେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମସ୍ତ ଦିଗରୁ, ଅନ୍ୟାୟ ବୈଷମ୍ୟ ଓ ଅବିଚାର ଦୂରକରି ପ୍ରତି ମଣିଷକୁ ମର୍ଯ୍ୟାଦା ଫେରାଇ ଦେବାକୁ ଚାହୁଁଥିଲେ ।


   ପୃଥିବୀର ସବୁ ଦେଶ ଯୁବଶକ୍ତିକୁ ଗୁରତ୍ୱ ଦିଏ । ଏହି ବୟସରେ ଆତ୍ମଶକ୍ତି ପ୍ରବଳ ଥାଏ । ଶରୀରରେ କର୍ମ ପ୍ରବଣତା, ସାହାସ, ଅଦ୍ୟମ ବଳ ଥାଏ । ଏକ ସମୃଦ୍ଧ ଜାତି, ସମୃଦ୍ଧ ଦେଶ ଏବଂ ସମୃଦ୍ଧ ମାନବ ସମାଜ, ବିଶେଷତଃ ଯୁବ ଶକ୍ତିର ସଂକଳ୍ପ, ଦୃଢ଼ ନିଷ୍ଠାର ସହ କାର୍ଯ୍ୟ, ଦୃଢ଼ ସଂଗଠନ ଉପରେ ନିର୍ଭର କରେ । ଏହି ଯୁବ ଶକ୍ତି କେବଳ ସ୍ୱପ୍ନକୁ ସାକର କରି, ଧର୍ମର ଧ୍ୱଜା ଉଡ଼ାଇ, ଦେଶର ସମନ୍ୱୟକୁ ସଶକ୍ତ କରିପାରିବ । ମାନସିକ ଓ ଆଧ୍ୟାତ୍ମିକ ଶକ୍ତି ଆରାଧ୍ୟ ଦେବୀ ମା’ ‘କାଳୀ’ଙ୍କର ଶକ୍ତି ଶ୍ରୀରାମକୃଷ୍ଣଙ୍କ ମାଧ୍ୟମରେ ବିବେକାନନ୍ଦଙ୍କୁ ମିଳିଥିଲା । ଏହି ଶକ୍ତି ବିବେକାନନ୍ଦ ଦେଇଥିଲେ ଦେଶର ଅଗଣିତ ଯୁବ ସମାଜକୁ । ମହାନ୍‌ ଗୁରୁଙ୍କର ଅସାଧାରଣ ଶିଷ୍ୟ ଭାବରେ ଏକ ପ୍ରଚଣ୍ଡ ଜ୍ଞାନୀ, ବକ୍ତା, ଶାସ୍ତ୍ରଜ୍ଞ, ସାହାସୀ, କର୍ମଯୋଗୀ ବେଦାନ୍ତର ପ୍ରଚାରକ ଭାବରେ ସ୍ୱାମୀଜୀ ଅଦ୍ୱିତୀୟ ।ବିଶ୍ୱଧର୍ମ ମହାସଭା ଅନୁଷ୍ଠିତ ହେବାକୁ ଥିଲା ଆମେରିକାର ଚିକାଗୋ ସହରରେ । ସେହି ଧର୍ମ ସଭାରେ ଯୋଗ ଦେବାକୁ ସ୍ୱାମୀଜୀଙ୍କୁ ଅନେକ କଷ୍ଟ, ଥଟ୍ଟାପରିହାସ, ତାଚ୍ଛଲ୍ୟ ସ୍ୱୀକାର କରିବାକୁ ପଡ଼ିଥିଲା । ୧୮୯୩ ମସିହା ସେପ୍ଟେମ୍ବର ୧୫ ତାରିଖ ଦିନ ବିଶ୍ୱଧର୍ମ ମହାସଭା ଉଦ୍‌ଘାଟିତ ହେଲା । ସେଥିରେ ସେ ଯୋଗଦେବାର ସେ ସୌଭାଗ୍ୟ ଲାଭକଲେ । ତେଜୋଦୀପ୍ତ ଗୈରିକ ବସନଧାରୀ, ଆଜନ୍ମ ବ୍ରହ୍ମଚାରୀ, ବ୍ରହ୍ମଜ୍ଞାନୀ ସ୍ୱାମୀଜୀ, ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ । ଧର୍ମ ମାନଙ୍କର ସହାବସ୍ଥାନ ଓ ସମନ୍ୱୟର ପବିତ୍ର ବାଣୀକୁ  ଶ୍ରୀ ଶ୍ରୀ ରାମକୃଷ୍ଣ ନିଜର ଅଚରଣରେ ସିଦ୍ଧି କରିଥିଲେ । ବିବେକାନନ୍ଦ ସେତେବେଳେ ଭାବୁଥିଲେ, ଠାକୁରଙ୍କର ଏହି ଭାବନା  ସିଦ୍ଧ ହେବାକୁ ଯାଉଛି । ଯେତେବେଳେ ସ୍ୱାମୀଜୀ ଦଣ୍ଡାୟମାନ ହୋଇ  ଧର୍ମସଭାକୁ ସମ୍ବୋଧନ କଲେ ଗୁରୁ ଗାମ୍ଭୀର୍ଯ୍ୟ ସ୍ୱରରେ- “ହେ ମୋର  ଆମେରିକାର ଭାଇ ଓ ଭଉଣୀମାନେ ସେତେବେଳେ ଶ୍ରୋତୃମଣ୍ଡଳୀଙ୍କର ଘନଘନ କରତାଳିରେ ବିରାଟ ପ୍ରକୋଷ୍ଠ ପ୍ରକମ୍ପିତ ହୋଇଥିଲା । କେବଳ  କରତାଳିରେ ତାଙ୍କୁ ଦିଆଯାଇଥିବା ଅବଧି ସରିଗଲା । ତଥାପି ସ୍ୱାମୀଜୀ ହିନ୍ଦୁଧର୍ମର ମହାନତା, ଜୀବନଦର୍ଶନ, ସର୍ବଧର୍ମ ପ୍ରତି ସହିଷ୍ଣୁତା ଓ ଭାରତର ବେଦାନ୍ତ ସମ୍ବନ୍ଧରେ ଅନର୍ଗଳ କହିଚାଲିଲେ । ଗୁରୁଙ୍କର ନାମକୁ ଅମରତ୍ୱଦେଇ ପାଶ୍ଚାତ୍ୟ ସଭ୍ୟତାର ଆଧୁନିକତା, ବାସ୍ତବତା ସହ ପ୍ରାଚ୍ୟର ଜ୍ଞାନ ଦର୍ଶନ ଓ ଧର୍ମ ଭାବନାକୁ ସଂଯୋଗ କରି ଏହି ଅସାଧାରଣ ମାନବଧର୍ମୀ, ବାସ୍ତବ ସେବାମୂଳକ କାର୍ଯ୍ୟ, ଭଗବତ୍‌ ବିଶ୍ୱାସ ଆଧାରିତ ସଂସ୍ଥାଗଠନ କଲେ । ଯାହାକି “ରାମକୃଷ୍ଣ ମିଶନ୍‌” ଭାବେ କାର୍ଯ୍ୟ କରି ଆସୁଛି । ୧୯୦୧ ମସିହାରେ ପ୍ରତିଷ୍ଠିତ ହୋଇ ‘ଏହି ମିଶନ୍‌ ଏବେ ସାରା ପୃଥିବୀରେ କୋଣେ କୋଣେ ପରିବ୍ୟାପ୍ତ ହୋଇଛି ।


