ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ସକ୍ଷମ ହେବକି ପୁଲିସ?
ାା ପ୍ରଭାନୁ୍ୟଜ୍ାା ରାଜନଗର; ଭାରତର ସୀମାରେ ଥିବା ବାଂଲାଦେଶରେ ଅସ୍ଥିରତା ଦେଖାଦେଇଛି । ସମୁଦ୍ର ପଥରେ ବାଂଲାଦେଶୀମାନେ ଓଡିଶାର ଉପକୂଳ ଅଞ୍ଚଳ ବିଶେଷକରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାକୁ ଅନୁପ୍ରବେଶ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଥାନାଗୁଡିକୁ ସଜାଗ କରି ଦିଆଯାଇଛି । ଏପରି ସ୍ଥିତିରେ ରାଜନଗର ବ୍ଲକରେ ଥିବା ଏକମାତ୍ର ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଇଆଇସି ସଶ୍ମିତା ସାହୁଙ୍କ ନେତୃତ୍ୱରେ ସବ-ଇନ୍ସିପେକ୍ଟର ଅନିଲ ମହାପାତ୍ର, ଏଏସଆଇ ପି.କେ ନାଥ, ତିନିଜଣ ହାବିଲଦାର, ପାଞ୍ଚଜଣ କନେଷ୍ଟବଳ, ଚାରିଜଣ ହୋମଗାର୍ଡଙ୍କ ସହ ଦୁଇ ସେକ୍ସନ ପୋଲିସ ଫୋର୍ସ ସାମୁଦ୍ରିକ ଥାନା ଅଞ୍ଚଳରେ ପାଟ୍ରୋଲିଂ କଡାକଡି କରିଛନ୍ତି । ବିଶେଷକରି ତାଳଚୁଆ ଘାଟ, ନଳିତାପାଟିଆ ଘାଟ ସହ ମାଛଧରା ବୋଟ ଓ ଟ୍ରଲର ଲାଗୁଥିବା ସ୍ଥାନଗୁଡିକରେ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ କରାଯାଉଛି । ରାଜନଗର ବ୍ଲକର ଖମାରସାହି, ଡାଙ୍ଗମାଳ, କୃଷ୍ଣନଗର, ତାଳଚୁଆ, ବାଘମାରୀ, ରଙ୍ଗଣୀ ଓ କେରୁଆଁପାଳ ପଞ୍ଚାୟତକୁ ନେଇ ୨୦୧୪ରେ ରାଜନଗର ଥାନା ଅଧିନରେ ଥିବା ତାଳଚୁଆ ଫାଣ୍ଡିକୁ ସାମୁଦ୍ରିକ ଥାନାରେ ପରିଣତ କରାଯାଇଥିଲେ ମଧ୍ୟ ୧୦ବର୍ଷ ବିତି ଯାଇଥିଲେ ବି ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି କରିନାହାଁନ୍ତି । ଏହି ଥାନା ପାଇଁ ଜଣେ ଥାନାଧିକାରୀ(ଆଇଆଇସି)ଙ୍କ ସହ ୩ଜଣ ସବ-ଇନ୍ସିପେକ୍ଟର, ୩ଜଣ ଏଏସଆଇ, ୪ଜଣ ହାବିଲଦାର, ୨୪ଜଣ କନେଷ୍ଟବଳ ପଦବୀ ମଞ୍ଜୁର ପାଇଛି । କିନ୍ତୁ ବାସ୍ତବ କଥା ନିଆରା । ଏହି ଥାନାର ଆଇଆଇସି ଥିବା ବେଳେ ୩ଟି ସବ-ଇନ୍ସିପେକ୍ଟର ପଦବୀରୁ ୨ଟି ଖାଲି ପଡିଛି । ୩ଜଣ ଏଏସଆଇଙ୍କ ପରିବର୍ତ୍ତେ ଜଣେ ମାତ୍ର ନିଯୁକ୍ତି ପାଇଛନ୍ତି । ୮ଜଣ ହାବିଲଦାର ପଦବୀ ମଧ୍ୟରୁ ୩ଜଣ ଅଛନ୍ତିି । ୨୪ଜଣ କନେଷ୍ଟବଳ ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ମାତ୍ର ୫ଜଣ ନିଯୁକ୍ତି ପାଇଛନ୍ତି । ସର୍ବୋପରି ଏହି ଅଞ୍ଚଳରେ ରହିଛି ଭିତରକନିକା ଜାତୀୟ ଉଦ୍ୟାନ । ପୂର୍ବରୁ ଅନେକ ସମୟରେ ଏହି ଅଞ୍ଚଳରେ ଜାଲନୋଟ କାରବାର, ମୂର୍ତ୍ତି ଚୋରୀ ର୍ୟାକେଟ, ହାମ ରେଡିଓ ସେଣ୍ଟର ପ୍ରଭୃତି ଧରାପଡିଛି । ଏହାଛଡା ଜାତୀୟ ଉଦ୍ୟାନର ବିଭିନ୍ନ ଜୀବଜନ୍ତୁଙ୍କ ମାଂସ, ଚମଡା ଓ ସାପ ବାହାରକୁ ଚୋରା ଚାଲାଣ ଘଟଣା ଚର୍ଚ୍ଚାରେ ରହି ଆସିଛି । ଜଳପଥରେ ବାଙ୍ଗଲା ଜଳଦସୁ୍ୟମାନେ ଫରେଷ୍ଟ ଗାର୍ଡ ଶ୍ୟାମ ସିଂହଙ୍କୁ ବାନ୍ଧି ସମୁଦ୍ର ମଧ୍ୟକୁ ଫିଙ୍ଗି ମାରିଦେବା ଘଟଣା ସମଗ୍ର ରାଜ୍ୟରେ ଆତଙ୍କ ଖେଳାଇ ଦେଇଥିଲା । ଯେତିକି ସଂଖ୍ୟକ ସ୍ୱଳ୍ପ କର୍ମଚାରୀ ଅଛନ୍ତି ସେମାନଙ୍କୁ ଆଧୁନିକ ଅସ୍ତ୍ରଶସ୍ତ୍ର ଦେବା ପରିବର୍ତ୍ତେ ଚିରାଚରିତ ଠେଙ୍ଗା ଓ ବନ୍ଧୁକରେ କିପରି ମୁକାବିଲା କରିବେ । ସମୁଦ୍ର କୂଳବର୍ତ୍ତୀ ଏଭଳି ଏକ ସ୍ପର୍ଶକାତାର ଅଞ୍ଚଳରେ ସାମୁଦ୍ରିକ ଥାନାକୁ ଯୋଗାଇ ଦିଆଯାଇଥିବା ବୋଟକୁ ଆବଶ୍ୟକୀୟ ତେଲ ଯୋଗାଇ ଦିଆଯାଉନଥିବାରୁ ଦୀର୍ଘଦିନ ହେବ ସମୁଦ୍ର ମଧ୍ୟରେ ପାଟ୍ରୋଲିଂ ବନ୍ଦ ରହିଛି । ସାମୁଦ୍ରିକ ଥାନା ପ୍ରତିଷ୍ଠା ପରେ ସରକାର ଏହି ଥାନାକୁ ଗୁରୁତ୍ୱ ଦେଇ ଆବଶ୍ୟକୀୟ କର୍ମଚାରୀ ଓ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ନଦେବା ଘଟଣା ଗୃହ ବିଭାଗର ଆନ୍ତରିକତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।