ଚଣ୍ଡିଖୋଲ-ପାରାଦୀପ ରାଜପଥ ସଂପ୍ରସାରଣରେ ଅନିୟମିତତା
ଯାଜପୁର : ଚଣ୍ଡିଖୋଲ ପାରାଦୀପ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଏବଂ ଚଞ୍ଚକତା ଏବେ ପଥଚାରୀ ଏବଂ ଅଞ୍ଚଳବାସୀଙ୍କ ଚିନ୍ତାର କାରଣ ହୋଇଛି । ଚଣ୍ଡିଖୋଲ ପାରାଦୀପ ୫୩ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ମୋଟ ତିନୋଟି ଠିକା ସଂସ୍ଥା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଠାରୁ କାମ ପାଇଥିବା ବେଳେ ଚଣ୍ଡିଖୋଲରୁ ପାରାଦୀପ ଆଡ଼କୁ ପ୍ରଥମ୧୯କିଲୋମିଟର ଏଆଇପିଏଲ୍ କାମ କରୁଥିବା ବେଳେ ୨୦କିଲୋମିଟରରୁ ୩୯କିଲୋମିଟର କାମ ପିଏସ୍କେ କରୁଛି ଏବଂ ୪୦କିଲୋମିଟରରୁ ୬୦କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟକୁ ରାଜବୀର କମ୍ପାନୀ ଜେନତେନ ପ୍ରକାରେଣ ସାରିବା ପାଇଁ ସବୁ ନିୟମ କାନୁନକୁ ଫୁ କରି ଚାଲିଛନ୍ତି । ପ୍ରକାଶ ଚଣ୍ଡିଖୋଲ ପାରାଦୀପ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ନିୟୋଜିତ ଠିକାଦାର ସଂସ୍ଥା ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ସ୍ଥିରୀକୃତ ରାସ୍ତାର ମାନକୁ ଭୃକ୍ଷେପ ନକରି ଉଚ୍ଚମାନର କାମପାଇଁ ସ୍ଥିରୀକୃତ ବାଲି, ମାଟି, ମୋରମ୍ ବ୍ୟବହାର ବଦଳରେ ମନ ଇଚ୍ଛା ଅତି ନିମ୍ନମାନର କେଲୁଅ ମାଟି ସହିତ ଫ୍ଲାଏ ଆସ୍ ବ୍ୟବହାର କରି ଅତି ଗୁରୁତ୍ୱପୂର୍ଣ୍ଣ ଚଣ୍ଡିଖୋଲ ପାରାଦୀପ ୫୩ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟକୁ ତରବରିଆ ଭାବରେ ସାରିବାକୁ ନିଜର କଳ, ବଳ, କୌଶଳ ପ୍ରୟୋଗ କରି ଚାଲିଛନ୍ତି । ରାସ୍ତା ନିର୍ମାଣରେ ଫ୍ଲାଏ ଆସ୍ (ପାଉଁଶ)ବ୍ୟବହାର ଦ୍ୱାରା ପଥଚାରୀ ଏବଂ ରାସ୍ତା ସଂଲଗ୍ନ ଅଂଳବାସୀ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୁଢକୁଢ ପାଉଁଶ ଉଡ଼ି ପଥଚାରୀଙ୍କୁ କଲବଲ କରୁଛି । ରାସ୍ତାରେ କୁଢ ହୋଇଥିବା ଫ୍ଲାଏ ଆସ୍ ଖରାଦିନିଆ ପବନରେ ଉଡ଼ିବାରୁ କୂଅ, ପୋଖରୀରେ ପଡ଼ି ଏକ ଆସ୍ତରଣ ସୃଷ୍ଟି ହେଉଛି । ଯାହା ମଣିଷ ସମାଜ ଏବଂ ଜୀବଜନ୍ତୁଙ୍କ ପିଇବା ପାଣି ଏକ ପ୍ରକାର ବିଷରେ ପରିଣତ ହେବା ସହ ଘରଦ୍ୱାର ଅପରିଷ୍କାର ହେଉଛି । ରାସ୍ତା ନିର୍ମାଣରେ ଫ୍ଲାଏ ଆସ୍ ବ୍ୟବହାର ଦ୍ୱାରା ଏହି ବ୍ୟସ୍ତ ବହୁଳ ରାସ୍ତା ନିର୍ମାଣ ଶେଷର କିଛିଦିନ ଭିତରେ ଦବିବା, ଫାଟି ଅାଁ କରି ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । । ହେଲେ ରାଜପଥ କର୍ତ୍ତୃପକ୍ଷଙ୍କ ନଜରକୁ ଏହା ଆସୁନି ।