   ଅତୀତରେ ଭାରତର  ବିଦେଶୀମାନଙ୍କ ଅତ୍ୟାଚାରରେ ହିନ୍ଦୁ ମନ୍ଦିର ଧ୍ୱଂସ୍ତବିଧ୍ୱସ୍ତ ହୋଇଯାଇଥିଲା । ଏହି ଦୁର୍ଦ୍ଦଶାକୁ ଦେଖି ସ୍ୱାମୀଜୀଙ୍କ ସମ୍ବେଦନଶୀଳ ହୃଦୟ କାନ୍ଦି ଉଠୁଥିଲା । ଭାରତବାସୀଙ୍କୁ ବିଶେଷତଃ  ଯୁବଶକ୍ତିଙ୍କୁ ଆହ୍ୱାନ ଦେଇଥିଲେ- “ହେ ପ୍ରିୟ ଭାରତବାସୀ- “ଧର୍ମ ହି ତୁମର ତେଜ, ତୁମର ବଳ, ତୁମ ରାଷ୍ଟ୍ରୀୟ ଜୀବନର ମୂଳମନ୍ତ୍ର । ଆମ ମନ୍ଦିର ଗୁଡ଼ିକ ଉପରେ ବିଭତ୍ସ ଆକ୍ରମଣକାରୀଙ୍କର ବିଭତ୍ସ ରୂପକୁ ଦେଖ । ତୁମର ପୂର୍ବ ପୁରୁଷମାନେ ଧର୍ମ ପାଇଁ ସବୁ ଜଳାଞ୍ଜଳି ଦେଇ ଏପରିକି ମୃତ୍ୟୁକୁ ମଧ୍ୟ ସ୍ୱାଗତ କରିଥିଲେ । ଜାଗ୍ରତ ହୁଅ । ଭବିଷ୍ୟତରେ ଯେପରି ଏ ଦିନ ନଆସୁ । ଏବେଠାରୁ ଯତ୍ନବାନ ହୁଅ । ଆମ ରାଷ୍ଟ୍ରର ଆତ୍ମାର ପ୍ରାଣବିନ୍ଦୁ ହେଲା ଆମର ମହାନ ଧର୍ମ । ଯଦି କୌଣସି ନୂତନ ଚାକଚକ୍ୟ ପୂର୍ଣ୍ଣ ମତବାଦକୁ ଗ୍ରହଣ କରିବାକୁ ଚେଷ୍ଟା କରିବ, ତେବେ ତୁମର ପତନ ସୁନିଶ୍ଚିତ ।” ସେ ଗୁରୁତ୍ୱ ଆରୋପ କରୁଥିଲେ ସ୍ନେହ ଶ୍ରଦ୍ଧା ଉପରେ, ଚରିତ୍ର, ନ୍ୟାୟ ଶିକ୍ଷା ଉପରେ, ଯୁବାଶକ୍ତି ଉଚିତ୍‌ ମାର୍ଗରେ ଯିବା ଉପରେ । ଏହାଦ୍ୱାରା ବିଶ୍ୱର ଏକତା ଓ ଶାନ୍ତି ପ୍ରତିଷ୍ଠା ହେବ ଏ ଧରାଧାମରେ । ହେ ମୋର ପ୍ରିୟ ଭାରତର ଜନଗଣ, ତୁମେ ଭୁଲିଯାଅ ନାହିଁ ଯେ ଭାରତୀୟ ନାରୀର ଐତିହ୍ୟ, ସୀତା, ସାବିତ୍ରୀ, ଦମୟନ୍ତୀଙ୍କର ତ୍ୟାଗପୂତ ଜୀବନ ଆଦର୍ଶକୁ । ଦରିଦ୍ର ହେଉ, ବାହ୍ମଣ ହେଉ, ଚଣ୍ଡାଳ ହେଉ ଅସହାୟ ହେଉ, ସେ ଭିନ୍ନ ଭାଷା-ଭାଷୀ, ଭିନ୍ନ ଧର୍ମାବଲମ୍ବୀ ହୋଇପାରେ । କିନ୍ତୁ ସେମାନଙ୍କର ନିଶ୍ୱାସ ପ୍ରଶ୍ୱାସରେ ତୁମଭଳି ଭାରତମାତାର ଶୋଣିତ ପ୍ରବାହିତ ହେଉଛି । ସମସ୍ତେ ଭାରତୀୟ ତୁମ ସହୋଦର । ଭାରତର ମାଟି ଆମ ପାଇଁ ସ୍ୱର୍ଗର ଅମରାବତୀ, ପ୍ରତି ଉପାସନା ପୀଠ ଆମର ପୂଣ୍ୟ ତୀର୍ଥ, ପ୍ରତିନାଗରିକ ପରମାତ୍ମାଙ୍କର  ଚଳନ୍ତି ପ୍ରତିମା । ଏହାଦ୍ୱାରା ସର୍ବ ମଙ୍ଗଳ ସାଧିତ ହେବ ।


  ଆଜି ସମଗ୍ର ମାନବଜାତି ପାଇଁ ଏକ ବି·ର୍ଯ୍ୟ ପ୍ରଶ୍ନବାଚୀ ଯେ, ଏ ପୃଥିବୀରେ ମଣିଷ ଚରିତ୍ର ବିକୃତ, ନୈତିକତାର ମୃତ୍ୟୁ, ସମର ଶଙ୍କିତ, ଆତଙ୍କବାଦ, କନ୍ଦଳଯୁକ୍ତ, ଇର୍ଷାଦ୍ୱେଷଭରା । ସଂସାରରେ  ସମସ୍ତେ କେବଳ ଭୌତିକ ଓ ଐଶ୍ୱର୍ଯ୍ୟ ପାଇଁ ପାଗଳ । ଜନଜୀବନର ଭ୍ରଷ୍ଟାଚାର, ବିଶ୍ୱଜୀବନର ହାହାକାର, ବିକଟ ପରସ୍ଥିତିରେ  ସ୍ୱାମୀ ବିବେକାନନ୍ଦଙ୍କର  ଅନୁଭବ ସିଦ୍ଧ ବାଣୀ, କର୍ମଯୋଗ ନିଶ୍ଚିତ ଭାବରେ ଜଗତକୁ ପ୍ରେରଣାଦେବ । ବ୍ୟକ୍ତିଗତ ଉଦ୍ୟମ ଅପେକ୍ଷା ସଂଘ ମାଧ୍ୟମରେ ସାର୍ବଜନୀନ ଶିକ୍ଷା, ନାରୀଶିକ୍ଷା, ରୋଗୀସେବା, ଧର୍ମ ଚେତନା ଜାଗ୍ରତ କରିବା, କୃଷି କୃଷକର ଉନ୍ନତି କରିବା, ମହାମାରୀ, କ୍ଷୁଧା, ଦରିଦ୍ରତା ଦୂରକରି ଆତ୍ମ ସଚେତନତା ସହ ସଫଳ ରୂପାୟନ କରିବାକୁ ସ୍ୱାମୀଜୀ ଯୁବସମାଜକୁ ଆହ୍ୱାନ ଦେଇଥିଲେ । ଏହି ଆହ୍ୱାନ ସାଂପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ପ୍ରାସଙ୍ଗିକ ମନେହୁଏ । ସେ ଯୁବକ ମାନଙ୍କୁ କହୁଥିଲେ ମୁଁ ସବୁବେଳେ ତୁମ ସହ ଅଛି, ମୋର ମୃତ୍ୟୁପରେ ମଧ୍ୟ ମୋର ଆତ୍ମା ତୁମ ସହିତ କାର୍ଯ୍ୟ କରୁଥିବ । ଏହା ଥିଲା ଏକ କର୍ମଯୋଗୀର ଉଦ୍ଦୀପ୍ତ ବାଣୀ । ଅଖଣ୍ଡ ଲୋକର ଋଷି  ସ୍ୱାମୀ ବିବେକାନନ୍ଦଙ୍କର ଦିବ୍ୟଲୀଳା ସମାପ୍ତ ହୋଇଥିଲା ୧୯୦୨ ମସିହା ଜୁଳାଇ ୦୨ ତାରିଖରେ । ସେ ଥିଲେ ଅଳ୍ପାୟୁ । କିନ୍ତୁ ତାଙ୍କର କର୍ମ ତାଙ୍କୁ ଅମର କରି ରଖିବ ବିଶ୍ୱର ଇତିହାସରେ, ଭାରତର ଜନ ଜୀବନରେ, ପୃଥିବୀର ବିଲୁପ୍ତ ପର୍ଯ୍ୟନ୍ତ । ଦ୍ୱାପର ଯୁଗରେ ଧର୍ମଯୁଦ୍ଧ ପାଇଁ, ଧର୍ମ ସଂସ୍ଥାପନ ପାଇଁ ସାଧୁ ସନ୍ଥଙ୍କର ପରିତ୍ରାଣ ପାଇଁ “ ଅର୍ଜୁନଙ୍କ ରଥରେ ନିଜେ ଭଗବାନ ଶ୍ରୀକୃଷ୍ଣ ସାରଥୀ ହେବା ଭଳି ବିବେକାନନ୍ଦଙ୍କର ଜୀବନ ରଥରେ ଶ୍ରୀ ଶ୍ରୀ ରାମକୃଷ୍ଣ ଥିଲେ ସାରଥି । ସେ ବିବେକାନନ୍ଦଙ୍କୁ ବିଶ୍ୱରୂପ ଦର୍ଶନ କରାଇ , ଗୀତାର ଭାବାର୍ଥ, ଜୀବନର ସଂଜ୍ଞା ଓ ସାଂସାରିକ କର୍ମପଥ କ’ଣ ହେବା ଉଚିତ୍‌ ତାହା ବୁଝାଇଦେଉଥିଲେ । ନିଜର ଦିବ୍ୟ ସ୍ପର୍ଶଦେଇ ସେ ତାଙ୍କୁ କହିଥିଲେ ତୁ ଗୋଟିଏ ପରିବାର ପାଇଁ ଜନ୍ମ ନେଇ ନାହୁଁ । ସମଗ୍ର ବସୁଧା ତୋର ପରିବାର । ତୁ ମହାପାରାବାର । ତୁ କଳ୍ପବଟ ।” ଯୁଗପୁରୁଷ ବିବେକାନନ୍ଦଙ୍କର ପ୍ରତିଟି ବାଣୀରେ ଗୋଟିଏ ଭାବ ଫୁଟି ଉଠୁଥିଲା- “ସମସ୍ତ ଜଗତର କଲ୍ୟାଣ ହେଉ” । ବିଶ୍ୱମୈତ୍ରୀ, ବିଶ୍ୱଶାନ୍ତି, ବିଶ୍ୱ ଏକତା ପାଇଁ ଯୁବଶକ୍ତି ତାଙ୍କ ମାର୍ଗ ଦର୍ଶନକୁ ଅଧ୍ୟୟନ କରି ଅନୁଶୀଳନ କଲେ, ସ୍ୱାମୀଜୀଙ୍କର ସ୍ୱପ୍ନ ସାର୍ଥକ ହେବ । ଆଜିର ଯୁବ ସମାଜ କୁପଥରେ ନଯାଇ ନିଜର ମଂଗଳ ଓ ଆତ୍ମସମ୍ମାନ ସହ ସମାଜ ପାଇଁ ମଧ୍ୟ ଉଦାହରଣ ସୃଷ୍ଟି କରିପାରିବେ । ଜୀବନ ସମସ୍ୟାରେ ଝୁଣ୍ଟିନପଡ଼ି, ଥକି ନପଡ଼ି ଆଗକୁ କେବଳ ନିଷ୍ଠା, ଏକାଗ୍ରତା ଓ ଉତ୍ତମ ଚିନ୍ତାଧାରାକୁ ଆଧାରକରି ଆଲସ୍ୟପଣଙ୍କୁ ତ୍ୟାଗକଲେ ସାରାଜଗତ ଚିର ସବୁଜ ଓ ମଧୁରମୟ ହୋଇଯିବ ।

ମୋ-୮୯୨୬୧୪୭୦୩୪