ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ସରଗରମ ରାଜନୀତି

ନିଶ୍ଚିନ୍ତକୋଇଲି : ଗତ କିଛି ଦିନ ପୂର୍ବେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ କିଛି ସମିତିସଭ୍ୟ ସଭ୍ୟା ଓ ସରପଞ୍ଚମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଫଳରେ ଗତ ମେ’ ୧୩ ତାରିଖ ଦିନ ଆଗତ ଅନାସ୍ଥା ପ୍ରସ୍ତାବ ବିଷୟରେ ଆଲୋଚନା ପାଇଁ କଟକ ଜିଲ୍ଲାପାଳଙ୍କ ପକ୍ଷରୁ ତାରିଖ ଧାର୍ଯ୍ୟ  ହୋଇଥିବାବେଳେ ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । ୫ ଜଣ ସମିତିସଭ୍ୟ ସଭ୍ୟା ଓ ଅନାସ୍ଥା ଦାୟିତ୍ୱରେ ଥିବା ଅତିରିକ୍ତ ଉପଜିଲ୍ଲାପାଳ ସ୍ୱାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ରହିବାକୁ ନେଇ ଏହି ଅନାସ୍ଥା ବୈଠକକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । ଫଳରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀଙ୍କ ପଦବୀ ବର୍ତ୍ତମାନ ପାଇଁ କାଏମ ରହିଥିଲା । କାଏମ ରହିବା ପରେ ଗତ ୧୪ ତାରିଖ ଦିନ ଅଧ୍ୟକ୍ଷା ରୋଜି ସେଠୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ପହଞ୍ôଚଥିଲେ । ସେଠାରେ ତାଙ୍କୁ ବିଜେଡ.କଟକ ସଦର ବିଜେପି ଓ ମାହାଙ୍ଗା ବିଜେପି ପକ୍ଷରୁ ଅଧ୍ୟକ୍ଷାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେହିଦିନ ସ୍ୱାଧୀନ ପ୍ରାର୍ଥୀଙ୍କ କିଛି ସମର୍ଥକ ଅନୁପସ୍ଥିତ ଥିବା ୫ଜଣ ସରପଞ୍ଚ ସମିତିସଭ୍ୟଙ୍କୁ ଗାଳିଗୁଲଜ କରିଥିଲେ । ଫଳରେ ଏମାନେ ମିଳିତ ଭାବେ ନିଶ୍ଚିନ୍ତକୋଇଲି ଥାନାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲାବେଳେ ସାଲେପୁର ଏସ୍‌ଡିପିଓ ଘଟଣା ସଂପର୍କରେ ତଦନ୍ତ କରୁଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ନିଶ୍ଚିନ୍ତକୋଇଲି ବ୍ଲକ ମାହାଙ୍ଗା ଓ କଟକ ସଦର ନିର୍ବାଚନ ମଣ୍ଡଳୀର ମିଳିତ ବ୍ଲକ ହୋଇଥିବାରୁ ପ୍ରତ୍ୟେକ ସମୟରେ ମାହାଙ୍ଗା ବିଧାୟକମାନଙ୍କର ଦବ୍‌ଦବା ରହିଥାଏ । ଗତ ବିଧାନସଭା ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁତ୍ର ଅଙ୍କିତ ପ୍ରତାପ ଜେନା ବର୍ତ୍ତମାନର ବିଧାୟକ  ଶାରଦା ପ୍ରଧାନଙ୍କଠାରୁ ପରାଜୟ ବରଣ କରିବା ପରେ ତାଙ୍କର କିଛି ସମର୍ଥକ ଶାରଦା ପ୍ରଧାନଙ୍କ ସହ ମିଶିବା ସହ ଉପାଧ୍ୟକ୍ଷ ପଦ ମଧ୍ୟ ହାତେଇଥିଲେ । ପରେ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଉଦ୍ୟମ କରିଥିଲେ ହେଁ ବିଧାୟକ ଶାରଦାଙ୍କୁ ସଢୁଆସି ଆକ୍ରମଣ ସଦୃଶ ମାହାଙ୍ଗା ବିଜେପି, କଟକ ସଦର ବିଜେପି ଓ ମାହାଙ୍ଗା ବିଜେଡି ଏକତ୍ରିତ ହୋଇ ଅଧ୍ୟକ୍ଷା ରୋଜି ସେଠୀଙ୍କ ଅନାସ୍ଥା ପ୍ରସ୍ତାବକୁ କାଏମ ରଖିଥିଲେ । ଫଳରେ ଶାରଦା ପ୍ରଧାନଙ୍କର ଦବଦବା କ୍ଷୁର୍ଣ୍ଣ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅପରପକ୍ଷରେ ମିଳିତ ହୋଇଥିବା କଟକ ସଦର ବିଜେପି ଓ ମାହାଙ୍ଗା ବିଜେଡି କେତେ ଦିନ ପର୍ଯ୍ୟନ୍ତ ଏକାଠି ରହିପାରିବେ ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପଞ୍ଚାୟତର ଉନ୍ନୟନ କାମ କେତେ ଦୂର ହୋଇପାରିବ ତାହା ଭବିଷ୍ୟତରେ ଜଣାପଡିବ ବୋଲି ଅନୁମାନ କରାଯାଉଛି ।