ଅଧ୍ୟାପକଙ୍କୁ ବିଦାୟ ସମ୍ବର୍ଦ୍ଧନା 

କେନ୍ଦ୍ରାପଡ଼ା: ଇନ୍ଦୁପୁର ସ୍ଥିତ ବିରୂପା କଲେଜ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଅଶୋକ ନାୟକଙ୍କ ବିଦାୟ ସମ୍ବର୍ଦ୍ଧନା ସଭା କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି  । ପ୍ରାଧ୍ୟାପକ ଅଶୋକ ନାୟକଙ୍କ ଦୀର୍ଘ ୩୭ ବର୍ଷର ନିରବଚ୍ଛିନ୍ନ ଶିକ୍ଷାଦାନର ଶେଷ କାର୍ଯ୍ୟ ଦିବସ ଚଳିତ ମାସ ୩୧ ତାରିଖରେ ସରୁଛି  । ଅଧକ୍ଷ ପ୍ରାଧ୍ୟାପକ ଅଭିଜିତ ବୋଷଙ୍କ ପୌରାହିତ୍ୟରେ ଆୟୋଜିତ ଏହି ସଭାକୁ ବରିଷ୍ଠ ଅଧ୍ୟାପକ ଭବାନୀ ପ୍ରସାଦ ପଣ୍ଡା ପରିଚାଳନା କରିଥିଲେ  । ଏହି ସଭାରେ ପ୍ରାଧ୍ୟାପକ ଗୋପାଳକୃଷ୍ଣ ମହାପାତ୍ର, ଅଧ୍ୟାପକ ନିଗମାନନ୍ଦ ନାୟକ, ଅବସରପ୍ରାପ୍ତ ଅଧ୍ୟାପକ ପ୍ରେମାନନ୍ଦ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ  । କଲେଜ ପ୍ରତିଷ୍ଠା ପ୍ରାରମ୍ଭରୁ ଅନେକ ଘାତ ପ୍ରତିଘାତ ଓ ପ୍ରତିକୂଳ ପରିସ୍ଥିତିକୁ ଦୃଢତାର ସହିତ ପ୍ରତିହତ କରି ପ୍ରାଧ୍ୟାପକ ନାୟକ କଲେଜର ବିକାଶକୁ ତ୍ୱରାନିତ କରିବା ସହିତ ଗୁଣାତ୍ମକ ଶିକ୍ଷା ବିଶେଷକରି ଅଧ୍ୟୟନ ଦିଗପ୍ରତି ବେଶ ଯତ୍ନବାନ ରହିଥବଲେ  । ଶିକ୍ଷା ଓ ଶିକ୍ଷାତନକୁ ଜୀବନର ବ୍ରତକରି ଅଗଣିତ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ନାଗରିକ ଭାବରେ ଗଢି ତୋଳିବାରେ ଅଶୋକ ନାୟକଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ  । ଶିକ୍ଷାଦାନ ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡିତ ହୋଇ ବିକଶିତ ଗ୍ରାମ ଗଠନ ପାଇଁ ତାଙ୍କର ତ୍ୟାଗ ପ୍ରଂଶସାଯୋଗ୍ୟ ବୋଲି ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ବନ୍ଧୁ ତଥା ସ୍ଥାନୀୟ ନେତୃମଣ୍ଡଳୀ ପ୍ରକାଶ କରିଥିଲେ  । କାର୍ଯ୍ୟକ୍ରମ ଶେଷରେ କ୍ରୀଡା ଶିକ୍ଷକ ଜ୍ୟୋତିର୍ମୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ  ।