ଅଧୁରା ରହିଲା ଡିପ୍ଲୋମା ପାଠ : ଛେଳି ଚରାଉଛି ମାଟ୍ରିକ ପଢୁଆ ମାଙ୍କିଡିଆ ଡାନିଏଲ
କାଳିଆପାଣି : ସଂଖ୍ୟାଲଘୁ ଆଦିବାସୀ ଏବଂ ଜନଜାତିମାନଙ୍କ ଥଇଥାନ ଓ ଉନ୍ନତି ନିମନ୍ତେ ରାଜ୍ୟ ସରକାର ଅନେକ ଯୋଜନା ଲାଗୁ କରିଛନ୍ତି । ବିଶେଷକରି ଓଡିଶାରୁ ବିଲୁପ୍ତ ହେବାକୁ ବସିଥିବା ମାଙ୍କିଡିଆ ଜନଜାତିଙ୍କ ପାଇଁ ଅନେକ ଇନ୍ନତି ମୂଳକ ପଦକ୍ଷେପ ନିଆଯାଇଛି । ବଣଜଙ୍ଗଲ ଏବଂ ପାହାଡିଆ ଅଞ୍ଚଳରେ ବସବାସ କରିବାକୁ ଭଲ ପାଉଥିବା ମାଙ୍କିଡିଆ ଜନଜାତିର ଲୋକେ ମୁଖ୍ୟତଃ ଜଙ୍ଗଲ ଏବଂ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ଜୀବିକା ନିର୍ଭର କରିଥାନ୍ତି ।
ରାଜ୍ୟର ମାତ୍ର କିଛି ଅଞ୍ଚଳରେ ରହୁଥିବା ଏହି ଜନଜାତିର ଲୋକଙ୍କ ମଧ୍ୟରୁ ପ୍ରାୟ ଏକସହ ପରିବାର କାଳିଆପାଣି ଖଣି ଅଞ୍ଚଳ କଲରଙ୍ଗୀଅତା ମୌଜାର କାଟେପୂର୍ତ୍ତି ନଗର ମଲ୍ହାର ସାହି ଠାରେ ବସବାସ କରୁଛନ୍ତି । ଖଣିଖାଦାନ ଅଞ୍ଚଳ ହୋଇଥିବାରୁ ଏଠାକାର ମାଙ୍କିଡିଆ କେତେକ ବିଭିନ୍ନ ଖଣିରେ ବୋଝେଇ ଶ୍ରମିକ ଭାବେ କାମକରି ଜୀବିକା ନିର୍ଭର କରୁଛନ୍ତି । ଅଧିକାଂଶ ଜଙ୍ଗଲରୁ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଞ୍ଚୁଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ପରିବାରର ପିଲାମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗଭର ହୋଇ ଆସିଥିବା ବେଳେ ଅଧିକାଂଶ ନିଜର ଚିରାଚରିତ ପରମ୍ପରା ଭିତିରେ ବଞ୍ଚôବାକୁ ଭଲ ପାଉଛନ୍ତି । ଏଠାରେ ରହୁଥିବା କିଛି ପରିବାରର ପୁଅ-ଝିଅ ନିକଟରେ ଥିବା ସ୍କୁଲରେ ପାଠପଢି ମାଟ୍ରିକ ପାସ କରିବା ସହିତ ଆଇଟିଆଇ/ଡିପ୍ଲୋମା ପଢିବାକୁ ଆଗଭର ହୋଇ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ରାମଦାସ ମାଙ୍କିଡିଆ ହେଲେ ଅନ୍ୟତମ । ଅତ୍ୟନ୍ତ ଗରିବ ପରିବାରର ସଚେତନ ମୁଖିଆ । ରାମଦାସ ତାଙ୍କ ପୁଅ ଡାନିଏଲକୁ ଏକ ସରକାରୀ ଆଶ୍ରମ ସ୍କୁଲରେ ପଢାଇ ଦଶମ ଶ୍ରେଣୀ ପାସ କରାଇଲେ । ମାଙ୍କିଡିଆ ଜନଜାତିର ଏକ ଗରିବ ପିଲା ମାଟ୍ରିକ ପାସ୍ କରିବା ତାଙ୍କ ପରିବାର ପାଇଁ କିଛି କମ ଖୁସିର କଥା ନଥିଲା । ଏହାପରେ ସେ ରାଜନୀତିର ଶିକାର ପାଲଟି ଯାଇଥିଲା । ତାକୁ ବ୍ୟବହାର କରି କାଳିଆପାଣି ଖଣି ଅଞ୍ଚଳରେ ରାଜନୈତିକ ଦଳର ଲୋକେ ଅନେକ ପ୍ରଲୋଭନ ଦେଖାଇବା ସହିତ ଉଚ୍ଚ ଶିକ୍ଷା ମାଗଣାରେ ପଢାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଯାହାର ଶିକାର ହୋଇ ଡାନିଏଲ ଭୁବନେଶ୍ୱର ସ୍ଥିତ ଉକôଳ ଇଞ୍ଜିନିଅର ଆଣ୍ଡ ଟେକନୋଲୋଜି କଲେଜରେ ଡିପ୍ଲୋମା ପଢିବା ପାଇଁ ଆଡ଼ମିସନ କରାଇନେଲେ । ମାଙ୍କିଡିଆ ଜନଜାତିର ପିଲାଙ୍କୁ ମାଗଣାରେ ପାଠ ପଢାଇବାର ପ୍ରତିଶ୍ରୁତିର ଲୋଭରେ ସେ ସେଠାରେ ଆଡ଼ମିସନ କରି ହଷ୍ଟେଲରେ ରହିଲେ । ହେଲେ ଦୁଃଖର ବିଷୟ ଗୋଟିଏ ମାସ ପୁରିବା ପୂର୍ବରୁ ତାକୁ ହଷ୍ଟେଲ ଛାଡିବାକୁ ପଡିଲା । କଲେଜ ପକ୍ଷରୁ କୁହାଗଲା ଯେ ମାସକୁ ଖାଇବା ଖର୍ଚ୍ଚ ୩ ହଜାର ଏବଂ କଲେଜ ଫିସ ୫ ହଜାର ଟଙ୍କା ଦେବାକୁ ପଡିବ । କିନ୍ତୁ ଗରିବ ଡାନିଏଲର ପରିବାର ମାସିକ ଏତେ ଟଙ୍କା ଦେବାକୁ ଅକ୍ଷମ ପ୍ରକାଶ କରି ନିଜ ପୁଅକୁ ସେଠାରୁ ଫେରାଇ ଆଣିବାକୁ ବାଧ୍ୟ ହେଲେ । ତାଙ୍କ ପୁଅର ଡିପ୍ଲୋମା ପଢିବା ସ୍ୱପ୍ନ ଅଧୁରା ରହିଗଲା । ଯେଉଁ ପରିବାର ଦିନକୁ ଯାହା ରୋଜଗାର କରେ କେବଳ ତା'ର ଦିଓଳା ପେଟପୁରାକୁ ବି ନିଅଣ୍ଟ ରୁହେ । ସେବା କେମିତି ମାସିକ ହଜାର ହଜାର ଟଙ୍କା ପୁଅ ପାଇଁ ଖର୍ଚ୍ଚ କରିପାରିଥାନ୍ତା? ତେବେ ଜନଜାତି ହେଲେ ବି ଡାନିଏଲ ମାଙ୍କିଡିଆ ତାହାର ନିରାଶାକୁ ବାପାଙ୍କ ଆଗରେ ପ୍ରକାଶ କରିନଥିଲା । ନିଜର ପାରମ୍ପରିକ ବୃତିକୁ ତ୍ୟାଗକାରୀ ନିଜେ ଆତ୍ମନିର୍ଭରଶିଳ ହେବାକୁ ଯୋଜନା କଲେ । ଛେଳି ଚାଷ କରିବାକୁ ବ୍ୟବସ୍ଥା କଲେ । ଗତ ୨ବର୍ଷ ମଧ୍ୟରେ ସେ ୨ଟି ଛେଳିରୁ ବର୍ତ୍ତମାନ ୨୨ଗୋଟି ଛେଳି କରିପାରଛି । ପ୍ରତିଦିନ ଏକୁଟିଆ ଜଙ୍ଗଲ ମଧ୍ୟକୁ ଛେଳି ଚରାଇବାକୁ ଯାଏ । ଜଙ୍ଗଲ ମଧ୍ୟରେ ଛେଳି ଚରାଉଥିବା ବେଳେ ଏହି ପ୍ରତିନିଧିଙ୍କୁ ସେ ନିଜପ୍ରତି ହୋଇଥିବା ଅନ୍ୟାୟ କଥା କହି ଦୁଃଖ ପ୍ରକାଶ କରିଥିଲେ । କହିଥିଲେ କି ସରକାର ସିନା ଆମପାଇଁ କେତେ କଣ ଯୋଜନା କରିଛନ୍ତି, କିନ୍ତୁ ପ୍ରକୃତରେ ତାହା କାର୍ଯ୍ୟକାରୀ ହେଉନାହିଁ । ମୁଁ ଭାବିଥିଲି ମାଙ୍କିଡିଆ ମାନଙ୍କ ମଧ୍ୟରୁ ମୁଁ ପାଠ ପଢି ଚାକିରୀ କରି ବଡ଼ ମଣିଷ ହେବି ଆଉ ଆମ ମାଙ୍କିଡିଆ ଜନଜାତିର ଟେକ ରଖିବି । ହେଲେ ସେ ସ୍ୱପ୍ନ ମୋର ସ୍ୱପ୍ନରେ ହିଁ ରହିଗଲା । ଡାନିଏଲଙ୍କ ଏହି କଥାକୁ ଏବର ସରକାର ବିଚାର କରିବେ କି ନାହିଁ ତାହାତ ସମୟ କହିବ, ହେଲେ ଆଗ୍ରହି ମାଙ୍କେଡ଼ିଆଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଚ୍ଚଶିକ୍ଷିତ କରିପାରିଲେ, ପରପୀଢି ପଦାଙ୍କ ଅନୁକରଣ କରନ୍ତେ ।