ଅଧେରାସ୍ତା ଅବରୋଧ; ପୌର ଓ ପୁଲିସ ଚୁପ୍ 

ବ୍ୟାସନଗର :  ରାସ୍ତା ଉପରେ କୌଣସି ଘର ନିର୍ମାଣ ସାମଗ୍ରୀ ରଖି ଅବରୋଧକୁ ଅପରାଧ ବୋଲି ବିବେଚନା କରାଯିବ । ଏଭଳି ବିଜ୍ଞପ୍ତି ପୌରପାଳିକା ପକ୍ଷରୁ ବିଭିନ୍ନ ସମୟ ପ୍ରଚାର ମାଧ୍ୟମରେ ସର୍ବସାଧାରଣଙ୍କୁ ଅବଗତ କରାଯାଇଥାଏ । ରାସ୍ତା ଅବରୋଧ କରାଗଲେ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥାଏ । ଏଥିସହ ପୁଲିସ ବିଭିନ୍ନ ସମୟରେ ହେଉଥିବା ଟ୍ରାଫିକ ସମସ୍ୟାପାଇଁ ରାସ୍ତା ଉପରେ କୌଣସି ସାମଗ୍ରୀ ମହଜୁଦ ରଖିବା କି ବେଆଇନ ପାର୍କିଂ ନକରିବାକୁ ପରାମର୍ଶ ଦେଇଥାଏ । ହେଲେ ବ୍ୟାସନଗର ପୈାରାଞ୍ଚଳରେ ପୌର ଏବଂ ପୁଲିସ ପରାମର୍ଶକୁ କିଏ କେତେ ମାନୁଛି, ତାହା ସମସ୍ତଙ୍କୁ ଜଣା । ସର୍ବସାଧାରଣ ରାସ୍ତାକୁ ନିଜର ଧରି ନେବା ମନୋଭାବ ବଦଳୁ ନଥିବାରୁ ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣାମାନ ଘଟିବାର ନଜିର ରହିଛି । ହେଲେ ପୌର ଓ ପୁଲିସ କଠୋର ହେବାର କେବେ ଦେଖାଯାଇନି । କୋହଳ ମନୋଭାବ କାରଣରୁ ସର୍ବସାଧାରଣ ରାସ୍ତାକୁ ଘର ନିର୍ମାଣ କରୁଥିବା ମାଲିକ ଅବରୋଧ କରି ଯାତ୍ରୀଙ୍କ ପାଇଁ ବିପଦ ଡ଼ାକି ଆଣୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚୋରଦା-ଡ଼ୁବୁରୀ ରାସ୍ତାର ଧବଳଗିରି ଠାରେ । କଳିଙ୍ଗନଗର ଶିଳ୍ପାଞ୍ଚଳକୁ ପଡ଼ିଥିବା ଏହି ରାସ୍ତା ଉପରେ ଦୈନିକ ହଜାର ହଜାର ସଂଖ୍ୟାର ଗାଡ଼ି ମୋଟର ଯାତାୟତ କରୁଛି । ସକାଳୁ ରାତି ଯାଏ କାରଖାନା ଗାଡ଼ି ମୋଟର ଗଡ଼ୁଛି । ପୂର୍ତ୍ତ ବିଭାଗ ଅଧିନ ଏହି ରାସ୍ତା ବ୍ୟାସନଗର ପୈାରାଞ୍ଚଳର ସବୁଠାରୁ ଗହଳିପୂର୍ଣ୍ଣ ବୋଲି କୁହାଯାଇପାରେ । ହେଲେ ଏହି ବ୍ୟସ୍ତବହୁଳ ରାସ୍ତା ଅଧା ରାସ୍ତାକୁ ଧବଳଗିରି ନିକଟରେ ଜନୈକ ଗୃହକର୍ତ୍ତା ସାମଗ୍ରୀ ମହଜୁଦ କରି ଅବରୋଧ କରି ରଖିଛନ୍ତି । ବାଲି ଠାରୁ ଆରମ୍ଭ କରି ଇଟା ଏବଂ ଚିପ୍ସ ରାସ୍ତା ଉପରେ ଗଦେଇ ହୋଇଛି । ଚୋରଦାରୁ ଡ଼ୁବୁରୀ ଗଲା ବେଳେ ବାମପାଶ୍ୱର୍ରେ ଥିବା ଶ୍ରୀ ଗଣେଶ ଟେକନିକାଲ ଟ୍ରେନିଂ ଇନଷ୍ଟିଚୁ୍ୟଟ ସମ୍ମୁଖ ରାସ୍ତାକୁ ଅଧେ ଅବରୋଧ କରି ରଖାଯାଇଥିଲେ ହେଁ ପୌର ଏବଂ ପୁଲିସ ଚୁପ ବସିବା ଘଟଣା ସଚେତନ ନାଗରିକଙ୍କୁ ବ୍ୟଥିତ କରିଛି । ଯଦି ରାସ୍ତା ଅବରୋଧ ପାଇଁ କିଛି ଅଘଟଣ ଘଟେ, ସେଥିପାଇଁ କିଏ ଦାୟୀ ରହିବ, ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦେଖିବାର ଅଛି ଟ୍ରାଫିକ ସମସ୍ୟା ଦୂର ପାଇଁ ପଦକ୍ଷେପ ନେଉଥିବା ଯାଜପୁର ରୋଡ଼ ପୁଲିସ ଏବଂ ବେଆଇନ ଦଖଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଉଥିବା ପୈାର ପ୍ରଶାସନ ପକ୍ଷରୁ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।